'ଏ ପର୍ଯ୍ୟନ୍ତ ନନ୍ଦିଗ୍ରାମ ପରାଜୟ ସ୍ଵୀକାର କରି ପାରି ନାହାନ୍ତି ମମତା, ବିରୋଧୀ ଦଳ ନେତା ହୋଇଥିବା ସତ୍ତ୍ଵେ ମୋତେ ପରେଡ୍‌ରେ ଆମନ୍ତ୍ରିତ କରାଗଲାନି'

Published By : Prameya-News7 Bureau | January 26, 2022 IST

କୋଲକାତା ୨୬।୦୧: ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କଲେ ପଶ୍ଚିମବଙ୍ଗରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ବୁଧବାର ଅଧିକାରୀ କହିଛନ୍ତି, ପଶ୍ଚିମବଙ୍ଗ ସରକାର ବିରୋଧୀ ଦଳର ନେତା ହୋଇଥିବା ସତ୍ତ୍ଵେ  ଗଣତନ୍ତ୍ର ଦିବସ ପରେଡ୍‌ରେ ତାଙ୍କୁ ଆମନ୍ତ୍ରିତ କରିନାହାନ୍ତି। ଏହାର କାରଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମସି ଏ ପର୍ଯ୍ୟନ୍ତ ନନ୍ଦିଗ୍ରାମ ପରାଜୟକୁ ସ୍ଵୀକାର କରି ପାରି ନାହାନ୍ତି।

ଏକ କାର୍ଯ୍ୟକ୍ରମ ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଅଧିକାରୀ କହିଛନ୍ତି, ମମତା ବାନାର୍ଜୀ ରେଡ୍ ରୋଡ୍ ପରେଡ୍‌ ପାଇଁ ଆମନ୍ତ୍ରିତ ଲୋକଙ୍କ ତାଲିକାରୁ ମୋ ନାମ ହଟାଇ  ବିଧାନସଭା ନିର୍ବାଚନରେ ନିଜର ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିଛନ୍ତି। ସେ ପର୍ଯ୍ୟନ୍ତ ମୋ ବିରୋଧୀରେ ନିଜର ପରାଜୟକୁ ସ୍ଵୀକାର କରି ପାରି ନାହାନ୍ତି। କ୍ୟାନ୍ସର ରୋଗର ଚିକିତ୍ସା ହୋଇ ପାରିବ ମାତ୍ର ପ୍ରତିଶୋଧପରାୟଣ ମାନସିକତା ଏବଂ ଅହଙ୍କାରର କେବେ ହୋଇ ପାରିବ ନାହିଁ। ମୁଖ୍ୟମନ୍ତ୍ରୀ ଭୁଲି ଯାଇଛନ୍ତି ଯେ, ବିରୋଧୀ ଦଳର ନେତାଙ୍କୁ ଆମନ୍ତ୍ରିତ ନକରିବା ପ୍ରୋଟୋକଲ ବିରୋଧୀ। ଅଧିକାରୀ କହିଛନ୍ତି, ଗତ ବର୍ଷ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ  ତତ୍କାଳୀନ ବିରୋଧୀ ଦଳର ନେତା ଅବଦୁଲ ମନ୍ନାନଙ୍କୁ ଗଣତନ୍ତ୍ର ଦିବସ ପରେଡ୍‌ରେ ଆମନ୍ତ୍ରିତ କରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.