ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା

Published By : Prameya-News7 Bureau | October 23, 2021 IST

ଆବୁଧାବି, ୨୩/୧୦: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଗ୍ରୁପ୍‌-୧ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ବିଜୟ ସହ ଅଭିଯାନ ଆରମ୍ଭ କରିବା ଉଭୟ ଦଳର ମୁଖ୍ୟ ଲକ୍ଷ୍ୟ ହେବ । ତେଣୁ ଶନିବାର ପ୍ରଶଂସକଙ୍କୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ । ମ୍ୟାଚ୍‌ ଅପରାହ୍ଣ ୩.୩୦ରେ ଆରମ୍ଭ ହେବ ।

ବର୍ତ୍ତମାନର ଫର୍ମ ଏବଂ ଟି-ଟ୍ୱେଣ୍ଟି ମାନ୍ୟତା ଆଧାରରେ ଶନିବାର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ପଲା ଭାରି ରହିବ । ଦଳ ଶେଷ ୧୦ଟି ମ୍ୟାଚ୍‌ରୁ ୯ଟି ଜିତିଛି । ଅଭ୍ୟାସ ମ୍ୟାଚ୍‌ରେ ଆଫଗାନିସ୍ତାନ ଏବଂ ପାକିସ୍ତାନକୁ ହରାଇ ଦୃଢ଼ ମନୋବଳରେ ରହିଛି । ଅଷ୍ଟ୍ରେଲିଆ ଶେଷ ୧୦ଟି ମ୍ୟାଚ୍‌ରୁ ୮ଟିରେ ପରାଜିତ ହୋଇଥିବା ବେଳେ ଶେଷ ୫ଟି ସିରିଜ (ବାଂଲାଦେଶ, ୱେଷ୍ଟଇଣ୍ଡିଜ୍‌, ନ୍ୟୁଜିଲାଣ୍ଡ, ଭାରତ ଓ ଇଂଲଣ୍ଡ)ରେ ପରାଜୟର ସମ୍ମୁଖୀନ ହୋଇଛି । ଅଭ୍ୟାସ ମ୍ୟାଚ୍‌ରେ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ହାସଲ କରିଥିଲେ ହେଁ ଭାରତଠୁ ଶୋଚନୀୟ ଭାବେ ପରାଜିତ ହୋଇଥିଲା ।

ଅଷ୍ଟ୍ରେଲିଆ ଦଳ ୭ ବ୍ୟାଟ୍ସମ୍ୟାନ୍‌, ୪ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ସ୍ପଷ୍ଟ କରି ଦେଇଛନ୍ତି । ତେଣୁ ଗ୍ଲେନ୍‌ ମାକ୍ସୱେଲ, ମିଚେଲ ମାର୍ଶ ଓ ମାର୍କସ ଷ୍ଟଇନିସ୍‌ ଅତିରିକ୍ତ ଓଭର ବୋଲିଂ କରିବେ । ଓପନର ୱାର୍ଣ୍ଣରଙ୍କ ଫର୍ମ ଦଳ ପାଇଁ ଚିନ୍ତାଜନକ ରହିଛି । ଆସନ୍ତାକାଲି ଆଇପିଏଲ୍‌ରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିବା ଗ୍ଲେନ୍‌ ମ୍ୟାକ୍ସୱେଲଙ୍କ ଉପରେ ସମସ୍ତଙ୍କ ନଜର ରହିବ ।ଦକ୍ଷିଣ ଆଫ୍ରିକା ଏକ ସନ୍ତୁଳିତ ଦଳ ଗଠନ କରିବାରେ ସଫଳ ହୋଇଛି । ପାକିସ୍ତାନ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ରାସି ଭାନ ଡର ଡୁସେନ ଶତକ ହାସଲ କରିଥିଲେ ।

ଗତ ଆଇପିଏଲ୍‌ରେ ସାମିଲ ଥିବା ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଫର୍ମରେ ଥିବା ପ୍ରଦର୍ଶନ ମାଧ୍ୟମରେ ପ୍ରମାଣିତ କରିଥିଲେ । ବିଶ୍ୱର ଏକ ନମ୍ବର ଟି-ଟ୍ୱେଣ୍ଟି ବୋଲର ହେଉଛନ୍ତି ସ୍ପିନର ତାବ୍ରେଜ୍‌ ସାମ୍‌ସି । ଶନିବାର ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ସେ ଘାତକ ସାବ୍ୟସ୍ତ ହୋଇପାରନ୍ତି । ଗତ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ କରିବାରେ ବିଫଳ ରହିଥିଲେ । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପୂର୍ବରୁ ଉଭୟ ଦଳ ପରସ୍ପରକୁ ଥରେ ଭେଟିଛନ୍ତି । ୨୦୧୨ ସଂସ୍କରଣରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୮ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ତେଣୁ ଦକ୍ଷିଣ ଆଫ୍ରିକା ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.