ସ୍ୱାମୀକୁ ହାତୁଡିରେ ପିଟିପିଟି ମାରିଦେଲା ସ୍ତ୍ରୀ, ଘରେ ୨ ଦିନ ଧରି ଲୁଚାଇ ରଖିଲା ମୃତଦେହ, କହିଲା- 'ଜମା ଦୁଃଖ ଲାଗୁନି'

Published By : Prameya-News7 Bureau | January 21, 2021 IST

ଲକ୍ଷ୍ନୌ, ୨୧।୦୧ :  ଉତ୍ତର ପ୍ରଦେଶର ସାମଲି ଜନପଦରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ନିଜ ମଦ୍ୟପ ସ୍ୱାମୀର ମୁଣ୍ଡକୁ ହାତୁଡିରେ ପିଟି ହତ୍ୟା କରିଛନ୍ତି । ଏହାପରେ ମୃତଦେହକୁ ଘରେ ୨ ଦିନ ଯାଏଁ ଲୁଚାଇ ରଖିଥିଲେ । ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି । ମୃତବ୍ୟକ୍ତି ହେଲେ ତେଜପାଲ ।

ମହିଳାଜଣଙ୍କ ନିଜ ପୁଅ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଏପରି କରିଥିବା ସୂଚନା ମିଳିଛି । ପୋଲିସର କହିବାନୁସାରେ, ମହିଳାଙ୍କ ସ୍ୱାମୀ ମଦ ପିଇ ଆସି ତାଙ୍କୁ ମାରପିଟ୍ କରୁଥିଲେ । ପ୍ରାୟ ୨ ମାସ ତଳେ ମଦ୍ୟପ ବ୍ୟକ୍ତିଜଣଙ୍କ ନିଜର ୧୬ ବର୍ଷର ପୁଅକୁ ମଧ୍ୟ ମାଡ ମାରି ହତ୍ୟା କରିଥିଲେ ।

ଅଭିଯୁକ୍ତ ମହିଳାଜଣଙ୍କ ପୋଲିସକୁ କହିଛନ୍ତି ଯେ, ସେ ନିଜର ଏକ ମାତ୍ର ପୁଅକୁ ହରାଇ ଭାଙ୍ଗି ପଡିଥିଲେ । ପ୍ରତିଶୋଧର ନିଆଁରେ ଜଳୁଥିଲେ । ଯେତେବେଳେ ବୁଧବାର ସ୍ୱାମୀ ତାଙ୍କୁ ମାଡ ମାରିଥିଲେ ତାଙ୍କର ପୁଅଙ୍କ କଥା ମନେ ପଡିଯାଇଥିଲା । ଏହାପରେ ସେ ମଦ୍ୟମ ସ୍ୱାମୀକୁ ବାନ୍ଧି ମାଡ ମାରିଥିଲେ । ହାତୁଡିରେ ମୁଣ୍ଡକୁ ପିଟି ସବୁଦିନ ପାଇଁ ଶୁଆଇ ଦେଇଥିଲେ । ଏହାପରେ ସ୍ୱାମୀଙ୍କ ମୃତଦେହକୁ ୨ ଦିନ ଧରି ଘରେ ଲୁଚାଇ ରଖିଥିଲେ । ପରେ ସୁଯୋଗ ଦେଖି ଜଙ୍ଗଲରେ ଫିଙ୍ଗି ଦେଇଥିଲେ । କିଛି ଗ୍ରାମବାସୀ ଜଙ୍ଗଲକୁ ଯାଇ ତେଜପାଲଙ୍କ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ ।

ତଦନ୍ତ କରି ପୋଲିସ ତେଜପାଲଙ୍କ ପତ୍ନୀଙ୍କ ଜେରା କରିବା ବେଳେ ସେ ସବୁ ସତ ମାନି ନେଇଥିଲେ । ସ୍ୱାମୀକୁ ହତ୍ୟା କରି ସେ ଜମା ବି ଦୁଃଖିତ ନଥିବା କହିଛନ୍ତି । ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଜେଲ୍ ପଠାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.