ମହିଳାଙ୍କ ସହ ଭାଇରାଲ୍ ଭିଡିଓରେ ନଜର ଆସିଥିବା ସ୍ୱାମୀ ନିତ୍ୟାନନ୍ଦ ଏବେ ଫେରାର୍

Published By : Prameya-News7 Bureau | November 22, 2019 IST

ଅହମ୍ମଦାବାଦ ୨୨।୧୧ -  କୁଆଡ଼େ ଗଲେ ସ୍ବାମୀ ନିତ୍ୟାନନ୍ଦ । ନିଜର କୁକର୍ମ ପାଇଁ ଦିନେ ସାରା ଦେଶରେ ପରିଚିତ ହୋଇଥିବା ଆତ୍ମଘୋଷିତ ବାବା ସ୍ବାମୀ ନିତ୍ୟାନନ୍ଦ ଦେଶ ଛାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି । ଗୁଜରାଟର ଅହମ୍ମଦାବାଦରେ ଥିବା ତାଙ୍କର ଆଶ୍ରମରେ ଛୋଟ ପିଲାମାନଙ୍କୁ ଅନୈତିକ ଉପାୟରେ ରଖି ଏଥିପାଇଁ ବିଦେଶରୁ ଚାନ୍ଦା ସଂଗ୍ରହ କରୁଥିଲେ ଏହି ଆତ୍ମଘୋଷିତ ବାବା । ତେବେ ସେ ଦେଶ ଛାଡ଼ି ଚାଲିଯାଇଥିବା ଗୁଜରାଟ ପୋଲିସ କହିଛି ।

ସ୍ବାମୀ ନିତ୍ୟାନନ୍ଦ କୁଆଡ଼େ ଗଲେ । ବିବାଦୀୟ ବାବା ସ୍ବାମୀ ନିତ୍ୟାନନ୍ଦଙ୍କୁ ଏବେ ଖୋଜୁଛି ପୋଲିସ । ସ୍ବାମୀ ନିତ୍ୟାନନ୍ଦ ଦେଶ ଭିତରେ ଅଛନ୍ତି ନା ବିଦେଶକୁ ଚାଲିଯାଇଛନ୍ତି ତାହା ଏବେ ବଡ଼ ପ୍ରଶ୍ନ । ବିଭିନ୍ନ ଆର୍ଥିକ ଠକେଇ କରି ଦେଶ ଛାଡ଼ି ଚାଲିଯାଉଥିବା ବ୍ୟକ୍ତିଙ୍କ ଭଳି ସ୍ବାମୀ ନିତ୍ୟାନନ୍ଦ ମଧ୍ୟ ଦେଶ ଛାଡ଼ି ଚାଲିଯାଇଛନ୍ତି ବୋଲି ଗୁଜରାଟ ପୋଲିସ ପକ୍ଷରୁ ସୂଚନା ମିଳିଛି । ଏପରିକି ସେ କାରବିୟାନ ଦେଶ ତ୍ରିନିଦାଦ ଏଣ୍ଡ୍‌ ଟବାଗୋକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି ।

ଅହମ୍ମଦାବାଦରେ ଥିବା ଆଶ୍ରମରେ ସେ ନାବାଳିକା ମାନଙ୍କୁ ବନ୍ଧକ ବନାଇ ରଖିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।ଆଶ୍ରମର ୨ ଜଣ ମହିଳା କର୍ମଚାରୀ ଗିରଫ ହେବାପରେ ସେ ଦେଶ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି । ଏବେ ସ୍ବାମୀ ନିତ୍ୟାନନ୍ଦଙ୍କର ପ୍ରତ୍ୟର୍ପଣ ପାଇଁ ଗୁଜରାଟ ପୋଲିସ ବିଦେଶ ମନ୍ତ୍ରାଳୟ ସହିତ ଯୋଗାଯୋଗରେ ଥିବା କହିଛି । ସ୍ବାମୀ ନିତ୍ୟାନନ୍ଦଙ୍କ ବିରୋଧରେ ପୂର୍ବରୁ କର୍ଣ୍ଣାଟକରେ ମଧ୍ୟ ଦୁଷ୍କର୍ମ ମାମଲା ରହିଛି ।

ନିତ୍ୟାନନ୍ଦଙ୍କର ଅହମ୍ମଦାବାଦରେ ଥିବା ଆଶ୍ରମର ନାଁ ହେଉଛି ସର୍ବଜ୍ଞାନ ପୀଠ । ସେଠାରେ ନାବାଳିକା ମାନଙ୍କୁ ଅନୈତିକ ଉପାୟରେ ଅଟକ ରଖାଯାଇଥିବା ନେଇ ଜନାର୍ଦ୍ଦନ ଶର୍ମା ନାମକ ଜଣେ ବ୍ୟକ୍ତି ଏଫ୍‌ଆଇଆର୍‌ ଦାୟର କରିଥିଲେ । ତାଙ୍କର ନିଜ ଝିଅ ମଧ୍ୟ ଆଶ୍ରମରେ ବନ୍ଧକ ଥିବା କହିଥିଲେ ଜନାର୍ଦ୍ଦନ ଶର୍ମା । ବୁଧବାର ଦିନ ପୋଲିସ ନିତ୍ୟାନନ୍ଦଙ୍କ ସର୍ବଜ୍ଞାନ ପୀଠରେ ଚଢ଼ାଉ କରି ୨ ଜଣ ନାବାଳିକାଙ୍କୁ ଉଦ୍ଧାର କରିଥିଲା ।

ଆଶ୍ରମର ମହିଳା ପ୍ରଶାସକ ମଧ୍ୟ ଗିରଫ ହୋଇଛନ୍ତି । ଆଶ୍ରମରୁ କେତେକ ଲ୍ୟାପଟପ୍‌, ମୋବାଇଲ୍ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ତେବେ ନିତ୍ୟାନନ୍ଦଙ୍କୁ ଯେ କୌଣସି ଉପାୟରେ ଗିରଫ କରି ଦେଶକୁ ଫେରାଇ ଅଣାଯିବ ବୋଲି କହିଛନ୍ତି ଅହମ୍ମଦାବାଦ ଏସ୍‌ପି । ପୂର୍ବରୁ ୨୦୧୦ରେ ସ୍ବାମୀ ନିତ୍ୟାନନ୍ଦଙ୍କର ସେକ୍ସ ଭିଡିଓ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ସେତେବେଳେ ତାଙ୍କର କଳା କାରନାମା ସାରା ଦେଶରେ ଚହଳ ମଚାଇଥିଲା । ତେବେ ଏହାର କିଛି ବର୍ଷ ପରେ ନିତ୍ୟାନନ୍ଦ ପୁଣି ଏପରି କାରନାମା କରିବାକୁ ସକ୍ଷମ ହେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.