ଏକାଠି ଶୋଇଥିଲେ ସ୍ତ୍ରୀ ଓ ପ୍ରେମିକ, କଟୁରୀରେ ହାଣିଲା ସ୍ୱାମୀ

Published By : Prameya-News7 Bureau | April 13, 2021 IST

କରଞ୍ଜିଆ, ୧୩।୦୪: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଦୁଧିଆଣି ଗ୍ରାମପଞ୍ଚାୟତ  ବୁଢ଼ୀଗାଁ ଗ୍ରାମରେ ଅଘଟଣ । ସୋମବାର ବିଳମ୍ବିତ ରାତିରେ ସ୍ତ୍ରୀ ଓ ତା ପ୍ରେମିକ ଘରେ ଶୋଇଥିବା ସମୟରେ ସ୍ୱାମୀର କଟୁରୀ ଚୋଟରେ ପ୍ରେମିକର ମୃତ୍ୟୁ ହୋଇଛି । ଏହାସହ  ସ୍ତ୍ରୀ ଗୁରୁତର ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି  ।ଖବରପାଇ କରଞ୍ଜିଆ  ପୋଲିସ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତକୁ ସ୍ୱାମୀକୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ କଟୁରୀକୁ ଜବତ କରିଛି ।

ସୂଚନା ଅନୁଯାୟୀ, ବୁଢ଼ୀଗାଁ ଗ୍ରାମର ରୁପା ହେମ୍ବ୍ରମ ୩ ବର୍ଷ ପୂର୍ବରୁ ପାର୍ବତୀ ହେମ୍ବ୍ରମକୁ ବିବାହ କରିଥିଲା । ଦୁଧିଆଣି ରେଞ୍ଜ ମହାବୀରଶାଳ ସେକ୍ସନ କାର୍ଯ୍ୟାଳୟ ଅନ୍ତର୍ଗତ ରିଜର୍ଭ ଜଙ୍ଗଲରେ ବନବିଭାଗ କାର୍ଯ୍ୟରେ ନିୟୋଜିତ ରହୁଥିଲେ ରୂପା ।  ଦିନବେଳା ଘରେ ଲୋକେ ଅନୁପସ୍ଥିତ ରହୁଥିବା ସୁଯୋଗରେ ଉକ୍ତ ଗ୍ରାମର ଫୁଟେ ଦେହୁରୀ ନାମକ ଜଣେ ଯୁବକ ପାର୍ବତୀକୁ ଭଲ ପାଇ ତାକୁ ବାହା ହେବା ପାଇଁ ରାଜି କରାଇଥିଲା । ଏ ସମ୍ଭନ୍ଧରେ ରୁପା ଆଦୌ ଜାଣିନଥିଲେ । ଏପରିକି ପାର୍ବତୀ ଗର୍ଭବତୀ ଥିବା ସେ ଜାଣିଥିଲେ ।

କିନ୍ତୁ ଗତ ବୁଧବାର ଦିନ ଅପରାହ୍ନ ସମୟରେ ରୁପା ଘରେ ଥିବା ସମୟରେ ଗ୍ରାମର କିଛି ଲୋକଙ୍କ ଉପସ୍ଥିତିରେ ଫୁଟେ ପାର୍ବତୀକୁ ନେଇ ପଳାଇଯାଇଥିଲା ।ଏଇ ଘଟଣା ପରେ  ପାର୍ବତୀ ନିଜ ଇଚ୍ଛାରେ ଯାଇଥିବା ଜାଣି ରୁପା ଚୁପ ରହିଥିଲା। ଶୁକ୍ରବାର ଦିନ ପାର୍ବତୀର ଗର୍ଭକୁ ନଷ୍ଟ କରିଦେଇଥିବା ନେଇ ଫୁଟେ ରୂପାକୁ କହିବାପରେ ରୁପା ପ୍ରତିଶୋଧ ପରାୟଣ ହୋଇଉଠିଥିଲା ।ଏହାସହ ସୋମବାର ରାତିରେ ପାର୍ବତୀ ଓ ଫୁଟେ ଶୋଇଥିବା ସମୟରେ ରୁପା ଏକ କଟୁରୀ ଦ୍ୱାରା ସେମାନଙ୍କୁ ଆକ୍ରମଣ କରିଥିଲା ।ପାର୍ବତୀର ଓଠ ଓ ଡାହାଣ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ଘଟଣା ସ୍ଥଳରେ ଫୁଟେ ମୃତ୍ୟୁବରଣ କରିଥିଲା ।

ଖବରପାଇ କରଞ୍ଜିଆ ପୋଲିସ ଓ ଉପଖଣ୍ଡ ପୁଲିସ ଅଧିକାରୀ ସଦଳବଳେ ଘଟଣାସ୍ଥଳକୁ ଯାଇ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରିବା ସହ ଅଭିଯୁକ୍ତ ରୂପାକୁ ଗିରଫ କରିଛି ।ଏନେଇ କରଞ୍ଜିଆ ଥାନାରେ  ଏକ ମାମଲା   ରୁଜୁ କରି ଅଧିକ ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.