କରୋନା ପରୀକ୍ଷା ପାଇଁ ମହିଳାଙ୍କ ଯୌନାଙ୍ଗରୁ ସ୍ବାବ ସଂଗ୍ରହ କଲେ ଲ୍ୟାବ ଟେକ୍ନିସିଆନ

Published By : Prameya-News7 Bureau | July 31, 2020 IST

ମହାରାଷ୍ଟ୍ର ୩୧।୭ : କରୋନା ପରୀକ୍ଷା ପାଇଁ ଜଣେ ମହିଳାଙ୍କ ଯୌନାଙ୍ଗରୁ ସ୍ବାବ ନମୁନା ସଂଗ୍ରହ କରି ଗିରଫ ହୋଇଛି ଲାବୋରେଟୋରୀ ଟେକ୍ନିସିଆନ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଅମ୍ରାବତୀ ଜିଲ୍ଲାରେ। କରୋନା ଭାଇରସ ସଂକ୍ରମଣର ଯାଞ୍ଚ ପାଇଁ ଆସିଥିବା ଜଣେ ମହିଳାଙ୍କ ଯୌନାଙ୍ଗରୁ ସ୍ବାବ ନମୁନା ନେବା ମାମଲା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ସମୟରେ, ଅମ୍ରାବତୀ ପୋଲିସ ଦୁଷ୍କର୍ମ ଅଭିଯୋଗରେ ସ୍ବାବର ନମୁନା ନେଇଥିବା ଜଣେ ଲ୍ୟାବ ଟେକ୍ନିସିଆନଙ୍କୁ ଗିରଫ କରିଛି। ଗୁରୁବାର ପୋଲିସ ଏହି ସୂଚନା ଦେଇଛି।

ବଦନେରା ପୋଲିସ ଷ୍ଟେସନର ପୋଲିସ ଇନ୍ସପେକ୍ଟର ପଞ୍ଜାବ ଭଞ୍ଜରୀଙ୍କ କହିବାନୁସାରେ, ଅଭିଯୋଗକାରୀ ମହିଳା ଅମରାବତୀର ଏକ ମଲରେ କାମ କରନ୍ତି। ସେଠାରେ ଥିବା ଜଣେ କର୍ମଚାରୀ ଜୁଲାଇ ୨୪ରେ କରୋନା ସଂକ୍ରମିତ ହେବା ପରେ ସତର୍କତା ଅବଲମ୍ବନ କରି ଜୁଲାଇ ୨୮ ତାରିଖରେ, ଅଭିଯୋଗକାରୀଙ୍କ ସମେତ ୨୦ରୁ ୨୫ ଅନ୍ୟ କର୍ମଚାରୀମାନେ ସରକାରୀ ଲ୍ୟାବରେ ପରୀକ୍ଷା କରାଯାଇଥିଲା। ଅଭିଯୋଗକାରୀ ସମେତ ଅନ୍ୟ କର୍ମଚାରୀଙ୍କ ନାକରୁ ସ୍ବାବ ନେବା ପରେ ସମାନଙ୍କୁ ମଙ୍ଗଳବାର ଜିଲ୍ଲା ଅନୁସନ୍ଧାନ କେନ୍ଦ୍ରକୁ ନିଆଯାଇଥିଲା। ସେ କହିଛନ୍ତି ଯେ ମହିଳାଙ୍କ ନାକରୁ ସ୍ବାବ ନମୁନା ନେବା ପରେ ଲ୍ୟାବ ଟେକ୍ନିସିଆନ ଅଲପେଶ ଦେଶମୁଖ ତାଙ୍କୁ କହିଛନ୍ତି ଯେ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି।

ତେଣୁ ସଠିକ୍‌ ପରୀକ୍ଷା ଫଳାଫଳ ପାଇଁ ଗୁପ୍ତାଙ୍ଗରୁ ସ୍ୱାବ ନେବା ଜରୁରୀ ଅଟେ। ଏହା କହି ସେ ତାଙ୍କ ଗୁପ୍ତାଙ୍ଗରୁ ସ୍ୱାବ ନମୁନା ସଂଗ୍ରହ କରିଥିଲେ। ଏହା ପରେ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଜିଲ୍ଲା ମାଜିଷ୍ଟ୍ରେଟ ଶୈଲେଶ ନାଭାଲ କହିଛନ୍ତି ଯେ ମଙ୍ଗଳବାର ରାତିରେ ଆଇପିସିର ଧାରା  ୩୫୪ ଏବଂ ୩୭୬ (ଦୁଷ୍କର୍ମ)  ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତି ଠାକୁର ଏବଂ ସାଂସଦ ନବନୀତ୍ କୌର ରାଣା ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏଥି ସହ ଟେକ୍ନିସିଆନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.