ସରପଞ୍ଚଙ୍କ ସ୍ବାମୀଙ୍କ ଗେଷ୍ଟହାଉସ୍‌ରେ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା... ଖେଳିଛି ଚାଞ୍ଚଲ୍ୟ

Published By : Prameya-News7 Bureau | October 17, 2019 IST

ଯାଜପୁର ୧୭|୧୦: ଜଣେ ମହିଳା ସରକାରୀ କର୍ମଚାରୀ କାର୍ଯ୍ୟରତ ଥିବା ସମୟରେ ମୃତ୍ୟୁ ବରଣ କରିବା ଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ହରିଦାସପୁର ପଞ୍ଚାୟତରେ କାର୍ଯ୍ୟରତ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।  

{"id":170974}

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ମହିଳା ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ବାଳ ଗତକାଲି ହିତାଧିକାରୀଙ୍କୁ ମାସିକ ଭତ୍ତା ବଣ୍ଟନ କରିବାକୁ ଯାଇଥିଲେ । ସେ ହରିଦାସପୁର ପଞ୍ଚାୟତ କାର୍ଯ୍ୟାଳୟକୁ ପୂର୍ବାହ୍ନରେ ପ୍ରାୟ ୧୧ଟା ବେଳେ ବ୍ଲକ୍ କାର୍ଯ୍ୟାଳୟରୁ ବାହାରି ହରିଦାସପୁର ଯାଇଥିଲେ । ସେଠାରୁ ସରପଞ୍ଚ ମଧୁସ୍ମିତା ଭଦ୍ର ଓ ସ୍ମିତା ଉଭୟ ସରପଞ୍ଚଙ୍କ କାରରେ ଭତ୍ତା ବାଣ୍ଟିବା ନିମନ୍ତେ ଶୁଭଦ୍ରାପୁର ଓ ଚାରିବାଟିଆ ଗ୍ରାମକୁ ଯାଇଥିଲେ । ଭତ୍ତା ଟଙ୍କା ବଣ୍ଟନ ପରେ ପ୍ରାୟ ୧ଟା ୫୦ ମିନିଟରେ ବାପା ସଦାନନ୍ଦଙ୍କୁ ଫୋନ୍ କରି ଘରେ ଥିବା ୪ ବର୍ଷର ଝିଅକୁ ଖାଇବାକୁ ଦେଇ ନିଜେ ଖାଇଦେବା ଓ ୩ଟା ବେଳେ ଘରେ ପହଞ୍ଚିବେ ବୋଲି ସ୍ମିତା କହିଥିଲେ । ପରେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧ କି.ମି. ଦୂରରେ ସ୍କୁଲ ନିକଟରେ ଥିବା ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସକୁ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ ।

{"id":170984}

ରୂପେଶ ଜଣେ ଠିକାଦାର । ତାଙ୍କର ଏକ ଗେଷ୍ଟ ହାଉସ ପଞ୍ଚାୟତ କାର୍ଯ୍ୟାଳୟଠାରୁ ପ୍ରାୟ ୧ କି.ମି. ଦୂରରେ ରହିଛି । ଗେଷ୍ଟ ହାଉସର ତଳ ମହଲାରେ ରୂପେଶ ଓ ଅନ୍ୟ ସାଥୀମାନେ ଥିବାବେଳେ ସେ ଧୁଆଧୋଇ ନିମନ୍ତେ ଉପର ମହଲାରେ ବେଡ୍ ରୁମ୍ ମଧ୍ୟରେ ଥିବା ଗାଧୁଆ ଘରକୁ ଯାଇଥିଲେ । ମାତ୍ର ବହୁ ସମୟ ଧରି ନଆସିବାରୁ ଉପର ମହଲାକୁ ଯାଇ ସ୍ମିତାଙ୍କୁ ଗେଷ୍ଟ ହାଉସ ବନ୍ଦ କୋଠରୀରୁ କବାଟ ଭାଙ୍ଗି ରୂପେଶ ଓ ଅନ୍ୟମାନେ ଉଦ୍ଧାର କରିଥିଲେ । ଫ୍ୟାନ୍ ରେ ଓଢଣୀରେ ଝୁଲନ୍ତା ମୃତଦେହ ଉଦ୍ଧାର କରି ଧର୍ମଶାଳା ମେଡିକାଲ ଆଣିଥିଲେ । ପରେ ଝିଅର ପିତା ସଦାନନ୍ଦ ବିଶ୍ବାଳଙ୍କୁ ଫୋନ୍ ଯୋଗେ ମେଡିକାଲ ଆସିବାକୁ ଜଣାଇଥିଲେ । ଖବର ଜଣାପଡିବା ପରେ ମେଡିକାଲ ପରିସରରେ ବ୍ଲକ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବିଜେଡି ଦଳର ନେତା ଓ କର୍ମୀ, ପଞ୍ଚାୟତର ଲୋକ ଓ ସ୍ଥାନୀୟ ଲୋକଙ୍କ ଗହଳି ଲାଗିଥିଲା ।

{"id":170975}

ଥାନା ଅଧିକାରୀ ସରୋଜ କୁମାର ସାହୁ ପହଞ୍ଚି ଉଭୟ ରୂପେଶ ଓ ସଦାନନ୍ଦଙ୍କୁ ଧର୍ମଶାଳା ଥାନାକୁ ନେଇ ପଚରାଉଚରା କରିଥିଲେ । ସଦାନନ୍ଦ ଥାନାରେ ଝିଅ ମୃତ୍ୟୁ ସମ୍ପର୍କରେ ଏତଲା ଦେଇଥିଲେ । ପରେ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲାଙ୍କ ଉପସ୍ଥିତରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଏସଡିପିଓ କେଦାରନାଥ ସାହୁ ମେଡିକାଲ ଆସିବା ସହିତ ହରିଦାସପୁର ଘଟଣା ସ୍ଥଳକୁ ମଧ୍ୟ ଯାଇଥିଲେ ।

{"id":170976}

ଖବର ପାଇ ମହିଳାଙ୍କ ଶ୍ବଶୁରଘର ଲୋକ ଓ ସ୍ବାମୀ ଇଂ ସୁଶୀଲ ବିଶ୍ବାଳ ମେଡିକାଲରେ ପହଞ୍ଚିଥିଲେ । ଝିଅର ମୃତ୍ୟୁର କାରଣ ସମ୍ପର୍କରେ ସେ ଜାଣିନଥିବା ଓ ଆତ୍ମହତ୍ୟା କରିଥିବା ସହ ଏହାର ତଦନ୍ତ ନିମନ୍ତେ ତାଙ୍କ ପିତା ସଦାନନ୍ଦ ଥାନାରେ ଏତଲା ଦେଇଥିବା ଗଣମାଧ୍ୟମକୁ ବୟାନ ଦେଇଛନ୍ତି । ବିଡିଓ ହେମନ୍ତ କୁମାର ସ୍ବାଇଁ ମଧ୍ୟ ଖବର ପାଇ ମେଡିକାଲରେ ପହଞ୍ଚିଥିବା ଓ ସ୍ମିତା ଡ୍ୟୁଟିରେ ଥିବାବେଳେ ଏଭଳି ମୃତ୍ୟୁ ଘଟିଥିବା କହିଛନ୍ତି । ମାତ୍ର ଏହି ମୃତ୍ୟୁକୁ ନେଇ ସରପଞ୍ଚଙ୍କ ସ୍ୱାମୀ ଓ ସ୍ମିତା ମଧ୍ୟରେ କୌଣସି ଅଘଟଣରୁ ଘଟିଥାଇ ପାରେ ବୋଲି ଚର୍ଚ୍ଚା ହେଉଛି ।

{"id":170977}

ସ୍ମିତା ୨୦୧୨ରେ ଗଡମଧୁପୁର ପଞ୍ଚାୟତ ଭୁବନପୁର ଗ୍ରାମର ସୁଶୀଲ କୁମାର ବିଶ୍ୱାଳଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ୪ ବର୍ଷର ଝିଅ ଅଛି । ସେ ବିଞ୍ଝାରପୁର ବ୍ଲକର ମଇଦା ପଞ୍ଚାୟତରୁ ଜିଆରଏସ ଭାବରେ ଚାକିରୀ ଆରମ୍ଭ କରିଥିବା ବେଳେ ପଦୋନ୍ନତି ପାଇ ଧର୍ମଶାଳା ବ୍ଲକରେ ଗତ ୪ ବର୍ଷ ହେବ ପିଇଓ ଭାବରେ କାର୍ଯ୍ୟ କରୁଥିଲେ । ସେ ବ୍ଲକ୍ କ୍ବାର୍ଟରରେ ବାପା ଓ ନିଜ ଝିଅଙ୍କ ସହ ରହୁଥିଲେ । ସ୍ୱାମୀ ତାଳଚେରରେ ଚାକିରୀ କରିଛନ୍ତି । ସରକାରୀ କାର୍ଯ୍ୟରେ ଥାଇ କାହିଁକି ଆତ୍ମହତ୍ୟା କଲେ ? ସରପଞ୍ଚଙ୍କ ସହ ଭତ୍ତା ବାଣ୍ଟି ସାରି ଫେରିବା ପରେ ହଠାତ୍ ଆତ୍ମହତ୍ୟା କରିବା ପାଇଁ କାହିଁକି ଚିନ୍ତା କଲେ ?  ଏଭଳି ଅନେକ ପ୍ରଶ୍ନ ଏବେ ସନ୍ଦେହ ସୃଷ୍ଟି କରୁଛି ।

{"id":170978}

ତେବେ ସ୍ମିତାଙ୍କ ମୋବାଇଲ ଓ ପାରିପାର୍ଶିକ ଅବସ୍ଥାକୁ ଆଧାର କରି ପୋଲିସ ତଦନ୍ତ କଲେ ହୁଏତ କିଛି ସୁରାକ ପାଇପାରେ ବୋଲି ଆଶଙ୍କା କରାଯାଉଛି । ଏନେଇ ଧର୍ମଶାଳା ପୋଲିସ ୧୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ଲାଗି ବଡଚଣା ପଠାଇ ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.