ଭାରତରେ ଖେଳାଯିବନି ଟି୨୦ ବିଶ୍ୱକପ ! କରୋନା ସ୍ଥିତି ଉପରେ ସବୁକିଛି କରୁଛି ନିର୍ଭର

Published By : Prameya-News7 Bureau | April 29, 2021 IST

ନୂଆଦିଲ୍ଲୀ,୨୯/୦୪: ଚଳିତ ବର୍ଷ ଭାରତରେ ଖେଳାଯିବ ଟି୨୦ ବିଶ୍ୱକପ । ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ। କରୋନା ସଂକ୍ରମଣ ସତ୍ତେ୍ୱ ବିସିସିଆଇ ବିଶ୍ୱକପ୍‌ ଆୟୋଜନ ନେଇ ପ୍ରସ୍ତୁତ ରହିଥିବା ପୂର୍ବରୁ ସଭାପତି ସୌରଭ ଗାଙ୍ଗୁଲି ପ୍ରକାଶ କରିଥିଲେ । କିନ୍ତୁ ଏବେ ଭିନ୍ନ କଥା ଶୁଣିବାକୁ ମିଳୁଛି । ଯଦି ଭାରତରେ କରୋନା ସଂକ୍ରମଣ ସ୍ଥିତି ଏଭଳି ଜାରି ରହେ ତେବେ ବିଶ୍ୱକପ୍‌ ସ୍ଥାନାନ୍ତର ହେବ ।

ଭାରତର ସ୍ଥିତି ଉପରେ ଆଇସିସି ନଜର ରଖିଛି । ଯଦି ଅକ୍ଟୋବର ମାସ ପୂର୍ବରୁ ସ୍ଥିତିରେ ସୁଧାର ନଆସେ ତେବେ ବିଶ୍ୱକପ୍‌ ଭାରତରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଏନେଇ ଦୁଇଟି ବିକଳ୍ପ ଭେନ୍ୟୁ ମଧ୍ୟ ସ୍ଥିର କରାଯାଇ ସାରିଛି । ୟୁଏଇ କିମ୍ବା ଶ୍ରୀଲଙ୍କା କୌଣସି ଗୋଟିଏ ଭେନ୍ୟୁରେ ଖେଳାଯିବ ।

ଏ ବିଷୟରେ ବିସିସିଆଇ କିମ୍ବା ଆଇସିସି କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ । ଗତବର୍ଷ କରୋନା ମହାମାରୀ ପାଇଁ ଆଇପିଏଲକୁ ୟୁଏଇରେ ଆୟୋଜନ କରିଥିଲା ବିସିସିଆଇ । ଶ୍ରୀଲଙ୍କା ମଧ୍ୟ ଆଗ୍ରହୀ ରହିଥିଲା । ସୁବିଧା ଦୃଷ୍ଟିରୁ ୟୁଏଇ ବିସିସିଆଇର ପ୍ରଥମ ପସନ୍ଦ ରହିଥିଲା ।

ଯଦି ଭେନ୍ୟୁ ସ୍ଥାନାନ୍ତର ହୁଏ ତେବେ ବିସିସିଆଇ ୟୁଏଇକୁ ଚୟନ କରିପାରେ । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଆଇସିସିର ପ୍ରତିନିଧି ଦଳ ଏବେ ଭାରତରେ ଅଛନ୍ତି । ବିଶ୍ୱକପ୍‌ ପାଇଁ ସେମାନଙ୍କୁ ଗତ ସପ୍ତାହରେ ୯ଟି ଭେନ୍ୟୁର ପ୍ରସ୍ତାବ ଦିଆଯାଇଛି । ତାଲିକାରେ ରହିଛନ୍ତି ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କୋଲକାତା, ଲକ୍ଷେ୍ନø ଓ ମୁମ୍ବାଇ । ମହାମାରୀ ସମୟରେ ବିସିସିଆଇ ଆଇପିଏଲକୁ କିଭଳି ଭାବେ ପରିଚାଳନା କରୁଛି ତାହା ଉପରେ ପ୍ରତିନିଧି ଦଳ ନଜର ରଖିଛନ୍ତି । ବିସିସିଆଇର ସଫଳ ଆଇପିଏଲ ପରିଚାଳନା ଉପରେ ଭାରତରେ ଆଗାମୀ ବିଶ୍ୱକପ୍‌ ଆୟୋଜନ ନିର୍ଭର କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.