କଟକରୁ ସିନ୍ଥେଟିକ୍ ପନିର ଜବତ ଘଟଣା, ବ୍ୟବସାୟୀ ଗିରଫ
31/12/2020 at 1:06 PM

କଟକ ୩୧।୧୨: କଟକରୁ ସିନ୍ଥେଟିକ୍ ପନିର ଜବତ ଘଟଣାରେ ଜଣେ ବ୍ୟବସାୟୀକୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ । ଗତକାଲି ସମ୍ପୃକ୍ତ ବ୍ୟବସାୟୀକୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । କୋଲକାତାରୁ ପନିର ଆଣି କଟକରେ ବ୍ୟବସାୟ କରୁଥିବା ପୋଲିସ ସୂଚନା ଦେଇଛି ।
ପ୍ରତିଦିନ ୧୦ରୁ ୧୨ କ୍ବିଣ୍ଟାଲ ପନିର କଟକକୁ ଆସୁଥିଲା । କଲିକତାରୁ ବସ୍ ରେ ଏସବୁ ଚାଲାଣ ହେଉଥିଲା । ସାଧାରଣତଃ ପନିର ବାହାରେ ୩ରୁ ୪ ଘଣ୍ଟା ରହିଲେ ନଷ୍ଟ ହୋଇଯାଇଥାଏ । ମାତ୍ର ଏ ସବୁ ପନିର ଦୁଇରୁ ତିନି ଦିନ ଧରି ରହିଲେ ବି ନଷ୍ଟ ହୋଇନଥାଏ । ଏହା କିଲୋ ପ୍ରତି ୬୦ଟଙ୍କାରେ କିଣି ଅସାଧୁ ବ୍ୟବସାୟୀ ୨୨୦ଟଙ୍କାରେ ବିକ୍ରି କରୁଥିଲେ । ବ୍ୟବସାୟୀ କମ୍ ଦାମରେ କିଣି ଲୋକଙ୍କୁ ବିଷ ବିକ୍ରି କରୁଥିବା କହିଥିଲେ ସିଏମସିର ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ।
କଲିକତାରୁ ଏହି ସମସ୍ତ ପନିର କଟକକୁ ଆସିବା ପରେ ଆଖପାଖ ଜିଲ୍ଲାରେ ମଧ୍ୟ ଏହାର ଚେର ଲମ୍ବିଥିବା ଜଣାପଡିଛି । ତେଣୁ ଏହି ଭଳି କାରବାର ବିଗତ ବର୍ଷମାନଙ୍କରେ କଟକରେ ଚାଲି ଆସୁଥିବା ବେଳେ ଏହା ଉପରେ ରୋକ ଲାଗାଇବା ପାଇଁ ପୋଲିସ ଆହୁରି ଦୃଢ ପଦକ୍ଷେପ ଗ୍ରହଣ କରିବା ପାଇଁ ଦୁଗ୍ଧ ବ୍ୟବସାୟୀ ମହାସଂଘର ସଂପାଦକ କହିଥିଲେ । ଏହି ପନିର ମାନ ଯାଞ୍ଚ କରିବା ପାଇଁ ସିଏମସି ପକ୍ଷରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଖାଦ୍ୟ ସୁରକ୍ଷା ଭ୍ୟାନ ଅଣାଯାଇ ପରୀକ୍ଷା କରାଯାଇଥିଲା ।