ମୌଲାନା ସାଦର କରୋନା ରିପୋର୍ଟ ନେଗେଟିଭ୍, କାଲି କ୍ରାଇମ ବ୍ରାଞ୍ଚ ସମ୍ମୁଖରେ ହୋଇପାରେ ହାଜର

Published By : Prameya-News7 Bureau | April 26, 2020 IST

ନୂଆଦିଲ୍ଲୀ ୨୬।୦୪: ଦେଶରେ କରୋନା ଭାଇରସ୍‌ର ସଂକ୍ରମଣ  ବ୍ୟାପିବାରେ ଲାଗିଛି। ତବଲିଗି ଜମାତର ଅନେକ ଲୋକ କରୋନା ଆକ୍ରାନ୍ତ ହୋଇ ସାରିଛନ୍ତି। ଅନ୍ୟପଟେ ଦିଲ୍ଲୀର ତବଲିଗି ନିଜାମୁଦ୍ଦିନ ଜମାତର ମୁଖ୍ୟ ମୌଲାନା ସାଦ୍‌ର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ଏହା ପରେ ମୌଲାନା ସାଦକୁ କ୍ରାଇମ ବ୍ରାଞ୍ଚ ସାମ୍ନାରେ ହାଜର  ହୋଇପାରେ।

ମୌଲାନା ସାଦର ଓକିଲଙ୍କ ଅନୁଯାୟୀ ମୌଲାନା ସାଦ୍‌ର କରୋନା ଭାଇରସ୍‌ ରିପୋର୍ଟ ନେଗେଟିଭ୍ ଆସିଛି। ଦିଲ୍ଲୀ ପୋଲିସ୍‌ର କ୍ରାଇମ ବ୍ରାଞ୍ଚଙ୍କ କହିବାନୁଯାୟୀ ମୌଲାନା ସାଦର କରୋନା ଟେଷ୍ଟ କରାଯାଇଥିଲା। ଅନ୍ୟପଟେ ମୌଲାନା ସାଦ ଆସନ୍ତାକାଲି କ୍ରାଇମ ବ୍ରାଞ୍ଚ ସାମ୍ନାରେ ହାଜର ହୋଇ ପାରେ।

ଖୋଜୁଛି କ୍ରାଇମ ବ୍ରାଞ୍ଚ

ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ କ୍ରମାଗତ ତବଲିଗି ଜମାତର ମୁଖିଆ ମୌଲାନା ସାଦକୁ ଖୋଜୁଛି। ମାତ୍ର ଏ ପର୍ଯ୍ୟନ୍ତ କ୍ରାଇମ ବ୍ରାଞ୍ଚକୁ ସଫଳତା ମିଳିନାହିଁ। ନିକଟରେ ଏକ ଜାତୀୟ ଗଣମାଧ୍ୟମ ସହ ସିଧାସଳଖ ଆଲୋଚନା ବେଳେ ସାଦ୍ କହିଛନ୍ତି ଯେ, ଦିଲ୍ଲୀ ପୋଲିସକୁ ଜଣା ଯେ ସେ କେଉଁଠି ଅଛନ୍ତି। କ୍ରାଇମ ବ୍ରାଞ୍ଚ ମୋ ପାଖକୁ ଦୁଇଟି ନୋଟିସ୍ ପଠାଇଥିଲା, ଯାହାର ଜବାବ ମୁଁ ଦେଇ ସାରିଛି।

ସାଦ କହିଛି ଯେ, ଦିଲ୍ଲୀ ପୋଲିସ୍‌ର କ୍ରାଇମ ବ୍ରାଞ୍ଚ ମୋ ପୁଅ ଉପସ୍ଥିତିରେ ଘରର ତଲାସି ନେଇଥିଲେ। ଏହା ସହିତ ମୋତେ କରୋନା ଯାଞ୍ଚ କରାଇବାକୁ କୁହାଗଲା। ମୁଁ କରୋନା ଭାଇରସ୍‌ ଯାଞ୍ଚ କରାଇ ସାରିଛି। ରିପୋର୍ଟର ସୂଚନା ଦିଲ୍ଲୀ ପୋଲିର କ୍ରାଇମ ବ୍ରାଞ୍ଚକୁ ଦିଆଯିବ। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଯାହା ବି କହୁଛି ତାର ପାଳନ କରୁଥିବା ସାଦ୍ କହିଛି।

ଉଲ୍ଲେଖଯୋଗ୍ୟ, ମୌଲାନା ସାଦ୍‌କୁ ନେଇ ଅନେକ ଖୁଲାସା ହେବା ପରେ ସୁରକ୍ଷା ଏଜେନ୍ସି ତାର ସନ୍ଧାନ କରୁଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, କ୍ରାଇମ ବ୍ରାଞ୍ଚ,  ଦିଲ୍ଲୀ ପୋଲିସ୍ ତାରି ସନ୍ଧାନରେ ଜୁଟିଛନ୍ତି। ମାତ୍ର ମୌଲାନା ସାଦ୍ ସାମ୍ନାକୁ ଆସୁନାହିଁ। କ୍ରମାଗତ ନିଜର ଅଡିଓ ସନ୍ଦେଶ ଜାରି କରି ନିଜେ କ୍ଵାରେଣ୍ଟାଇନରେ ଥିବା ଦାବି  କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.