ପିପିଇ କିଟ୍‌ ପିନ୍ଧି ସ୍ୱାମୀଙ୍କ ଜୁଇରେ ମୁଖାଗ୍ନି ଦେଲେ ସ୍ତ୍ରୀ: ଶବ ସତ୍କାରରେ ସାମିଲ ହେଲେନି ବନ୍ଧୁ ପରିଜନ

Published By : Prameya-News7 Bureau | August 20, 2020 IST

ମାଲକାନଗିରି୨୦/୮: ପିପିଇ କିଟ୍‌ ପିନ୍ଧି ମୃତ ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ।  କରୋନା କାଳରେ ମାଲକାନଗିରି ଜିଲ୍ଲାରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିିଳିଛି। ତାଙ୍କ ସ୍ବାମୀଙ୍କ ସ୍ବାଭାବିକ ମୃତ୍ୟୁ ସତ୍ତ୍ବେ କରୋନା ଭୟରେ ପାଖ ମାଡ଼ିଲେନି ଆତ୍ମୀୟମାନେ। ଜଣେ ସରକାରୀ କର୍ମଚାରୀଙ୍କ ମର ଶରୀରକୁ ତାଙ୍କ ପତ୍ନୀ ମୁଖାଗ୍ନି ଦେଇଛନ୍ତି। ଏପରି କି ଶବ ସତ୍କାର​ରେ କେହି ସାମିଲ ହୋଇ ନଥିଲେ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମାନ୍ଦାପାଲ୍ଲୀ ଗାଁରେ ଗୁରୁବାର ପୂର୍ବାହ୍ନରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ମାନ୍ଦାପାଲ୍ଲୀ ଗାଁର କୃଷ୍ଣ ଚନ୍ଦ୍ର ନାୟକଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ଚିକିତ୍ସା ନିମନ୍ତେ  ପ୍ରଥମେ ଜୟପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ନିଆଯାଇଥିଲା। ସେଠାରେ କରୋନା ଟେଷ୍ଟ କରାଯିବାରୁ ତାଙ୍କ ନମୁନା ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ କୃଷ୍ଣ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ଡାକ୍ତର ତାଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥାନାନ୍ତର କରିଥିଲେ। ମାତ୍ର ଏକ ଆମ୍ବୁଲାନ୍‌ସରେ ବିଶାଖାପାଟଣା ଯିବା ସମୟରେ ଅଧ ରାସ୍ତାରେ ଅକ୍ସିଜେନ ଶେଷ ହୋଇଯିବାରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, କୃଷ୍ଣ ନାୟକ କୋରାପୁଟ ଜିଲ୍ଲା ଜୟପୁରରେ ରହୁଥିଲେ। ସେ ବୋରିଗୁମା ଓ ଲମତାପୁଟ ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ସୂଚନା ମିଳିଛି। ନିକଟରେ ସେ ଅସୁସ୍ଥ ହେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ତ୍ରୀ ଓ  ୪ଜଣ ଝିଅ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.