T20 World Cup: ଭାରତ ଓ ପାକିସ୍ତାନ ମ୍ୟାଚ୍‌ର ଟିକେଟ୍ କିଛି ଘଣ୍ଟାରେ ଶେଷ, ୩୩୩ ଗୁଣ ମହଙ୍ଗା ହେଲା ଟିକେଟ୍‌

Published By : Prameya-News7 Bureau | October 04, 2021 IST

ଦୁବାଇ ୦୫।୧୦: ଟି-୨୦ ବିଶ୍ଵ କପ୍‌ର ଓଲଟା ଗଣତି ଆରମ୍ଭ ହୋଇ ଯାଇଛି। ଆଇସିସି ପକ୍ଷରୁ ଅକ୍ଟୋବର ୩ରୁ ଟୁର୍ଣ୍ଣାମେଣ୍ଟ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇ ଯାଇଛି। ଦର୍ଶକ କ୍ଷମତାର ୭୦ ପ୍ରତିଶତ ଦର୍ଶକ ଷ୍ଟାଡିୟମକୁ ଆସି ପାରିବେ। ୟୁଏଇରେ ସବୁଠୁ କମ୍ ଦାମ୍ ଟିକେଟ୍ ମୂଲ୍ୟ ହେଉଛି ୬୦୦ ଟଙ୍କା। ମାତ୍ର ଭାରତ  ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ର ଚାହିଦା ବହୁତ ବଢି ଯାଇଛି। ଏଥିପାଇଁ ଦର୍ଶକ ଟିକେଟ୍ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି। ଫଳସ୍ଵରୂପ ମ୍ୟାଚ୍‌ର ଟିକେଟ୍ ୩୩୩ ଗୁଣ ଅଧିକ ମହଙ୍ଗାରେ ବିକ୍ରି ହେଉଛି। କିଛି ଘଣ୍ଟାରେ ହିଁ ଭାରତ-ପାକିସ୍ତାନ ମ୍ୟାଚ୍‌ର ଟିକେଟ୍ ବିକ୍ରି ଶେଷ ହୋଇ ଯାଇଛି। ପ୍ରଶଂସକ https://www.t20worldcup.com/tickets କୁ ଯାଇ ଅନ୍ୟ ମ୍ୟାଚ୍‌ର ଟିକେଟ୍ କିଣି ପାରିବେ।

ଅକ୍ଟୋବର ୧୭ରୁ ଟି-୨୦ ବିଶ୍ଵ କପ୍ ଆରମ୍ଭ ହେଉଛି। ଭାରତ ଅକ୍ଟୋବର ୨୪ରେ ନିଜର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିବ। ସବୁଠୁ ମହଙ୍ଗା ଟିକେଟ୍‌ର ଦାମ ପ୍ରାୟ ୨ ଲକ୍ଷ ଟଙ୍କା ରହିଛି, ଯାହା ସାଧାରଣ ଟିକେଟ୍‌ ଦାମଠୁ ୩୩୩ ଗୁଣ ଅଧିକ ରହିଛି। ଅଲଗା ଅଲଗା ଷ୍ଟାଣ୍ଡର ଅଲଗା ଅଲଗା ଦାମ ରହିଛି। ପ୍ରଥମ ଟିକେଟ୍‌ର ମୂଲ୍ୟ ୧୨,୫୦୦ ଟଙ୍କାରେ ମିଳୁଛି। ଏହା ବ୍ୟତୀତ ୩୧,୨୦୦ ଟଙ୍କା ଏବଂ ୫୪,୧୦୦ ଟଙ୍କାରେ ଦର୍ଶକ ପ୍ରିମିୟମ ଏବଂ ପ୍ଲାଟିନମ ଷ୍ଟାଣ୍ଡର ଟିକେଟ୍ କିଣି ପାରିବେ। ହେଲେ ଏହି ତିନି କାଟାଗୋରୀର ଟିକେଟ୍ ଶେଷ ହୋଇ ସାରିଛି।

ସ୍କାଇ ବକ୍ସ ଏବଂ ଭିଆଇପି ଟିକେଟ୍‌ର ଦାମ ଆନୁଷ୍ଠାନିକ ଓ୍ଵେବ୍‌ସାଇଟ୍‌ରେ ଦେଖାଯାଉ ନାହିଁ। ଅର୍ଥାତ ଏହାର ଟିକେଟ୍ ମଧ୍ୟ ସରି ଯାଇଛି। ମାତ୍ର ଭାରତ  ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅକ୍ଟୋବର ୩୧ରେ ହେବାକୁ ଥିବା ମ୍ୟାଚ୍ର ଭିଆଇପି ସ୍ଵିଟ୍ ଟିକେଟ୍‌ର ଦାମ ୧ ଲକ୍ଷ ୯୬ ହଜାର ଟଙ୍କା ରହିଛି। ଏମିତିରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ର ଟିକେଟ୍ ଆହୁରି ମହଙ୍ଗା ହେବାର ସମ୍ଭାବନା ରହିଛି କାରଣ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ର ସବୁଠୁ ଶସ୍ତା ଟିକେଟ୍‌ର ମୂଲ୍ୟ ହେଉଛି ୧୦,୪୦୦ ଟଙ୍କା।

ଭାରତୀୟ ଦଳ ଶେଷ ଥର ୨୦୦୭ରେ ପ୍ରଥମ ଟି-୨୦ ବିଶ୍ଵ କପ୍ ଜିତିଥିଲା। ଏହା ପରଠୁ ଦଳ ଆଉ ଟ୍ରଫି ଜିତି ପାରି ନାହିଁ। ଦଳକୁ ୧୪  ବର୍ଷ ଧରି ଆଉ ଏକ ଟି-୨୦ ବିଶ୍ଵ କପ୍‌  ଟ୍ରଫିର ଅପେକ୍ଷା କରିଛି। ଅଧିନାୟକ ବିରାଟ କୋହଲି ବିଶ୍ଵ କପ୍ ପରେ ଟି-୨୦ ଫର୍ମାଟ୍‌ରୁ ଭାରତୀୟ ଦଳର ଅଧିନାୟକ ପଦ ଛାଡି ଦେବେ। ତେଣୁ ଶେଷ ଥର ସେ ଦଳକୁ ଚାମ୍ପିଅନ କରାଇବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦଳର ମେଣ୍ଟର କରାଯାଇଛି। ଏହାର ଫାଇଦା ମଧ୍ୟ ଦଳକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.