ସିଡନୀରେ ଦର୍ଶକ ମହମ୍ମଦ ସିରାଜଙ୍କୁ କେଉଁ କେଉଁ ଭାଷାରେ ଗାଳି ଦେଇଛନ୍ତି ? ଖୁଲାସା କଲା ବିସିସିଆଇ, କହିଲା…
10/01/2021 at 6:08 PM

ସିଡନୀ ୧୦।୦୧: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଚତୁର୍ଥ ଦିନରେ ପୁଣି ଥରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ସାମ୍ନା କରିବାକୁ ପଡିଛି। ଭାରତୀ ଦଳ ମ୍ୟାଚ୍ ପରେ ବଡ ଖୁଲାସା କରି କହିଛନ୍ତି ଯେ, ଅଷ୍ଟ୍ରେଲିଆ ଦର୍ଶକ ମହମ୍ମଦ ସିରାଜଙ୍କୁ ବ୍ରାଉନ ଡଗ୍ ଓ ବିଗ୍ ମଙ୍କି କହିଛନ୍ତି। ଏହି ଦର୍ଶକଙ୍କୁ ପରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରୁ ବାହାର କରାଯାଇଛି।
ସିରାଜ ଓ ଦଳର ସାଥୀ ଖେଳାଳି ଯଶପ୍ରୀତ ବୁମରାଙ୍କୁ ଶନିବାର ମଧ୍ୟ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ସହ ଗାଳି କରାଯାଇଥିଲା। ଭାରତୀୟ ଦଳ ପ୍ରବନ୍ଧକ ଆନୁଷ୍ଠାନିକ ଭାବେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦର ମ୍ୟାଚ୍ ରେଫରୀ ଡେଭିଡ୍ ବୁନ୍ଙ୍କଠାରେ ଅଭିଯୋଗ କରିଥିଲେ।
ବିସିସିସାଇ ସୂତ୍ର ନାମ ପ୍ରକାଶ ନକରି କହିଛନ୍ତି, ସିରାଜଙ୍କୁ ବ୍ରାଉନ ଡଗ୍ ଓ ବିଗ୍ ମଙ୍କି କୁହାଯାଇଛି। ପଡିଆ ଅମ୍ପାୟରଙ୍କୁ ତୁରନ୍ତ ଏହାର ସୂଚନା ଦିଆଯାଇଥିଲା। ଗ୍ୟାଲେରୀରେ ବସିଥିବା କିଛି ଦର୍ଶକ ବୁମରାଙ୍କୁ ମଧ୍ୟ ଲଗାତାର ଅପଶବ୍ଦ କହି ଚାଲିଥିଲେ।
ରବିବାର ଅଷ୍ଟ୍ରେଲିଆର ଦ୍ଵିତୀୟ ଇନିଂସର ୮୬ତମ ଓଭରରେ ସିରାଜ ସୀମା ରେଖାରୁ ଆସି ସ୍କ୍ଵାୟର ଲେଗ୍ ଅମ୍ପାୟରଙ୍କଠାରେ ଅଭିଯୋଗ କରିଥିଲେ। ଏହା ପରେ ମେନ୍ ଅମ୍ପାୟର ଓ ବାକି ବରିଷ୍ଠ ଖେଳାଳି ସେଠାକୁ ଆସି ଆଲୋଚନା କରିଥିଲେ। ପ୍ରାୟ ୧୦ ମିନିଟ୍ ଖେଳ ବନ୍ଦ ରହିଥିଲା। ଏହା ପରେ ଷ୍ଟାଡିୟମର ସୁରକ୍ଷାକର୍ମୀ ଓ ନ୍ୟୁସାଉଥ ଓ୍ଵେଲ୍ସ ପୁଲିସ କର୍ମଚାରୀ ସମ୍ବନ୍ଧିତ ଗ୍ୟାଲେରୀକୁ ଯାଇଥିଲେ, ଯେଉଁଠୁ ଅପଶବ୍ଦ କହି ଭାରତୀୟ ଖେଳାଳିଙ୍କୁ ଗାଳି କରାଯାଉଥିଲା।
ନିକଟରେ ବସିଥିବା ଲୋକଙ୍କ ସହ କଥା ହେବା ପରେ ପୁଲିସ ଛଅ ସମର୍ଥକଙ୍କୁ ଷ୍ଟାଡିୟମରୁ ବାହାର କରି ଦେଇଥିଲେ। ଏବେ ଏହି ସବୁ ଲୋକ ନ୍ୟୁ ସାଉଥ ଓ୍ଵେଲ୍ସ ପୁଲିସ ହେପାଜତରେ ଅଛନ୍ତି। ତୃତୀୟ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନ ଏବଂ ଚତୁର୍ଥ ଦିନ କ୍ରମାଗତ ସେଠାକାର ଦର୍ଶକ ଭାରତୀୟ ଖେଳାଳିଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ଦେଇଛନ୍ତି। ବିସିସିଆଇ ଏହାର ଅଭିଯୋଗ ସେଠାକାର ବୋର୍ଡ ନିକଟରେ କରିଛି। ମାତ୍ର ଏହି ମାମଲାରେ ଆଇସିସି ମଧ୍ୟ କଠୋର ଆଭିମୁଖ୍ୟ ଆପଣେଇଛି। ଆଇସିସି କ୍ରିକେଟ୍ ଅଷ୍ଟ୍ରେଲିଆକୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ରିପୋର୍ଟ ତଲବ କରିଛି।