ରାହୁଲ ଦ୍ରାବିଡଙ୍କ ଦରମା ସହ ସମାନ ଟି-୨୦ ବିଶ୍ଵ କପ୍ ଚାମ୍ପିଅନର ପ୍ରାଇଜ୍ ମନି, 'ଦ ଓ୍ଵାଲ୍‌'ଙ୍କୁ ଦୁଇ ବର୍ଷ ପାଇଁ ମିଳିବ ଏତିକି ଦରମା

Published By : Prameya-News7 Bureau | October 16, 2021 IST

ନୂଆଦିଲ୍ଲୀ ୧୬।୧୦: ଆଇସିସି ଟି-୨୦ ବିଶ୍ଵ କପ୍‌ର ସପ୍ତମ ସଂସ୍କରଣ ଅକ୍ଟୋବର ୧୭ ଅର୍ଥାତ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି। ଅନ୍ୟପଟେ ବିଶ୍ଵ କପ୍‌ ପରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବ। ଏହା ପୂର୍ବରୁ ଭାରତୀୟ ଦଳକୁ ରାହୁଲ ଦ୍ରାବିଡଙ୍କ ରୂପେ ମିଳି ଯାଇଛି ନୂତନ କୋଚ୍। ରାହୁଲଙ୍କ କାର୍ଯ୍ୟକାଳ ୨ ବର୍ଷ ରହିଛି। ତାଙ୍କୁ ଯେତିକି ବେତନ ମିଳିବ ତାହା ଟି-୨୦ ବିଶ୍ଵ କପ୍‌ର ବିଜେତା ଦଳର ପୁରସ୍କାର ରାଶି ସହ ସମାନ। ଟୁର୍ଣ୍ଣାମେଣ୍ଟ ଜିତିବା ଦଳକୁ ଏଥର ମିଳିବ ୧୨ କୋଟି ଟଙ୍କାର ପୁରସ୍କାର ରାଶି। ଆଉ ଭାରତୀୟ ଦଳର କୋଚ୍ ଭାବେ ରାହୁଲଙ୍କୁ ଦୁଇ ବର୍ଷ ପାଇଁ ବେତନ ଭାବେ ମିଳିବ ୧୦ କୋଟି ଟଙ୍କା। ଯାହା ବିଶ୍ଵ କପ୍ ଚାମ୍ପିଅନ ଦଳର ପ୍ରାଇପ୍ ମନିର ବରାବର। ଏହାବାଦ୍ ଟି-୨୦ ବିଶ୍ଵ କପ୍‌ର ପୁରସ୍କାର ରାଶି ଆଇପିଏଲ ୨୦୨୧ର ପ୍ରାଇଜ୍ ମନିଠୁ ମଧ୍ୟ ଢେର କମ ରହିଛି।

ବିଶ୍ଵ କପ୍ ବିଜୟୀ ଦଳକୁ ଏଥର ୧୨ କୋଟି ଟଙ୍କା ମିଳୁଥିବା ବେଳେ ଉପ ବିଜେତା ଦଳକୁ ମିଳିବ ୬ କୋଟି। ଅକ୍ଟୋବର ୧୫ରେ ସମାପ୍ତ ହୋଇଥିବା ଆଇପିଏଲ କଥା କହିଲେ, ଚାମ୍ପିଅନ ଦଳକୁ ମିଳିଛି ୨୦ କୋଟି ଟଙ୍କାର ପୁରସ୍କାର ରାଶି। ଅର୍ଥାତ ବିଶ୍ଵ କପ୍ ଚାମ୍ପିଅନଠୁ ୮ କୋଟି ଟଙ୍କା ଅଧିକ। ଉପ ବିଜେତା ଦଳକୁ ମିଳିଛି ୧୨. ୫ କୋଟି ଟଙ୍କା। ଏହା ଆଇସିସି ଉପ ବିଜେତା ଦଳର ପୁରସ୍କାର ରାଶିଠୁ ମଧ୍ୟ ଦୁଇ ଗୁଣ ଅଧିକ ରହିଛି। ଆଇପିଏଲ ଦୁନିଆର ସବୁଠୁ ବଡ କ୍ରିକେଟ୍ ଲିଗ୍ ଅଟେ।

ଏଥର ବିସିସିଆଇ ଟି-୨୦ ବିଶ୍ଵ କପ୍‌ର ଆୟୋଜନ କରୁଛି। କିନ୍ତୁ ଏହା ଆଇସିସି ଟୁର୍ଣ୍ଣାମେଣ୍ଟ ଏବଂ ପୁରସ୍କାର ରାଶି ଆଇସିସି ହିଁ ଦେଇଥାଏ। ୨୦୦୭ରେ ପ୍ରଥମ  ଟି-୨୦ ବିଶ୍ଵ କପ୍ ଖେଳାଯାଇଥିଲା। ଏ ପର୍ଯ୍ୟନ୍ତ ୬ଟି ସଂସ୍କରଣ ଖେଳାଯାଇଛି। ଓ୍ଵେଷ୍ଟଇଣ୍ଡିଜ ସର୍ବାଧିକ ୨ ଥର ଚାମ୍ପିଅନ ହୋଇଥିବା ବେଳେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ଇଂଲଣ୍ଡ ଥରୁଟିଏ ଟାଇଟଲ୍ ଜିତିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.