ଆଇପିଏଲରେ ଦମଦାର ବୋଲିଂ କରିବାର ମିଳିଲା ପୁରସ୍କାର, ଏହି ୟର୍କର ସ୍ପେଶାଲିଷ୍ଟଙ୍କୁ ଭାରତୀୟ ଦଳରେ ମିଳିଲା ସୁଯୋଗ, ଦିନିକିଆରେ ସଞ୍ଜୁ ସାମିଲ

Published By : Prameya-News7 Bureau | November 09, 2020 IST

ନୂଆଦିଲ୍ଲୀ ୦୯।୧୧: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ହୋଇଛି ପରିବର୍ତ୍ତନ। ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା କୋଲକାତା ନାଇଟ୍ ରାଇଡର୍ସର ଲେଗ୍ ସ୍ପିନର ବରୁଣ ଚକ୍ରବର୍ତ୍ତୀ କାନ୍ଧରେ ଆଘାତ ଲାଗିବା କାରଣରୁ ଟି-୨୦ ଶୃଙ୍ଖଳାରୁ ବାଦ୍ ପଡିଛନ୍ତି।  ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ହାଇଦ୍ରାବାଦର ଦ୍ରୁତ ବୋଲର ତଥା ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନଙ୍କୁ ଟି-୨୦ ଦଳରେ ସାମିଲ କରାଯାଇଛି। ସେହି ପରି ସଞ୍ଜୁ ସାମସନଙ୍କୁ ଦିନିକିଆ ଶୃଙ୍ଖଳାରେ ଅତିରିକ୍ତ ଓ୍ଵିକେଟ୍ କିପର ଭାବେ ସାମିଲ କରାଯାଇଛି।

ବିସିସିଆଇ ସୂଚନା ଦେଇଛି ଯେ, ରହସ୍ୟମୟୀ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଟି-୨୦ ଶୃଙ୍ଖଳାରୁ ବାହାରି ଯାଇଛନ୍ତି। କୁହାଯାଉଛି  ବରୁଣ କାନ୍ଧରେ ଲାଗିଥିବା ଆଘାତ ଖବରକୁ ଲୁଚାଇ ରଖିଥିଲେ। ତାଙ୍କ ସ୍ଥାନରେ ଟି ନଟରାଜନଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିଛି।

{"id":358958,"sizeSlug":"large"}

ଚଳିତ ଆଇପିଏଲରେ ଟି. ନଟରାଜନ ଡେଥ ଓଭରରେ ନିଜର ଶାଣିତ ବୋଲିଂରେ ବହୁତ ପ୍ରଭାବିତ କରିଥିଲେ। ପୂରା ଟୂର୍ଣ୍ଣାମେଣ୍ଟରେ ସେ ଦମଦାର ବୋଲିଂ କରିଥିଲେ। ହାଇଦ୍ରାବାଦର ଏହି ଦ୍ରୁତ  ବୋଲର ଚଳିତ ସଂସ୍କରଣରେ ୧୬ଟି ମ୍ୟାଚ୍‌ରୁ ୧୬ ଓ୍ଵିକେଟ୍  ନେଇଛନ୍ତି। ଡେଥ୍ ଓଭରରେ ବୋଲିଂ କରିବା ପରେ ବି ତାଙ୍କର ଇକୋନୋମି ୮.୦୨ ରହିଛି।

ଆରମ୍ଭରେ କେବଳ ଟି-୨୦ ଶୃଙ୍ଖଳାରେ ସାମିଲ କରାଯାଇଥିବା ସଞ୍ଜୁ ସାମସନଙ୍କୁ ଅତିରିକ୍ତ ଓ୍ଵିକେଟ୍ କିପର ଭାବେ ଦିନିକିଆ ଦଳରେ ସାମିଲ କରାଯାଇଛି। ସଞ୍ଜୁ ଆଇପିଏଲରେ ନିଜର ଦମଦାର ପ୍ରଦର୍ଶନ କାରଣରୁ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷିତ କରିଥିଲେ। ସେ ୧୪ଟି ମ୍ୟାଚ୍‌ରେ ୨୮.୮୪ ହାରରେ ଏବଂ ୧୫୮.୮୯ ଷ୍ଟ୍ରାଇକ୍‌ ରେଟ୍‌ରେ ୩୭୫ ରନ କରିଛନ୍ତି। ଏଥିରେ ୩ ଅର୍ଦ୍ଧଶତକ ସାମିଲ।

{"id":358959,"sizeSlug":"large"}

ବିସିସିଆଇ କହିଛି ଇଶାନ୍ତ ଶର୍ମାଙ୍କୁ ଟେଷ୍ଟ ଦଳରେ ସାମିଲ କରାଯିବ। କିନ୍ତୁ ପ୍ରଥମେ ତାଙ୍କୁ ଫିଟନେସ୍‌ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବାକୁ ପଡିବ। ସଂପ୍ରତି ଇଶାନ୍ତ ଶର୍ମା ବେଙ୍ଗାଲୁରୁରେ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ରିହାବିଲିଟେସନରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.