ସ୍ତ୍ରୀକୁ ମାଡ ମାରି ଚେତାଶୂନ୍ୟ କରିଦେଲା ସ୍ୱାମୀ, ମରିଗଲା ଭାବି ନିଜେ ଫ୍ୟାନରେ ଝୁଲି ପଡିଲା

Published By : Prameya-News7 Bureau | March 03, 2021 IST

ଭୁବନେଶ୍ୱର, ୦୩/ ୦୩: ସ୍ତ୍ରୀ ମରିଗଲା ଭାବି ବେକରେ ରଶି ଲଗାଇ ଝୁଲି ପଡିଲା ସ୍ୱାମୀ । ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ପ୍ରଥମେ ସ୍ତ୍ରୀଙ୍କୁ ନିସ୍ତୁକ ପିଟିଥିଲେ ସ୍ୱାମୀ । ଫଳରେ ପତ୍ନୀ ଚେତା ହରାଇ ତଳେ ପଡ଼ିଗଲେ । ମାଡ଼ରେ ସ୍ତ୍ରୀ ମରିଗଲେ ବୋଲି ଭାବି ସ୍ୱାମୀ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ ଆଲୋଡନ ଖେଳାଇ ଦେଇଛି । ।

ମୃତ ବ୍ୟକ୍ତିଙ୍କ ନାମ ପ୍ରଦୀପ୍ତ କୁମାର ପାତ୍ର । ଘର କଟକ ଜିଲ୍ଲା ସାଲେପୁର କେନ୍ଦୁପାଟଣା । ପ୍ରଦୀପ୍ତ ସପରିବାର ରଙ୍ଗମାଟିଆରେ ରହୁଥିଲେ । ସେ ବିଏସ୍‌ଏନ୍‌ଏଲ୍‌ ଅଫିସରେ ଚାକିରି କରୁଥିଲେ । ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ କରାଇ ପୁଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପୋଲିସର କହିବାନୁସାରେ, ସୋମବାର ରାତିରେ ପ୍ରଦୀପ୍ତ ଓ ସ୍ତ୍ରୀ ମାନସୀ ପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଉତ୍‌କ୍ଷିପ୍ତ ହୋଇ ପ୍ରଦୀପ୍ତ ମାନସୀଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏପରିକି ଏକ ଶିଳପୁଆରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ଫଳରେ ମାନସୀ ଚେତା ହରାଇ ତଳେ ପଡ଼ି ଯାଇଥିଲେ । ତେବେ ମାନସୀ ମରି ଯାଇଥିବା ଭାବି ଭୟ ଓ ଅନୁତାପରେ ପ୍ରଦୀପ୍ତ ଏକ ଶାଢ଼ିକୁ ବେକରେ ଗୁଡ଼ାଇ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ । ମାନସୀଙ୍କ ଚେତା ଫେରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଦେଖି ଚିତ୍କାର କରିବା ସହ ସେ ମଧ୍ୟ ଅତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲେ । ପାଟି ଶୁଣି ସାହିପଡ଼ିଶା ଲୋକମାନେ ଆସି କବାଟ ଭାଙ୍ଗି ମାନସୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ ।

ଗ୍ରାମବାସୀଙ୍କ ଠାରୁ ଖବରପାଇ  ମଞ୍ଚେଶ୍ୱର ଥାନା ପୋଲିସ ମଙ୍ଗଳବାର ସକାଳେ ରଙ୍ଗମାଟିଆରେ ପହଞ୍ଚି ପ୍ରଦୀପ୍ତଙ୍କ ମୃତଦେହ ଜବତ କରିବା ସହ ପଞ୍ଚନାମା କରିଥିଲା । ମାନସୀଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ପରକୀୟା ପ୍ରୀତିକୁ ନେଇ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ରଙ୍ଗମାଟିଆରେ ଚର୍ଚ୍ଚା ଚାଲିଥିବା ବେଳେ ପୋଲିସ କିନ୍ତୁ ଏହାକୁ ଖଣ୍ଡନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.