କଳାଧନ ବିରୋଧୀ ଲଢେଇରେ ସରକାରଙ୍କୁ ସଫଳତା, ସ୍ଵିସ୍ ବ୍ୟାଙ୍କରୁ ମିଳିଲା ଭାରତୀୟ ଖାତାଧାରୀଙ୍କ ଦ୍ଵିତୀୟ ତାଲିକା

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ ୦୯।୧୦: କଳାଧନ ବିରୋଧୀ ଲଢେଇରେ ସରକାରଙ୍କୁ ମିଳିଛି ଆଉ ଏକ ବଡ ସଫଳତା। ଭାରତ ଓ ସ୍ଵିଜରଲାଣ୍ଡ ମଧ୍ୟରେ କଳାଧନର ସୂଚନା ସ୍ଵତଃ ଆଦାନ ପ୍ରଦାନ ନେଇ ହୋଇଥିବା ନୂତନ ବ୍ୟବସ୍ଥା ଆଧାରରେ ଭାରତକୁ ସ୍ଵିସ୍ ବ୍ୟାଙ୍କ ଖାତାର ଦ୍ଵିତୀୟ ତାଲିକା ସ୍ଵିଜରଲାଣ୍ଡ ସରକାରଙ୍କଠୁ ମିଳିଛି। ଅଧିକାରୀ ଶୁକ୍ରବାର ଏହାର ସୂଚନା ଦେଇଛନ୍ତି। ସ୍ଵିଜରଲାଣ୍ଡ ସରକାର କହିଛନ୍ତି ୮୬ ଦେଶର ୩୧ ଲକ୍ଷ ଆକାଉଣ୍ଟ ବିଷୟରେ ସୂଚନା ପ୍ରଦାନ କରାଯାଇଛି।

ଏହା ପୂର୍ବରୁ ସ୍ଵିଜରଲାଣ୍ଡ ୨୦୧୯ ସେପ୍ଟେମ୍ବରରେ ଭାରତ ସମେତ ୭୫ ଦେଶକୁ ପ୍ରଥମ ତାଲିକା ପ୍ରଦାନ କରିଥିଲା। କଳାଧନ ବିରୋଧୀ ଲଢେଇରେ ଦିଗରେ ଏକ ବଡ ପଦକ୍ଷେପ  ଭାବେ ଭାରତକୁ ସ୍ଵିସ୍ ବ୍ୟାଙ୍କରେ ଭାରତୀୟ ଖାତାଧାରୀଙ୍କ ତଥ୍ୟ ପ୍ରଦାନ କରାଯାଇଛି।

ସ୍ଵିଜରଲାଣ୍ଡ କହିଛି ପ୍ରଦାନ କରାଯାଇଥିବା ୮୬ ଦେଶରେ ଭାରତ ମଧ୍ୟ ସାମିଲ। ସ୍ଵିଜରଲାଣ୍ଡର ସଙ୍ଘୀୟ କର ପ୍ରଶାସନ(ଏଫଟିଏ) ଚଳିତ ବର୍ଷ ଏଇଓଆଇରେ ବୈଶ୍ଵିକ ମାପଦଣ୍ଡ ଆଧାରରେ ଆକାଉଣ୍ଟର ସୂଚନା ଆଦାନ ପ୍ରଦାନ କରାଯାଇଛି। ଚଳିତ ବର୍ଷ ସୂଚନା ଆଦାନ-ପ୍ରଦାନରେ ପ୍ରାୟ ୩.୧ ମିଲିୟନ ଅର୍ଥାତ ୩୧ ଲକ୍ଷ ଆକାଉଣ୍ଟ ସାମିଲ। କିନ୍ତୁ ବକ୍ତବ୍ୟରେ ସ୍ପଷ୍ଟ ଭାବେ ଭାରତର ନାମ ନଥିଲା। ଅଧିକାରୀ କହିଛନ୍ତି ଭାରତ ସେହି ପ୍ରମୁଖ ଦେଶ ମଧ୍ୟରେ ସାମିଲ ଯାହାକୁ ସ୍ଵିଜରଲାଣ୍ଡ ସ୍ଵିସ୍‌ ବ୍ୟାଙ୍କରେ ଥିବା ଅନ୍ୟ ଦେଶର ଖାତାଧାରୀଙ୍କ ସୂଚନା ପ୍ରଦାନ କରିଥାଏ।

ଅଧିକାରୀ କହିଛନ୍ତି ଏଥର ୮୬ ଦେଶ ସହିତ ୩୦ ଲକ୍ଷରୁ ଅଧିକ ଖାତା ବିଷୟରେ ଯେଉଁ ସୂଚନା ପ୍ରଦାନ କରାଯାଇଛି ସେଥିରେ ବଡ ସଂଖ୍ୟା ଭାରତୀୟ ନାଗରିକ ଏବଂ ସଂସ୍ଥା ସହିତ ସମ୍ବନ୍ଧିତ ରହିଛି। ଅଧିକାରୀ କହିଛନ୍ତି ସ୍ଵିସ୍ ଅଧିକାରୀ ଗତ ଏକ ବର୍ଷରେ ୧୦୦ରୁ ଅଧିକ ଭାରତୀୟ ନାଗରିକ ଏବଂ ସଂସ୍ଥା ବିଷୟରେ ସୂଚନା ପ୍ରଦାନ କରିଛି।

ଏଥିରେ କିଛି ମାମଲା ଭାରତୀୟଙ୍କ ଦ୍ଵାରା ବିଭିନ୍ନ ବିଦେଶୀ ନ୍ୟାୟାଳୟ ଯେପରିକି ପାନାମା, ବ୍ରିଟିଶ ଭର୍ଜିନ ଆଇଲ୍ୟାଣ୍ଡ୍ସ ଓ କେମେନ ଆଇଲ୍ୟାଣ୍ଡ୍ସରେ ସ୍ଥାପିତ ସଂସ୍ଥା ସହ ସମ୍ବନ୍ଧିତ। ତାଲିକାରେ ଅଧିକାଂଶ ବ୍ୟବସାୟୀ,  କିଛି ରାଜନେତା ଏବଂ ତତ୍କାଳୀନ ରାଜକୀୟ ପରିବାରର ସଦସ୍ୟ ମଧ୍ୟ ସାମିଲ। କିନ୍ତୁ ଅଧିକାରୀ ଭାରତୀୟଙ୍କ ଦ୍ଵାରା ବର୍ତ୍ତମାନ କେତେ ଖାତା ସ୍ଵିସ୍‌ ବ୍ୟାଙ୍କରେ ରହିଛି ତାର ସୂଚନା ଦେବାକୁ ମନା କରିଛନ୍ତି। ଦିଆଯାଇଥିବା ତାଲିକାରେ ଖାତାଧାରୀଙ୍କ ନାମ, ଠିକଣା, ବାସଭବନର ସ୍ଥାନ ଏବଂ ପରିଚୟ ସଂଖ୍ୟା,  ଆର୍ଥିକ ସଂସ୍ଥା, ପୁଞ୍ଜି ଆୟ ସମ୍ବନ୍ଧିତ ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.