Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ ୨୨।୦୧: ସୈୟଦ ମୋଦୀ ଅନ୍ତର୍ଜତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପ୍ରବେଶ କଲେ ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ। ଶନିବାର ମହିଳା ଏକକ ବର୍ଗରେ ଖେଳାଯାଇଥିବା ସେମି ଫାଇନାଲ୍ ମ୍ୟାଚ୍‌ ମଝିରେ ପ୍ରତିପକ୍ଷ ଖେଳାଳି ରୁଷର ଇଭଜେନିଆ କୋସେତସ୍କାୟା ମ୍ୟାଚ୍‌ରୁ ଓହରି ଯାଇଛନ୍ତି। ଆହତ କାରଣରୁ ସେ ରିଟାୟର୍ଡ ହଟ୍ ହୋଇଛନ୍ତି। ଫଳରେ ସିନ୍ଧୁ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଦୁଇ ଥରର ଅଲିମ୍ପିକ ପଦକ ବିଜେତା ସିନ୍ଧୁ ଫାଇନାଲ୍‌ ମୁକାବିଲାରେ ନିଜ ଦେଶର ମାଲଭିକା ବସୋନ୍ଦଙ୍କୁ  ଭେଟିବେ।

ପୂର୍ବତନ ବିଶ୍ଵ ଚାମ୍ପିଅନ ପିଭି ସିନ୍ଧୁ ଆଜିର ସେମି ଫାଇନାଲ୍‌ରେ କୋସେତସ୍କାୟାଙ୍କ ବିପକ୍ଷରେ ପ୍ରଥମ ଗେମ୍‌କୁ ୨୧-୧୧ରେ ଜିତି ନେଇଥିଲେ। ତେବେ ଦ୍ଵିତୀୟ ଗେମ୍ ଆରମ୍ଭ ହେବା ପୂର୍ବରୁ କୋତେସସ୍କାୟା ମ୍ୟାଚ୍‌ରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ସିନ୍ଧୁ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ ସେମି ଫାଇନାଲ୍‌ରେ ମାଲଭିକା ନିଜ  ଦେଶର ଖେଳାଳି ଅନୁପମା ଉପାଧ୍ୟାୟଙ୍କୁ ମାତ୍ ଦେଇଛନ୍ତି। ମାଲଭିକା ୧୯-୨୧, ୨୧-୧୯ ଏବଂ ୨୧-୭ ରେ ଅନୁପମାଙ୍କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ସିନ୍ଧୁ ଗତ କିଛି ସମୟ ଧରି ଦମଦାର ଫର୍ମରେ ଅଛନ୍ତି। ଫର୍ମ, ବିଶ୍ଵ ରାଙ୍କିଙ୍ଗ୍ ଏବଂ କୋସେତସ୍କାୟାଙ୍କ ବିପକ୍ଷରେ ରେକର୍ଡକୁ ଦେଖି ସେ ଏହି ମ୍ୟାଚ୍‌ରେ ପ୍ରବଳ ଦାବିଦାର ଥିଲେ। ବିଡବ୍ଲ୍ୟୁଏଫ ରାଙ୍କିଙ୍ଗ୍‌ରେ ସିନ୍ଧୁ ବର୍ତ୍ତମାନ ସପ୍ତମ ସ୍ଥାନରେ ରହିଛନ୍ତି। ଶନିବାର ସେମି ଫାଇନାଲ୍ ପୂର୍ବରୁ ସେ କୋସେତସ୍କାୟାଙ୍କୁ ଦୁଇ ଥର ହରାଇଥିଲେ। ସେ ଏହି ଦବଦବାକୁ ବଜାୟ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.