ଆଜି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଦିବସ

Published By : Prameya-News7 Bureau | August 25, 2018 IST

ଭୁବନେଶ୍ୱର ୨୬/୮ : ଆଜି ଶ୍ରାବଣ ପୂର୍ଣ୍ଣିମା । ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଦିନ ।ସ୍ବଭାବ କବି ଗଙ୍ଗାଧର ମେହେର ୧୮୬୨ ମସିହା ଅଗଷ୍ଟ ୯ତାରିଖ (ଶ୍ରାବଣ ପୂର୍ଣ୍ଣିମା) ରେ ସମ୍ବଲପୁର ଜିଲ୍ଲା ବରପାଲ୍ଲୀର ଏକ ଗରିବ, ତନ୍ତୁବାୟ ଭୁଲିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ ।ବାଲ୍ୟକାଳରେ ଦାରିଦ୍ର୍ୟର କଷାଘାତ ଯୋଗୁଁ ଅଧିକ ଶିକ୍ଷାଲାଭ କରିପାରିନଥିଲେ । ମାତ୍ର ୪ର୍ଥ ଶ୍ରେଣୀ ପଢିବା ପରେ ତାଙ୍କ ପାଠରେ ଡୋରୀ ବନ୍ଧା ହୋଇଥିଲା ।ତେବେ ପରବର୍ତ୍ତୀ ସମୟରେ ତାଙ୍କ ପ୍ରତିଭାଦିପ୍ତ ଓ ପ୍ରଚଣ୍ଡ ସୃଜନଶୀଳ କବିସତ୍ତା ସୃଷ୍ଟି କରିଥିଲା ବହୁ କାଳଜୟୀ କାବ୍ୟ ଓ କବିତା । ତାଙ୍କ ପ୍ରଥମ କାବ୍ୟ ରସରତ୍ନାକର ପ୍ରାଚୀନ କାବ୍ୟ ଶୈଳୀରେ ରଚିତ ହୋଇଥିଲେ ହେଁ ସମ ସାମୟିକ ସାହିତ୍ୟପ୍ରେମୀଙ୍କୁ ଅଭିଭୂତ କରିଥିଲା । ପରବର୍ତ୍ତୀ ସମୟରେ ତାଙ୍କ ରଚନା ଶୈଳୀରେ ଆସିଥିଲା ପରିବର୍ତ୍ତନ । ଆଧୁନିକତାର ଛାପ ବାରି ହୋଇପଡିଥିଲା ପ୍ରତ୍ୟେକ ଲେଖାରେ । ଓଡିଆ ଭାଷା ଯେତେବେଳେ ଜୀଇଁବା ମରିବାର ମହାସଙ୍କଟ ଦେଇ ଗତିକରୁଥିଲା ସେତେବେଳେ ସେ ସୃଷ୍ଟି କରିଥିଲେ ଅହଲ୍ୟାସ୍ତବ, ଇନ୍ଦୁମତୀ, ମହିମା, କିଚକବଧ, କବିତା କଲ୍ଲୋଳ, ଉତ୍କଳଲକ୍ଷ୍ମୀ, ଅଯୋଧ୍ୟା ଦୃଶ୍ୟ, ପ୍ରଣୟ ବଲ୍ଲରୀ, ତପସ୍ବିନୀ, ପଦ୍ମିନୀ, ଅର୍ଘ୍ୟଥାଳୀ, କୃଷକ ସଙ୍ଗୀତ, ଭାରତୀ ଭାବନା, କବିତାମାଳା ଭଳି ଉଚ୍ଚକୋଟୀର କାବ୍ୟଗ୍ରନ୍ଥ । ୧୯୨୪ ମସିହା ଏପ୍ରିଲ ୪ ତାରିଖରେ କବିଙ୍କର ପରଲୋକ ହୋଇଥିଲା । ଜୀବନକାଳ ଭିତରେ ସାହିତ୍ୟ ବ୍ୟତୀତ ସେ ବହୁ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମ ସହ ସଂପୃକ୍ତ ଥିଲେ । ବରପାଲ୍ଲିର ଜମିଦାର ଲାଲ୍ ନୃପରାଜ ସିଂ ଗଙ୍ଗାଧରଙ୍କୁ ବରପାଲ୍ଲିର ଅମିନ ଭାବେ ନିଯୁକ୍ତ କରିଥିଲେ । ପରବର୍ତ୍ତୀ ସମୟରେ ସେ ମୋହରିଅର ପଦବୀକୁ ଉନ୍ନୀତ ହୋଇଥିଲେ । ଚାକିରିକାଳ ମଧ୍ୟରେ ସମ୍ବଲପୁର, ବିଜେପୁର ଆଦି ବିଭିନ୍ନ ସ୍ଥାନରେ ସେ ଅବସ୍ଥାପିତ ହୋଇଥିଲେ । ତନ୍ତୁବାୟ ସମାଜର ଉନ୍ନତି ପାଇଁ ସେ ନିଖିଳ ଓଡିଶା ତନ୍ତୁବାୟ ସମ୍ମିଳନୀର ଆୟୋଜନ ମଧ୍ୟ କରିଥିଲେ । ରଙ୍ଗାଜୀବ ଗଙ୍ଗାଧରଙ୍କ ପ୍ରତ୍ୟେକ କାବ୍ୟ ଓ କବିତାରେ ପ୍ରକୃତି ବର୍ଣ୍ଣନା ଉତ୍କର୍ଷ ଲାଭ କରିଥିଲା । ରାଧାନାଥଙ୍କ ଭଳି ଯୁଗପତ୍ ସାହିତ୍ୟିକମାନେ ତାଙ୍କ କାବ୍ୟ ପ୍ରତିଭାର ପ୍ରଶଂସାରେ ଥିଲେ ଶତମୁଖର । ତାଙ୍କୁ ସ୍ବଭାବ କବି ବୋଲି ମଧ୍ୟ ଉପାଧି ପ୍ରଦାନ କରାଯାଇଥିଲା । ମେହେର ସହିତ୍ୟର ବିଶ୍ଳେଷଣ କରି ପରବର୍ତ୍ତୀ ପୀଢିର ଆଧୁନିକ କବି ଡକ୍ଟର ମାୟାଧର ମାନସିଂହ କହିଛନ୍ତି ଗଙ୍ଗାଧର ଥିଲେ ପଦ-ପଦ୍ମ-ବିଶ-ଜୀବୀ-ରାଜହଂସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.