ଜାଭେଦ ଅଖତାରଙ୍କୁ ସ୍ଵାମୀଙ୍କ ରୋକ୍ ଠୋକ୍, କ୍ଷମା ମାଗି ନିଅନ୍ତୁ ନଚେତ୍ ପରେ ପଶ୍ଚାତାପ କରିବେ

Published By : Prameya-News7 Bureau | September 06, 2021 IST

ନୂଆଦିଲ୍ଲୀ ୦୬।୦୯: ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ଵାମୀ ଜଣାଶୁଣା ଲେଖକ ଏବଂ ଚିନ୍ତକ ଜାଭେଦ ଅଖତାରଙ୍କୁ ବିବାଦୀୟ ବୟାନ ନେଇ ଉଚିତ୍ ଜବାବ ଦେଇଛନ୍ତି। ସମାଚାର ଚ୍ୟାନେଲ ସିଏନଏନ ନ୍ୟୁଜ୍ ୧୮ ସହ ଆଲୋଚନା ବେଳେ ସ୍ଵାମୀ ଜାଭେଦ ଅଖତାରଙ୍କ ପ୍ରତି କଡା ପ୍ରତିକ୍ରିୟା ଦେଇଛନ୍ତି। ସାକ୍ଷାତକାର ଆରମ୍ଭ ହେବା ମାତ୍ରେ ସେ ଜାଭେଦ ଅଖତାରଙ୍କୁ କମ୍ୟୁନିଷ୍ଟ ଦର୍ଶାଇଛନ୍ତି। ଅଖତାରଙ୍କ ଦୁବାଇରେ ଚେର ମଜବୁତ ରହିଛି। ଏମିତି ଲୋକେ ଆରଏସଏସର ବଢୁଥିବା ନେଟଓ୍ଵର୍କ ଦେଖି ଚିନ୍ତିତ ଏବଂ ନିଜକୁ ବିପଦ ମଣୁଛନ୍ତି ବୋଲି ସ୍ଵାମୀ କହିଛନ୍ତି।

ସ୍ଵାମୀ କହିଛନ୍ତି, ଆରଏସଏସକୁ ବୁଝିବାରେ ଅନେକ ଲୋକଙ୍କ ଭୁଲ୍ ହୋଇଛି। ଏଥିରେ ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସାମିଲ୍। ଏମାନେ ହେଉଛନ୍ତି ସେହି ଲୋକେ ଯାହାଙ୍କ ସଂଘ ସହ ସଂପର୍କ ନାହିଁ। ସ୍ଵାମୀ କହିଛନ୍ତି, ପ୍ରଥମେ ଜୟ ପ୍ରକାଶ ନାରାୟଣଙ୍କ ମନ୍ତବ୍ୟ ମଧ୍ୟ ଆରଏସଏସର ବୀପରିତ ରହୁଥିଲା। ମାତ୍ର ପରେ ଆରଏସଏସକୁ ନେଇ ତାଙ୍କର ଆଭିମୁଖ୍ୟ ସଂପୂର୍ଣ୍ଣ ବଦଳି ଯାଇଥିଲା। ତାଙ୍କର ଦୃଷ୍ଟିକୋଣରେ ଏତେ ପରିବର୍ତ୍ତନ ଆସିଥିଲା ଯେ, ସେ ଏକ ସାର୍ବଜନୀନ ମଞ୍ଚରେ କହିଥିଲେ ଯେ, ଯଦି ଆରଏସଏସ ଫାଶିବାଦୀ ତେବେ ସେ ମଧ୍ୟ ସେତିକି ଅଟନ୍ତି।

ସ୍ଵାମୀ କହିଛନ୍ତି, ଯେଉଁ ଲୋକେ ଆରଏସଏସର ସଂପର୍କରେ ନାହାନ୍ତି ସେମାନେ ସଂଗଠନ ବିଷୟରେ ଭୁଲ୍ ନିଷ୍କର୍ସ କାଢୁଛନ୍ତି। ସଂଘକୁ ନେଇ ଅପ ପ୍ରଚାର କରୁଛନ୍ତି। ଜାଭେଦ ଅଖତାର ତ ଜଣେ କମ୍ୟୁନିଷ୍ଟ। ତାଙ୍କର ଦୁବାଇରେ ମଜବୁତ ଚେର ରହିଛି। ସେମାନଙ୍କ ପରି ଲୋକ ଆରଏସଏସର ନେଟଓ୍ଵର୍କ ପ୍ରତି ବିପଦ ଅନୁଭବ କରନ୍ତି। ଏହି ସବୁ ଲୋକ ଡରାଇବାକୁ ଉଦ୍ୟମ କରନ୍ତି।

ଭଲ ହେବ କ୍ଷମା ମାଗି ନିଅନ୍ତୁ

ଜାଭେଦ ଅଖତାର ନିଶ୍ଚିତ ରୂପେ ଆରଏସଏସକୁ ବଦନାମ କରିବାକୁ ଉଦ୍ୟମ କରିଛନ୍ତି। ଆରଏସଏସ ସହ ତାଲିବାନର ତୂଳନା କରିବା ତାଙ୍କର ଟିପ୍ପଣୀ ବଦନାମ କରିବାକୁକ ପର୍ଯ୍ୟାପ୍ତ। ମହାରାଷ୍ଟ୍ରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଏମିତି କିଛି ଟିପ୍ପଣୀ କରିଥିଲେ। ପରେ ତାଙ୍କୁ କ୍ଷମା ମାଗିବାକୁ ପଡିଥିଲା। ତେଣୁ ଭଲ ହେବ ଜାଭେଦ ଅଖତାର କ୍ଷମା ମାଗି ନିଅନ୍ତୁ। ଲୋକଙ୍କ ଭାବନାକୁ ଆଘାତ ଦେବା ଅଭିଯୋଗରେ ତାଙ୍କ ବିରୋଧରେ କୋର୍ଟରେ କେସ୍ ମଧ୍ୟ ହୋଇପାରେ। ତା ପରେ ସେ ପଶ୍ଚାତାପ କରିବେ ବୋଲି ସ୍ଵାମୀ କହିଛନ୍ତି।

ନିକଟରେ ଏକ ନ୍ୟୁଜ୍ ଚ୍ୟାନେଲ ସହ ସାକ୍ଷାତକାର ସମୟରେ ଜାଭେଦ ଅଖତାର ତାଲିବାନର ତୂଳନା ଆରଏସଏସ ଏବଂ ଅନ୍ୟ ହିନ୍ଦୁ ସଂଗଠନ ସହ କରିଥିଲେ। ସେ କହିଥିଲେ ତାଲିବାନ ନିଶ୍ଚିତ ରୂପେ ବର୍ବର। ଏହାର କାର୍ଯ୍ୟ ବି ନିନ୍ଦନୀୟ। ମାତ୍ର ଆରଏସଏସ, ବିଶ୍ଵ  ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ସମର୍ଥନ କରୁଥିବ ଲୋକ ମଧ୍ୟ ଠିକ୍ ତାଲିବାନ ପରି। ଅଖତାର କହିଥିଲେ, ପୂରା ଦୁନିଆରେ ଦକ୍ଷିଣପନ୍ଥୀଙ୍କ ମଧ୍ୟରେ ଏକ ଅପୂର୍ବ ସମାନତା ରହିଛି। ତାଲିବାନ ଏକ ଇସଲାମୀ ଦେଶ ଚାହୁଁଛି ଏବଂ ଏହି ଲୋକେ ଭାରତକୁ ହିନ୍ଦୁ ରାଷ୍ଟ୍ର କରିବାକୁ ଚାହୁଁଛନ୍ତି। ଅଖତାରଙ୍କ ଏହି ବୟାନକୁ ବିଜେପି ଏବଂ ଶିବସେନା ପରି ଅନେକ ପାର୍ଟି ତୀବ୍ର ବିରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.