ଏହି ଅଞ୍ଚଳରେ ମାସ୍କ ନପିନ୍ଧି ଜୋରିମାନା ନଦେଲେ ରାସ୍ତାରେ ମାରିବାକୁ ପଡିବ ଝାଡୁ

Published By : Prameya-News7 Bureau | October 29, 2020 IST

ମୁମ୍ବାଇ ୨୯।୧୦: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଯଦି ଆପଣ ମାସ୍କ ପିନ୍ଧିନଥିବେ ଏବଂ ଜୋରିମାନା ଭରିବା ସ୍ଥିତିରେ ନଥିବେ ତେବେ ସାମୁଦାୟିକ ସେବା ଆଧାରରେ ଆପଣଙ୍କୁ ରାସ୍ତାରେ ଝାଡୁ କରିବାକୁ ପଡିପାରେ। ଉଲ୍ଲେଖନୀୟ ବୃହନ ମୁମ୍ବାଇ ମହାନଗର ପାଳିକା(ବିଏମସି) ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିନଥିବା ଲୋକଙ୍କ ଉପରେ ୨୦୦ ଟଙ୍କାର ଜୋରିମାନା ଲଗାଇଛି। ଯଦି କେହି ମାସ୍କ ପିନ୍ଧିନଥିବେ ଏବଂ ଜୋରିମାନା ଭରିବାକୁ ଚାହୁଁନଥିବେ ତେବେ ତାଙ୍କୁ ସାମୁଦାୟିକ ସେବା ଭାବେ ରାସ୍ତାରେ ଝାଡୁ ମାରିବାକୁ ପଡିବ।

ଏହି ନିୟମ ଆଧାରରେ କେ-ଓ୍ଵେଷ୍ଟ ଓ୍ଵାର୍ଡ ମାସ୍କ ନପିନ୍ଧି ବାହାରେ ବୁଲୁଥିବା ଅନେକ ଲୋକଙ୍କୁ ଏକ ଘଣ୍ଟା ପର୍ଯ୍ୟନ୍ତ ସଡକରେ ଝାଡୁ ମରାଇଛି। ଏହି ସଜା ବିଏମସି ପ୍ରବନ୍ଧନର ଉପନିୟମ ଆଧାରରେ ଦିଆଯାଉଛି। ମୁମ୍ବାଇ ସହରର ଏହି ଓ୍ଵାର୍ଡରେ ଅନ୍ଧେରୀ ପଶ୍ଚିମ, ଜୁହୁ ଓ ଭର୍ସୋଭା ରହିଛି। ସହାୟକ ନିଗମ ଆୟୋଗ ବିଶ୍ଵାସ ମୋଟେ ଗୁରୁବାର କହିଛନ୍ତି ଗତ ୭ ଦିନରେ ମାସ୍କ ପିନ୍ଧିନଥିବା ଓ ଅଧିକାରୀଙ୍କ ସହ ଅଯଥା ଯୁକ୍ତିତର୍କ କରିବା ଏବଂ ଜୋରିମାନା ଦେବାକୁ ମନା କରୁଥିବା ଲୋକଙ୍କୁ ରାସ୍ତାରେ ଝାଡୁ ମରାଇଛୁ।

ମୋଟେ କହିଛନ୍ତି କେ ଓ୍ଵେଷ୍ଟ ଓ୍ଵାର୍ଡରେ ଏ ପର୍ଯ୍ୟନ୍ତ ୩୫ ଜଣ ରାସ୍ତାରେ ଝାଡୁ ମାରି ସାରିଛନ୍ତି। ବିଏମସିର ଏହି ନିୟମ ଆଧାରରେ ନଗର ନିଗମ ରାସ୍ତାରେ ଥୁକୁଥିବା ଲୋକଙ୍କୁ ବିଭିନ୍ନ ସାମୁଦାୟିକ ସେବା କରିବାକୁ କହିପାରେ। ନଗର ନିଗମର ଜଣେ ଅଧିକାରୀ କହିଛନ୍ତି ଆରମ୍ଭରୁ ଅଧିକାଂଶ ଲୋକ ସଡକରେ ଝାଡୁ ମାରିବା ପରି ସାମୁଦାୟିକ ସେବା କରିବାକୁ ମନା କରୁଥିଲେ। ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନର ଚେତାବନୀ ପରେ ଝାଡୁ ମାରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.