ଆସନ୍ତା ୧୬ରେ ସ୍ବଚ୍ଛ ସର୍ବେକ୍ଷଣ ପରୀକ୍ଷା: ଚଳିତ ବର୍ଷ କଟକ ସହରର ସ୍ଥାନ ତଳକୁ ଖସିଯିବାର ଆଶଙ୍କା
10/01/2019 at 7:13 PM

କଟକ ୧୦/୧ : ଆସନ୍ତା ଜାନୁଆରୀ ୧୬ରେ ହେବ ସ୍ବଚ୍ଛ ସର୍ବେକ୍ଷଣ ପରୀକ୍ଷା । ଗତ ବର୍ଷ ଗୁଡିକ ଅପେକ୍ଷା ଚଳିତ ବର୍ଷ କଟକ ସହରର ସ୍ଥାନ ତଳକୁ ଖସିଯିବ ବୋଲି ଆଶଙ୍କା କରିଛନ୍ତି ବିରୋଧୀ । କାରଣ ବିଭିନ୍ନ ୱାର୍ଡରେ ପଡି ରହିଛି କୁଢ କୁଢ ଅଳିଆ ଆବର୍ଜନା । ନାଁକୁ ମାତ୍ର ସହରର ଡିସଲେଟିଂ କରାଯାଉଛି । ସେପଟେ କିନ୍ତୁ ସିଏମସି କମିଶନରଙ୍କ ସଫେଇ ସହରରେ ସଠିକ୍ ଢଙ୍ଗରେ ସଫେଇ ହେଉଛି । …

କଟକ ସହରର ଯୁଆଡେ ଚାହିଁଲେ ସିଆଡେ କୁଢ କୁଢ ଅଳିଆ ଆବର୍ଜନା । ରାସ୍ତା କଡ ହେଉ ଅବା ଡ୍ରେନ୍ ସବୁଠି ଗଦା ହୋଇଛି ଅଳିଆ । ପ୍ଲାଷ୍ଟିକ ମୁକ୍ତ କଟକ କରିବାକୁ ଆହ୍ବାନ ଦିଆଯାଇଛି । କିନ୍ତୁ ସହରକୁ ଦେଖିଲେ ଲାଗୁଛି ସତେ ଯେମିତି କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛି ସିଏମସି । ତେଣୁ ଆସନ୍ତା ୧୬ରେ ହେବାକୁ ଥିବା ସ୍ବଚ୍ଛ ସର୍ବେକ୍ଷଣ ପରୀକ୍ଷାରେ ଏଥର କଟକର ସ୍ଥାନ ଆହୁରି ତଳକୁ ଖସିଯିବ ବୋଲି ବିରୋଧୀ କର୍ପୋରେଟର କହିଛନ୍ତି ।

ଚଳିତବର୍ଷ ୫ ହଜାର ମାର୍କକୁ ନେଇ ସ୍ବଚ୍ଛ ସର୍ବେକ୍ଷଣ କରାଯିବ । ସେବାସ୍ତରର ପ୍ରଗତି, ସିଧାସଳଖ ଅନୁଧ୍ୟାନ, ଜନତାଙ୍କ ମତାମତ ଓ ଖୋଲାମଳ ମୁକ୍ତ ଅଞ୍ଚଳ ପରି ବିଭିନ୍ନ ବିଭାଗରେ ୧୨୫୦ ଲେଖାଏଁ ମାର୍କ ରହିଛି । କେନ୍ଦ୍ରରୁ ଆସୁଥିବା କାର୍ଭି ଟିମକୁ ସହଯୋଗ କରିବ ସିଏମ୍ସି । ସେପଟେ କିନ୍ତୁ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଏମସି କମିଶନର । କହିଛନ୍ତି ଡ୍ରେନ୍ ଡିସ୍ଲେଟିଂ କାମ ଚାଲୁଛି ଆଉ ସହରର ବିଭିନ୍ନ ପଏଣ୍ଟରୁ ଗାର୍ବେଜ୍ ବା ଅଳିଆ ଆବର୍ଜନା ସଫା ହେଉଛି । ତେଣୁ ପୂର୍ବ ବର୍ଷ ତୁଳନାରେ ଏଥର କଟକ ଭଲ ସ୍ଥାନ ଅଧିକାର କରିବ ବୋଲି ସିଏମସି କମିଶନର ଆଶା ରଖିଛନ୍ତି ।

୨୦୧୬ରେ ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ ପରୀକ୍ଷାରେ ୭୩ଟି ସହର ଭିତରୁ କଟକ ୫୯ ସ୍ଥାନରେ ରହିଥିଲା । ୨୦୧୭ରେ ୫୦୦ ସହର ଭିତରୁ ୨୦୩ ନମ୍ବର ସ୍ଥାନରେ ଥିଲା କଟକ । ଗତ ବର୍ଷ ଅର୍ଥାତ ୨୦୧୮ରେ ସାରା ଦେଶରେ ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣରେ ସିଏମ୍ସି ୪୦୨ତମ ସ୍ଥାନ ଅଧିକାର କରିଥିଲା ।