ବିଜୟ ସତ୍ତ୍ଵେ ବିଶ୍ଵକପରୁ ବାଦ୍ ପଡିଲା ଦକ୍ଷିଣ ଆଫ୍ରିକା: ସେମି ଫାଇନାଲରେ ପହଞ୍ଚିଲେ ୩ ଦଳ, ଚତୁର୍ଥ ଟିମ୍ ପାଇଁ ସଂଘର୍ଷ ଜାରି

Published By : Prameya-News7 Bureau | November 06, 2021 IST

ନୂଆଦିଲ୍ଲୀ ୦୬।୧୧: ଚଳିତ ଟି-୨୦ ବିଶ୍ଵ କପ୍‌ରେ ତୃତୀୟ ଦଳ ଭାବେ ସେମି ଫାଇନାଲ୍‌ରେ ପ୍ରବେଶ କଲା ଅଷ୍ଟ୍ରେଲିଆ। ଶେଷ ମ୍ୟାଚ୍ ଜିତିଥିଲେ ମଧ୍ୟ କମ ରନ ରେଟ୍ କାରଣରୁ ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଏହା ପୂର୍ବରୁ ଇଂଲଣ୍ଡ ଓ ପାକିସ୍ତାନ ନିଜ ଗ୍ରୁପରେ ଶୀର୍ଷରେ ରହି ସେମି ଫାଇନାଲ୍‌ରେ ପ୍ରବେଶ କରି ସାରିଥିଲେ। ଏଥିସହ ୟୁଏଇ ଓ ଓମାନରେ ଖେଳାଯାଉଥିବା ଟି-୨୦ ବିଶ୍ଵ କପରେ ତିନୋଟି ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରି ସାରିଛନ୍ତି। ଏବେ ସେମି ଫାଇନାଲ୍‌ରେ ଚତୁର୍ଥ ଦଳ ଭାବେ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ କଡା ସଂଘର୍ଷ ଜାରି ରହିଛି। ଆଫଗାନିସ୍ତାନ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍ ସ୍ଥିର କରିବ ଚତୁର୍ଥ ଦଳ ଭାବେ କିଏ ସେମି ଫାଇନାଲରେ ପହଞ୍ଚିବ।

ଆଜି ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୨ ବଲ୍‌ ବଳକା ଥାଇ ଓ୍ଵେଷ୍ଟଇଣ୍ଡିଜକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଥିଲା। ଏହି ବିଜୟ ସହ ଅଷ୍ଟ୍ରେଲିଆ ନେଟ୍ ରନ ରେଟ୍ +୧.୨୧୬ରେ ପହଞ୍ଚି ଯାଇଥିଲା। ଏହା ପରେ ଦ୍ଵିତୀୟ ମ୍ୟାଚ୍‌ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଯଦି ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ୬୦ରୁ ଅଧିକ ରନରେ ପରାସ୍ତ କରିଥାନ୍ତା ତେବେ ଦକ୍ଷିଣ ଆଫ୍ରିକା ସେମି ଫାଇନାଲ୍‌ରେ ପ୍ରବେଶ କରିଥାନ୍ତା। କାରଣ ଏମିତି ହୋଇଥିଲେ ଦ. ଆଫ୍ରିକାର ରନ ରେଟ୍ ଅଷ୍ଟ୍ରେଲିଆଠୁ ଅଧିକ ହୋଇଥାନ୍ତା। ହେଲେ ଏମିତି ହୋଇନଥିଲା। ଦକ୍ଷିଣ ଆଫ୍ରିକା ଶେଷ ମ୍ୟାଚ୍ ଜିତି ୫ ମ୍ୟାଚରୁ ୮ ପଏଣ୍ଟ ପାଇଥିଲେ  ମଧ୍ୟ ଅଷ୍ଟ୍ରେଲିଆଠୁ କମ ରନ ରେଟ୍ ଥିବାରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି।

ଦକ୍ଷିଣ  ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଭାନ ଡର ଡସେନଙ୍କ ଅପରାଜିତ ବିସ୍ଫୋରକ ୯୪ ରନ ଏବଂ ଆଡନ ମାକ୍ରନଙ୍କ ୨୫ ବଲ୍‌ରୁ ୫୨ ରନ ଜରିଆରେ ୨ ଓ୍ଵିକେଟ୍ ହରାଇ ୧୮୯ ରନ କରିଥିଲା। ହେଲେ ଦକ୍ଷିଣ ଆଫ୍ରିକାକୁ ଇଂଲଣ୍ଡକୁ ୧୨୯ ରନ ଭିତରେ ସୀମିତ ରଖିବାର ଥିଲା। କିନ୍ତୁ ଏହା ହୋଇ ପାରିନଥିଲା। ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୭୯ ରନ କରିଥିଲା। ଦକ୍ଷିଣ ଆଫ୍ରିକା ମ୍ୟାଚ୍‌କୁ ୧୦ ରନରେ ଜିତିଥିଲେ ମଧ୍ୟ ଉନ୍ନତ ରନ ରେଟ୍ ଆଧାରରେ ଅଷ୍ଟ୍ରେଲିଆ ଗ୍ରୁପ ଏରୁ ଦ୍ଵିତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି।

ଅନ୍ୟପଟେ ଗ୍ରୁପ-୨ରୁ ପାକିସ୍ତାନ ସେମି ଫାଇନାଲ୍‌ରେ ପ୍ରବେଶ କରି ସାରିଛି। ଆସନ୍ତାକାଲି ଗ୍ରୁପ-୨ରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ନ୍ୟୁଜିଲାଣ୍ଡ ଜିତିଲେ ୪ ବିଜୟ ସହ ୮ ପଏଣ୍ଟ ପାଇଁ ସେମି ଫାଇନାଲରେ ପହଞ୍ଚିବ ଏବଂ ଭାରତ ଟୁର୍ଣ୍ଣାମେଣ୍ଟରୁ ବାହାରି ଯିବ। ଯଦି ଆପଗାନିସ୍ତାନ ମ୍ୟାଚ୍ ଜିତିଯାଏ ତେବେ ଭାରତର ସେମି ଆଶା ଉଜ୍ଜୀବିତ ରହିବ। କାରଣ ଗ୍ରୁପ-୨ରେ ଭାରତ ନେଟ୍ ରନ ରେଟ୍ ସବୁଠୁ ଅଧିକ ରହିଛି। ଅନ୍ୟପଟେ ଭାରତ ନିଜର ଶେଷ ମ୍ୟାଚ୍‌ରେ ନାମିବିୟାକୁ ଭେଟିବ। ଏଥିରେ ଭାରତର ଜିତିବାର ଯଥେଷ୍ଟ ସମ୍ଭାବନା  ରହିଛି। ଏମିତି ହେଲେ ଆଫଗାନିସ୍ତାନ, ଭାରତ ଓ ନ୍ୟୁଜିଲାଣ୍ଡ ସହିତ ସମସ୍ତ ପଏଣ୍ଟ ୬ରେ ସମାନ ରହିବ। ଆଉ ରନ ରେଟ୍ ଆଧାରରେ ସ୍ଥିର ହେବ କେଉଁ ଦଳ ସେମି ଫାଇନାଲରେ ପହଞ୍ଚିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.