'ଟାଲ୍' ଆଗ୍ନେୟଗିରିରୁ ଭୟାନକ ଉଦଗୀରଣ, ଗ୍ୟାସ୍ ସାଙ୍ଗକୁ ଅଗଣିତ ପ୍ରସ୍ଥର କଣିକା ସୃଷ୍ଟି କରିଛି ବିପଦ : ସାରା ଫିଲିପାଇନ୍ସକୁ କରାଯାଇଛି ସତର୍କ

Published By : Prameya-News7 Bureau | July 02, 2021 IST

ନୂଆଦିଲ୍ଲୀ,୦୨/୦୭ :  ଆତଙ୍କ ବଢାଉଛି ଆଗ୍ନେୟ ଉଦଗୀରଣ । ଫିଲିପାଇନର ମାନିଲା ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କାରଣ ଆଗ୍ନେୟଗିରି ପ୍ରଭାବରେ ଆକାଶ ଧୂଆଁଳିଆ ହେବା ସହ ଆକାଶରେ ପଥର ଗୁଣ୍ଡ ମଧ୍ୟ ଉଡୁଛି ।

ମାନିଲାର ଏକ ହ୍ରଦ ନିକଟରେ ଥିବା 'ଟାଲ୍' ଭୋଲକାନୋରୁ ଲଗତାର କିଛି ଦିନ ହେବ ବିଷାକ୍ତ ସଲଫର୍ ଡାଇଅକ୍ସାଇଡ୍ ଗ୍ୟାସ୍ ବାହାରୁଛି । ଯାହାଫଳରେ ଆକାଶ ଧୂଆଁଳିଆ ହେବା ସହ ସ୍ଥାନୀୟ ଲୋକଙ୍କ ପାଇଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି । ଶେଷ ଥର ପାଇଁ ଜାନୁଆରୀ ୨୦୨୦ରେ ଏପରି ଘଟଣା ଘଟିଥିଲା । ଏକ ଆଗ୍ନେୟଗିରିରୁ ବାହାରୁଥିବା ଧୂଆଁ ଓ ଗୁଣ୍ଡ ପ୍ରାୟ ୧୫ କିମି ଧରି ବ୍ୟାପି ଯାଇଥିଲା । ଏଥିରେ ପ୍ରାୟ ୧୩୫୦୦୦ ଲୋକ ପ୍ରଭାବିତ ହୋଇଥିଲେ ।

ଏହି ବିଷାକ୍ତ ଧୂଆଁ ଓ ପଥର ଗୁଣ୍ଡ କାରଣରୁ ସରକାର ଆଗୋନସିଲୋ ଓ ଲରେଲ୍ ସହରବାସୀଙ୍କୁ ସତର୍କ ରହିବାକୁ କହିଛନ୍ତି । କାରଣ ଏହି ୨ ସହର ସବୁଠାରୁ ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଛି । ଏହାସହ ଦେଶର ବିଭିନ୍ନ ସୁରକ୍ଷା ଏଜେନ୍ସି ପରିସ୍ଥିତି ଉପରେ ନଜର ରଖିଛନ୍ତି । ଫିଲିପାଇନ୍ସ ଜାତୀୟ ବିପର୍ଯ୍ୟୟ ବିଭାଗର ମୁଖପାତ୍ର ଜୁନଫରାନ୍ସ ଡି ଭିଲ୍ଲା କହିଛନ୍ତି ଯେ, ସବୁଠାରୁ ଅଧିକ ପ୍ରଭାବିହ ଆଶଙ୍କା ଥିବା ଅଞ୍ଚଳରେ ୧୫୦୦୦ରୁ ଅଧିକ ବ୍ୟକ୍ତି ବସବାସ କରୁଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଆଉ କିଛି ନିଜ ନିଜ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଛନ୍ତି ।

ଗତବର୍ଷ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ଚଳିତ ଥର କିଛି ଅଘଟଣ ଘଟିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ତତ୍ପର ପ୍ରକାଶ କରିବା ସହ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, ତାଲ ଭୋଲକାନୋ ବା ଆଗ୍ନେୟଗିରି କେନ୍ଦ୍ରୀୟ ମାନିଲା ସହରରୁ ୭୦ କିମି ଦୂରରେ ଅବସ୍ଥିତ । ତେବେ ବେଳେବେଳେ ଆଗ୍ନେୟଗିରିରୁ ବାହାରୁଥିବା ଗ୍ୟାସ୍ ଓ ଧୂଆଁ ମାନିଲାବାସୀଙ୍କୁ ମଧ୍ୟ ପ୍ରଭାବିତ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.