ଭାରତକୁ ଆଉ ଏକ ଶକ୍ତ ଝଟକା, ଚତୁର୍ଥ ଟେଷ୍ଟରୁ ବାଦ୍ ପଡିଲେ ସିଡନୀ ଟେଷ୍ଟର ହିରୋ ହନୁମା ବିହାରୀ
11/01/2021 at 8:37 PM

ନୂଆଦିଲ୍ଲୀ ୧୧।୦୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରେ ଭାରତର ଫିଟନେସ୍ ସମସ୍ୟା ବଢିବାରେ ଲାଗିଛି। ସିଡନୀ ଟେଷ୍ଟରେ ନିଜର ଧୈର୍ଯ୍ୟ ଓ ସଂଯମତାର ପରିଚୟ ଦେଇ ସିଡନୀ ଟେଷ୍ଟକୁ ଡ୍ର କରାଇବାରେ ପ୍ରମୁଖ ଭୂମିକା ନିଭାଇଥିବା ହନୁମା ବିହାରୀ ଚତୁର୍ଥ ଟେଷ୍ଟରୁ ବାଦ୍ ପଡିଛନ୍ତି। ବିହାରୀ ଏବେ ବ୍ରିସବେନ୍ ଟେଷ୍ଟରେ ଖଳି ପାରିବେ ନାହିଁ। ଏଥିସହ ତାଙ୍କ ପାଇଁ ଅଷ୍ଟ୍ରେଲିଆ ଗସ୍ତ ସମାପ୍ତ ହୋଇଛି।
ଆଜିର ମ୍ୟାଚ୍ ପରେ ହନୁମା ବିହାରୀଙ୍କୁ ସ୍କାନ ପାଇଁ ହସ୍ପିଟାଲ ନିଆଯାଇଛି। କେବଳ ବ୍ରିସବେନ ଟେଷ୍ଟ ନୁହେଁ ଇଂଲଣ୍ଡ ଗସ୍ତରୁ ମଧ୍ୟ ବିହାରୀ ବାଦ୍ ପଡିବାର ସମ୍ଭାବନା ରହିଛି। ବିସିସିଆଇ ସୂତ୍ର ଅନୁଯାୟୀ ଚତୁର୍ଥ ଟେଷ୍ଟ ପାଇଁ ବିହାରୀ ଫିଟ୍ ହୋଇ ପାରିବେ ନାହିଁ, ଯାହା ଜାନୁଆରୀ ୧୫ରୁ ଆରମ୍ଭ ହେଉଛି। ଆନ୍ଧ୍ର ପ୍ରଦେଶର ଏହି ଖେଳାଳି ୧୬୧ ବଲ୍ର ସମ୍ମୁଖୀନ ହୋଇ ୨୩ ରନ କରି ଅଶ୍ଵିନଙ୍କ ସହିତ ମିଶି ମ୍ୟାଚ୍ ଡ୍ର କରାଇଥିଲେ।
ବିସିସିଆଇ ମଧ୍ୟସ୍ତ ସୂତ୍ର ଅନୁଯାୟୀ, ସ୍କାନ ରିପୋର୍ଟ ଆସିବା ପରେ ହିଁ ବିହାରୀଙ୍କ ଆଘାତ ବିଷୟରେ ଜଣା ପଡିବ। ତଥାପି ଗ୍ରେଡ୍ ଓ୍ଵାନ ଆଘାତ ଲାଗିଲେ ତାଙ୍କୁ ଚାରି ସପ୍ତାହ ବାହାରେ ରହିବାକୁ ପଡିବ। ଏହା ପରେ ରିହାବିଲିଟେସନ ଦେଇ ଗତି କରିବାକୁ ପଡିବ। କେବଳ ବ୍ରିସବେନ୍ ଟେଷ୍ଟ ନୁହେଁ ଘରୋଇ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟରୁ ମଧ୍ୟ ସେ ବାଦ୍ ପଡି ପାରନ୍ତି।
ବିହାରୀଙ୍କ ବିକଳ୍ପ ଭାବେ ଋଦ୍ଧିମାନ ଶାହାଙ୍କୁ ଓ୍ଵିକେଟ୍ କିପର ଏବଂ ଋଷଭ ପନ୍ତଙ୍କୁ ବ୍ୟାଟସମ୍ୟାନ ଭାବେ ଦଳରେ ରଖାଯାଇ ପାରେ। ନଚେତ୍ ମଧ୍ୟକ୍ରମରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ସ୍ଥାନ ଦିଆଯାଇପାରେ। ପନ୍ତ ସିଡନୀ ଟେଷ୍ଟରେ ୯୭ ରନର ଧୂଆଁଧାର ଇନିଂସ ଖେଳି ଭାରତର ସ୍ଥିତି ମଜବୁତ କରିଥିଲେ।