ଆର୍ଯ୍ୟ ସମାଜର ଅଗ୍ରଣୀ ନେତା ସ୍ବାମୀ ଅଗ୍ନିବେଶଙ୍କ ୮୦ବର୍ଷ ବୟସରେ ପରଲୋକ
11/09/2020 at 7:59 PM

ନୂଆଦିଲ୍ଲୀ ୧୧/୯: ସାମାଜିକ କର୍ମୀ ଏବଂ ଆର୍ଯ୍ୟ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ସ୍ବାମୀ ଅଗ୍ନିବେଶଙ୍କ ପରଲୋକ ହୋଇଯାଇଛି। ସେ ଦିଲ୍ଲୀର ଏକ ହସ୍ପିଟାଲରେ ଶୁକ୍ରବାର ସନ୍ଧ୍ୟାରେ ଶେଷ ନିଃଶ୍ବାସ ନେଇଥିଲେ। ସ୍ବାମୀ ଅଗ୍ନିବେଶଙ୍କୁ ସୋମବାର ନୂଆ ଦିଲ୍ଲୀର ଇନଷ୍ଟିଚ୍ୟୁଟ ଅଫ ଲିଭର ଆଣ୍ଡ ବାଇଲରୀ ସାଇନ୍ସେସ(ILBS) ରେ ଭର୍ତ୍ତି କରାଯାଇଥିଲା। (ILBS) ସ୍ବାମୀ ଅଗ୍ନିବେଶଙ୍କ ପରଲୋକ ବିଷୟରେ ଜଣାଇ କହିଥିଲେ,‘ ସ୍ବାମୀ ଅଗ୍ନିବେଶଙ୍କୁ ଶୁକ୍ରବାର ସନ୍ଧ୍ୟା ୬ଟାରେ ହୃଦଘାତ ହୋଇଛି। ତାଙ୍କୁ ବଞ୍ଚାଇବାକୁ ଅନେକ ଉଦ୍ୟମ କରାଯାଇଥିଲା,କିନ୍ତୁ ଏପରି ସମ୍ଭବ ହୋଇପାରିନଥିଲା। ସେ ସନ୍ଧ୍ୟା ୬.୩୦ରେ ଶେଷ ନିଃଶ୍ବାସ ନେଇଥିଲେ।
ଲିଭର ସିରୋସିସରେ ଆକ୍ରାନ୍ତ ଅଗ୍ନିବେଶଙ୍କର ଅନେକ ଅଙ୍ଗ କାମ କରିବା ବନ୍ଦ କରି ଦେଇଥିଲା। ମଙ୍ଗଳବାର ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହସ୍ପିଟାଲର ବରିଷ୍ଠ ଡାକ୍ତରଙ୍କ ଟିମ୍ ତାଙ୍କ ଅବସ୍ଥା ଉପରେ ନଜର ରଖୁଥିଲେ,କିନ୍ତୁ ତାଙ୍କୁ ବଞ୍ଚାଯାଇ ପାରିନଥିଲା।
୧୯୩୯ମସିହା ସେପ୍ଟେମ୍ବର ୨୧ତାରିଖରେ ଜନ୍ମ ହୋଇଥିବା ସ୍ବାମୀ ଅଗ୍ନିବେଶ ସାମାଜିକ ମୁଦ୍ଦାକୁ ନେଇ ନିଜ ଟିପ୍ପଣୀ ପାଇଁ ଜଣା ଯାଉଥିଲେ। ୧୯୭୦ମସିହାରେ ସେ ଆର୍ଯ୍ୟ ସଭା ନାମକ ରାଜନୈତିକ ପାର୍ଟି ଗଢ଼ିଥିଲେ। ୧୯୭୭ମସିହାରେ ସେ ହରିୟାଣା ବିଧାନସଭାରେ ବିଧାୟକ ବଛା ଯାଇଥିଲେ ଏବଂ ହରିୟାଣା ସରକାରରେ ଶିକ୍ଷା ମନ୍ତ୍ରୀ ମଧ୍ୟ ରହିଥିଲେ। ୧୯୮୧ମସିହାରେ ସେ ବନ୍ଧୁଆ ମୁକ୍ତି ମୋର୍ଚ୍ଚା ନାମକ ସଙ୍ଗଠନ ସ୍ଥାପନ କରିଥିଲେ।
ସ୍ବାମୀ ଅଗ୍ନିବେଶ ୨୦୧୧ମସିହାରେ ଅନ୍ନା ହଜାରେଙ୍କ ନେତୃତ୍ବରେ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ମଧ୍ୟ ଭାଗ ନେଇଥିଲେ। ପରେ ମତଭେଦ ଯୋଗୁଁ ଏହି ଆନ୍ଦୋଳନରୁ ଦୂରେଇ ଯାଇଥିଲେ। ସ୍ବାମୀ ଅଗ୍ନିବେଶ ରିୟଲିଟି ଶୋ ବିଗ୍ ବସରେ ମଧ୍ୟ ଭାଗ ନେଇଥିଲେ।