ପଦ୍ମ ଧରିଲେ ଶୁଭେନ୍ଦୁ : ୯ ବିଧାୟକଙ୍କ ସହ ଜଣେ ସାଂସଦ ଟିଏମସି ଛାଡି ବିଜେପିରେ ସାମିଲ, ଶାହାଙ୍କ ସହ ରାଲିରେ ବୁଲିଲେ

Published By : Prameya-News7 Bureau | December 19, 2020 IST

କୋଲକାତା ୧୯/୧୨ : ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ ଶୁଭେନ୍ଦୁ ଅଧିକାରୀ । ପଶ୍ଚିମବଙ୍ଗର ପ୍ରଭାବଶାଳୀ ନେତା କୁହାଯାଉଥିବା ଶୁଭେନ୍ଦୁ ଅଧିକାରୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । କିଛି ଦିନ ପୂର୍ବରୁ ତୃଣମୂଳ କଂଗ୍ରେସରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀ ନାଟକୀୟ ଢଙ୍ଗରେ ମନ୍ତ୍ରୀ ପଦ ସହ ଦଳରୁ ମଧ୍ୟ ଇସ୍ତଫା ଦେଇଥିଲେ । ସେତେବେଳେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ବିଧିବଦ୍ଧ ଭାବେ ଶାହାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି ।

ବିଜେପିରେ ସାମିଲ ହେବା ପରେ ମେଦିନିପୁରରେ ରାଲିକୁ ସମ୍ବୋଧିତ କରି ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛି । ତେବେ ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହେବା ପରେ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶକ୍ତ ଝଟକା ଲାଗିଛି । କାରଣ ପଶ୍ଚିମବଙ୍ଗରେ ପ୍ରାୟ ୨୦ ରୁ ୨୫ଟି ବିଧାନସଭା କ୍ଷେତ୍ରରେ ଶୁଭେନ୍ଦୁ ଅଧିକାରୀଙ୍କର ଦବଦବା ରହିଛି । ନଭେମ୍ବର ୧୭ରେ ସେ ଟିଏମସିରୁ ଇସ୍ତଫା ଦେଇଥିଲେ ।

ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହେବା ପ​‌ରେ ଅମିତ ଶାହା କହିଛନ୍ତି ସବୁ ଦଳରୁ ଭଲ ଲୋକମାନେ ବିଜେପିରେ ସାମିଲ ହୋଇଯାଇଛନ୍ତି । ଜଣେ ସାଂସଦ, ୯ ଜଣ ବିଧାୟକଙ୍କ ସମେତ ଅନେକ ତେନା ବିଜେପିରେ ସାମିଲ ହୋଇଛନ୍ତି । ମମତା ବାନାର୍ଜୀଙ୍କୁ ଟର୍ଗେଟ୍ କରି ଶାହା କହିଛନ୍ତି ‘ଇଏ ତ ଆରମ୍ଭ ମାତ୍ର, ନିର୍ବାଚନ ସମୟରେ ମମତା ଦିଦି ଆପଣ ଏକା ହିଁ ରହିଯିବେ’ । ଶାହା କହିଛନ୍ତି ଶୁଭେନ୍ଦୁଙ୍କ ନେତୃତ୍ବରେ ଅନେକ ତୃଣମୂଳ କଂଗ୍ରେସ ନେତା, କଂଗ୍ରେସ ନେତା, ସିପିଏମ ଦଳର କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.