ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ, କିନ୍ତୁ ମାତ୍ର ୭ଘଣ୍ଟା ବି ସମ୍ଭାଳି ପାରିଲେନି ପଦବୀ

Published By : Prameya-News7 Bureau | November 27, 2021 IST

ନୂଆଦିଲ୍ଲୀ ୨୭/୧୧ : ସ୍ବିଡେନ୍‌ର ନୂଆ ମହିଳା ପ୍ରଧାନମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦେଶର ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ମାତ୍ର ୭ ଘଣ୍ଟା ପାଇଁ ଦେଶର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ । ସେଣ୍ଟର ଲେପ୍ଟ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟିର ନେତ୍ରୀ ମାଗ୍‌ଡାଲେନା ଆଣ୍ଡରସନ୍‌ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜ କରିଥିଲେ । ଅବଶ୍ୟ ୭ ଘଣ୍ଟା ପାଇଁ ସେ ଏହି ପଦବୀରେ ରହିଥିଲେ କିନ୍ତୁ ସ୍ବିଡେନ୍‌ ଇତିହାସରେ ଏହା ପ୍ରଥମ ଘଟଣା ।

ପ୍ରଧାନମନ୍ତ୍ରୀ ଭାବେ ଆଣ୍ଡରସନ୍‌ ଶପଥ ନେବାର ପରେ ପ୍ରଥମ ଥର ସଂସଦ ମଧ୍ୟରେ ବଜେଟ୍‌ ଉପସ୍ଥାପନ ଉପରେ ପ୍ରସ୍ତାବ ରଖିଥିଲେ । କିନ୍ତୁ ସଂସଦରେ ସେ ଉପସ୍ଥାପନ କରିଥିବା ବଜେଟ୍‌କୁ ସଂଖ୍ୟାଗରିଷ୍ଠତା ମିଳିନଥିଲା । ବିରୋଧୀ ସଦସ୍ୟ ଏହାକୁ ବିରୋଧ କରିବାକୁ ସଂସଦରେ ଏହା ପାରିତ ହୋଇନଥିଲା । ଯାହା ଫଳରେ ଗ୍ରୀନ୍‌ ପାର୍ଟି ନାମକ ଏକ ରାଜନୈତିକ ଦଳ ସମର୍ଥନରେ ପ୍ରଧାନମନ୍ତ୍ରୀ ହୋଇଥିବା ମାଗ୍‌ଡାଲେନା ଆଣ୍ଡରସନ୍‌ ନିରାଶ ହୋଇଥିଲେ । ସଂସଦରେ ବଜେଟ୍‌ ପାରିତ ନହେବାରୁ ଗ୍ରୀନ୍ ପାର୍ଟି ମଧ୍ୟ ମେଣ୍ଟରୁ ଓହରିଯାଇଥିଲା । ଯାହା ଫଲରେ ଆଣ୍ଡରସନ୍‌ଙ୍କୁ ସମର୍ଥନ କରିବା ପାଇଁ କୌଣସି ଦଳ ନଥିଲେ କିମ୍ବା ନିଜ ଦଳର ସାଂସଦ ମଧ୍ୟ ସମର୍ଥନ କରିନଥିଲେ । ଯାହା ଫଳରେ ବାଧ୍ୟ ହୋଇ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।

ମାଗ୍‌ଡାଲେନା ଆଣ୍ଡରସନ୍‌ ୭ ଘଣ୍ଟା ପ୍ରଧାନମନ୍ତ୍ରୀ ରହି ଇସ୍ତଫା ଦେବାପରେ ସ୍ବିଡେନ୍‌ରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ପୂର୍ବରୁ ମଧ୍ୟ ଗତ ଜୁନ୍‌ ମାସରେ ପ୍ରଧାନମନ୍ତ୍ରୀ ଷ୍ଟିଫେନ୍‌ ଲୋଫ୍‌ଭେନ୍‌ଙ୍କ ବିରୁଦ୍ଧରେ ସଂସଦରେ ଅବିଶ୍ବାସ ପ୍ରସ୍ତାବ ଆଗତ ହୋଇଥିଲା । ଯାହାକି ସ୍ବିଡେନ୍‌ରେ ଲାଗିରହିଥିବା ରାଜନୈତିକ ଅସ୍ଥିରତାକୁ ପଦାରେ ପକାଇଥିଲା ।

ସ୍ୱିଡେନରେ ଗୋଟିଏ ସମୟରେ ଅନ୍ୟ ୟୁରୋପୀୟ ରାଷ୍ଟ୍ରମାନଙ୍କ ତୁଳନାରେ ଅଧିକ ମୁଣ୍ଡପିଛା ଆୟ ରହିଥିଲା । କିନ୍ତୁ ଏହାର ପ୍ରଗତିଶୀଳ ଭାବମୂର୍ତ୍ତିକୁ ସ୍ୱିଡେନ ଡେମୋକ୍ରାଟ୍ସ ପାର୍ଟିର ନେତୃତ୍ୱ ନେଇଥିବା ଦକ୍ଷିଣପନ୍ଥୀ ଜନପ୍ରିୟ ଭାବନା ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଥିଲା । ସେଠାରେ ଏବେ ରାଜନୈତିକ ଅସ୍ଥିରତା ବୃଦ୍ଧିପାଇଛି ଏବଂ ଇମିଗ୍ରାଣ୍ଟ ବିରୋଧୀ ତଥା ୟୁରୋପୀୟ ବିରୋଧୀ ସ୍ୱର ବୃଦ୍ଧି ସହିତ ।

ଗତ ବୁଧବାର ସକାଳ ପ୍ରାୟ ୧୦ଟା ସମୟରେ ସାମାଜିକ ଗଣମାଧ୍ୟମରେ ଲାଇଭ୍‌ ମାଧ୍ୟମରେ ‘ସେ ସ୍ବିଡେନ୍‌ର ନୂଆ ପ୍ରଧାନମନ୍ତ୍ରୀ ’ ଘୋଷଣା କରିଥିଲେ ମାଗ୍‌ଡାଲେନା ଆଣ୍ଡରସନ୍‌ । ଏହାର କିଛି ଘଣ୍ଟା ପରେ ଅର୍ଥାତ ଅପରାହ୍ନ ୪.୩୦ ମିନିଟ୍‌ରେ ସେ ଆଉ ଏକ ଷ୍ଟେଟମେଣ୍ଟ ଜାରିକରି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ତେବେ ବର୍ତ୍ତମାନ ସ୍ବିଡେନ୍‌ରେ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ନେତୃତ୍ବ ନେବେ ମାଗ୍‌ଡାଲେନା ଆଣ୍ଡରସନ୍‌ । ସେ ୨୦୧୪ ମସିହାରୁ ଦେଶର ଅର୍ଥ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳୁଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ମଧ୍ୟ ପ୍ରଧାନମନ୍ତ୍ରୀ ଭାବେ ଦେଶର ସେବା କରିବା ପାଇଁ ରାଜି ଅଛି କିନ୍ତୁ ଏକକ ରାଜନୈତିକ ଦଳ କ୍ଷମତାକୁ ଆସିବା ପରେ ସେ ଏହି ପଦରେ ରହିବେ ବୋଲି ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.