ବାବାଙ୍କ ଯୌନ କେଳେଙ୍କାରୀ, କରୋନା ଔଷଧ କହି ପିଆଇ ଦେଉଥିଲେ ମଦ, ତା ପରେ…
12/07/2020 at 9:31 PM

ମୁଜଫରନଗର ୧୨।୦୭: କରୋନା ସମୟରେ ସାମ୍ନାକୁ ଆସିଲା ବାବାଙ୍କ ଯୌନ କେଳେଙ୍କାରୀ। ନିଜର ଯୌନ କ୍ଷୁଧା ମେଣ୍ଟାଇବା ପାଇଁ ବାବା ୮/୧୦ ବର୍ଷର କମୋଳମତି ଶିଶୁଙ୍କୁ ବି ଯୌନ ଶୋଷଣ କରିବାକୁ ପଛାଉନଥିଲେ। ଏହି ପରି ଏକ ଲଜ୍ଜାନକ ଘଟଣା ଉତ୍ତର ପ୍ରଦେଶର ମୁଜଫରନଗର ଜିଲ୍ଲାରୁ ଆସିଛି। ମୁଜଫରନଗର ସ୍ଥିତ ଆଶ୍ରମରେ ଘଟିଛି ଏହି କେଳେଙ୍କାରୀ। ଏଠାରେ ରହୁଥିବା ବାବାଙ୍କୁ ‘ମହାରାଜ’ କୁହାଯାଏ। ସମସ୍ତେ ଭାବନ୍ତି ଆଶ୍ରମରେ ପିଲାମାନେ ସବୁଠୁ ସୁରକ୍ଷିତ ଏବଂ ଭଲରେ ଅଛନ୍ତି। କିନ୍ତୁ ଆଶ୍ରମର ମହାରାଜ କୋଭିଡ୍-୧୯ ସଂକ୍ରମଣର ଫାଇଦା ଉଠାଇ ଅନ୍ତେବାସୀଙ୍କୁ ଯୌନଶୋଷଣ କରୁଥିଲା। ପିଲାଙ୍କ ଅଭିଯୋଗ କ୍ରମେ ଚାଇଲ୍ଡ ହେଲ୍ପଲାଇନ୍ ଥାନା ମାମଲା ରୁଜୁ କରି ଗୁରୁବାର ରାତିରେ ଗୋଦିଆ ମଠ ଆଶ୍ରମର ସ୍ଵାମୀ ଭକ୍ତି ଭୂଷଣ ଓରଫ ମହାରାଜକୁ ଗିରଫ କରିଛି।
ତିନି ଦିନ ପୂର୍ବେ ଏହି ଆଶ୍ରମରେ ରହୁଥିବା ୧୦ ଶିଶୁଙ୍କୁ ଆଶ୍ରମରୁ ମୁକ୍ତ କରାଯାଇଛି। ଏହି ସବୁ ପିଲାଙ୍କ କହିବା କଥା ସେମାନଙ୍କୁ ଯୌନ ନିର୍ଯ୍ୟାତନା ଦିଆଯିବା ସହ ମାରପିଟ୍ କରାଯାଉଥିଲା। ଶ୍ରମିକ ପରି କାମ କରିବାକୁ ବାଧ୍ୟ କରାଯାଉଥିଲା। ଆଶ୍ରମର ମାଲିକ ବିରୋଧରେ ଭାରତୀୟ ଦଣ୍ଡ ସଂହିତା(IPC)ର ଧାରା ୩୭୭(ଅସ୍ଵାଭାବିକ ଅପରାଧ) ଓ ଶିଶୁ ଯୌନ ଅପରାଧ ଆଇନ(ପୋସ୍କୋ) ଅଧିନିୟମର ବିଭିନ୍ନ ଧାରା ଆଧାରରେ ପ୍ରାଥମିକ ମାମଲା ରୁଜୁ ହୋଇଛି। ଗୋଦିଆ ମଠ ଆଶ୍ରମରୁ ମୁକ୍ତ ହୋଇଥିବା ପିଲାଙ୍କ ବୟସ ୭ ରୁ ୧୬ ବର୍ଷ ବୟସ ମଧ୍ୟରେ ହେବ।
କରୋନା ଔଷଧ କହି ପିଆଉ ଥିଲା ମଦ
ଉଦ୍ଧାର ହୋଇଥିବା ପିଲାମାନେ ପୂର୍ବତୋର ରାଜ୍ୟ ତ୍ରିପୁରା, ମିଜୋରାମ ଓ ଆସାମର। ଏହି ସବୁ ପିଲାଙ୍କୁ ଚାଇଲ୍ଡ କେୟାର ହେଲ୍ପଲାଇନ୍ର ଟିମ୍ ଓ ପୋଲିସ୍ର ଗୁପ୍ତ ସୂଚନା ଆଧାରରେ ଗତ ମଙ୍ଗଳବାର ମୁକ୍ତ କରାଯାଇଥିଲା। ଏହି ସବୁ ପିଲାଙ୍କୁ ସେମାନଙ୍କର ବିବଶ ପିତା-ମାତା ଏହି ଭରସା ଏବଂ ଆଶା ସହିତ ଆଶ୍ରମ ପଠାଇଥିଲେ ଯେ, ପିଲାମାନଙ୍କୁ ଛୋଟ ବେଳୁ ଭଲ ଶିକ୍ଷା ମିଳି ପାରିବ। ମିଜୋରାମର ଜଣେ ୧୦ ବର୍ଷର ଶିଶୁ ଶିବୁ ବିକାଶ ସମିତିରେ ନିଜ ବୟାନରେ କହିଛି ଯେ ମହାରାଜ କରୋନା ଭାଇରସ ଔଷଧ ଦେବା ବାହାନାରେ ଆମକୁ ମଦ ପିଆଇ ଦେଉଥିଲେ। ଏହା ପରେ ମହାରାଜ ଉଲଗ୍ନ ହୋଇ ତଳେ ଶୋଇ ପଡୁଥିଲେ। ସେ ଆମକୁ ଅଶ୍ଳୀଳ ଫିଲ୍ମ ଦେଖାଇ ଆମ ସହିତ ଖରାପ କାର୍ଯ୍ୟ କରୁଥିଲ। ଡାକ୍ତରୀ ପରୀକ୍ଷା ପରେ ଚାରି ପିଲା ଯୌନଶୋଷଣର ଶିକାର ହୋଇଥିବା ଜଣା ପଡିଛି।
୧୨ ବର୍ଷ ପୂର୍ବେ ସ୍ଥାପନା କରିଥିଲା ଆଶ୍ରମ
ମୁଜଫରନଗରର ଏସଏସପି ଅଭିଷେକ ଯାଦବ କହିଛନ୍ତି, ମହାରାଜ ସିସୋଲି ଗାଁର ବାସିନ୍ଦା। ସେ ୧୨ ବର୍ଷ ପୂର୍ବେ ଆଶ୍ରମର ସ୍ଥାପନା କରିଥିଲା। ଅପରାଧରେ ତାର କୌଣସି ପୁରୁଣା ରେକର୍ଡ ନାହିଁ। ସ୍ଥାନୀୟ ଲୋକଙ୍କ ଅନୁଯାୟୀ ମହାରାଜ ପୂର୍ବେ ଚଣ୍ଡିଗଡରେ ଚତ୍ମକାରୀ ବାବା ଭାବେ ନିଜର ଆସ୍ଥା ଜମାଇଥିଲେ। ସେଠାରେ ଦାନରେ ମିଳିଥିବା ଅର୍ଥରେ ସେ ଏଠାରେ ଆଶ୍ରମ ସ୍ଥାପନ କରିଥିଲେ। ଆଶ୍ରମର ଦୁଇ ମହଲା କୋଠା ନିର୍ମାଣ ସମୟରେ ସେ ପିଲାଙ୍କୁ ମଧ୍ୟ କାମରେ ଲଗାଇଥିଲେ।
ଏହି ସବୁ ମଧ୍ୟରେ ମହାରାଜ କହିଛି, ତା ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା ଅଟେ। ଏହା ସ୍ଥାନୀୟ ଲୋକଙ୍କ ଷଡଯନ୍ତ୍ର। ସେମାନଙ୍କ ନଜର ଆଶ୍ରମକୁ ଦାନରେ ମିଳିଥିବା ଜମିର ବଡ ଭାଗ ଉପରେ ରହିଛି। ଆମ ପାଖରେ ସିସିଟିଭି କ୍ୟାମେରା ରହିଛି, ଯାହାକୁ ଆପଣ ଯାଞ୍ଚ କରି ପାରିବେ। ପିଲାମାନେ ଏଠାରେ ବହୁ ବର୍ଷ ଧରି ରହି ଆସୁଛନ୍ତି। ଆଶ୍ରମକୁ ଯେବେ ଦାନରେ ଜମି ମିଳିଛି ତେବେଠୁ କିଛି ଲୋକ ଆମକୁ ହଇରାଣ କରୁଥିବା ମହାରାଜ କହିଛି।