ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେବ ଆଉ ଏକ ଟିମ୍ ! ସ୍ବିଡେନ୍ ଦଳର ମୁଖ୍ୟ କୋଚ୍ ହେବେ ଏହି ମହାନ୍ ଫିଲ୍ଡର
10/09/2020 at 9:29 PM

ଷ୍ଟକ୍ହୋମ୍ ୧୦/୦୯: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଜଣ୍ଟି ରୋଡ୍ସ୍ ଏବେ ଆଇପିଏଲ ପାଇଁ ବ୍ୟସ୍ଥ ଅଛନ୍ତି । କିଙ୍ଗସ୍ ୧୧ ପଞ୍ଜାବର ଫିଲ୍ଡିଂ କୋଚ୍ ଜଣ୍ଟି ରୋଡ୍ସ ଆଇପିଏଲ୍ ସରିବା ପରେ ପରିବାର ସହ ସ୍ବିଡେନ୍ ଯାତ୍ରା କରିବେ । କାରଣ ସ୍ବିଡେନ୍ ଏବେ କ୍ରିକେଟ୍ ମଇଦାନରେ କମାଲ କରିବାକୁ ଅଣ୍ଟାଭିଡ଼ିଛି । ‘ସ୍ବିଡିସ୍ କ୍ରିକେଟ୍ ଫେଡେରେସନ୍’(ଏସ୍ସିଏଫ୍) ଜଣ୍ଟି ରୋଡ୍ସ୍ଙ୍କୁ ନିଜ କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ବ ଅର୍ପଣ କରିଛି ।
ଏସ୍ସିଏଫ୍ ଜୁନିୟର କ୍ରିକେଟ ଟିମ୍ ପାଇଁ ପୁଞ୍ଜି ନିବେଶ କରିବାକୁ ଚାହୁଁଛି । କାରଣ ଏବେ ସ୍ବିଡେନରେ କ୍ରିକେଟ ଦ୍ବିତୀୟ ପସନ୍ଦ ଖେଳ ଭାବେ ଉଭା ହୋଇଛି । ଗତ ଦୁଇ ବର୍ଷ ମଧ୍ୟରେ ୩୦୦ ପ୍ରତିଶତ ଯୋଗଦନ ବୃଦ୍ଧି ପାଇଛି । ଜଣ୍ଟି ରୋଡ୍ସ୍ଙ୍କ ଯୋଗଦାନ କେବଳ ଯେ ଜାତୀୟ ଟିମ୍କୁ ସହାୟକ ହେବ ତାହା ନୁହେଁ ବରଂ ତଳ ସ୍ତରରୁ ଶିକ୍ଷା ମିଳିପାରିବ ବୋଲି ଏସ୍ସିଏଫ୍ ପକ୍ଷରୁ ସୂଚନା ମିଳିଛି ।
ସେପଟେ ୫୧ ବର୍ଷୀୟ ଜଣ୍ଟି ରୋଡ୍ସ୍ ନୂଆ ଦାୟିତ୍ବ ପାଇଁ ଖୁସି ହୋଇଛନ୍ତି । ଏକ ନୂଆ ଦଳ ଯିଏକି କ୍ରିକେଟ ଜଗତରେ ପାଦ ଥାପିବାକୁ ଯାଉଛି ସେଠାରେ ଏଭଳି ଗୁରୁଦାୟିତ୍ବ ଏକ ଆହ୍ବାନ ହୋଇଥିଲେ ହେଁ ନିଶ୍ଚିତ ଖୁସି ଦେବ ବୋଲି କହିଛନ୍ତି ଜଣ୍ଟି ରୋଡ୍ସ୍ । ନିଜର କୌଶଳ ଓ ଶକ୍ତି ଏକ ନୂଆ କାମ ପାଇଁ ଲଗାଉଥିବାରୁ ଖୁସି ଅଛି । ଏହାସହ ଏଥିପାଇଁ ମୁଁ ଆଉ ଅଧିକ ସମୟ ଅପେକ୍ଷା କରିପାରିବି ନାହିଁ ବୋଲି କହିଛନ୍ତି ଜଣ୍ଟି ରୋଡ୍ସ୍ ।