ବହୁମତ ସାବ୍ୟସ୍ତ କରିବେ କମଲନାଥ ସରକାର : ଭୋପାଳରେ ପହଞ୍ଚିଲେ ଅଜ୍ଞାତବାସରେ ଥିବା କଂଗ୍ରେସର ୮୬ ବିଧାୟକ, ମୁଖ୍ୟମନ୍ତ୍ରୀ କହିଲେ All is Well

Published By : Prameya-News7 Bureau | March 16, 2020 IST

ଭୋପାଳ ୧୬।୦୩: ମଧ୍ୟପ୍ରଦେଶ ବିଧାନସଭାରେ ସୋମବାର ଦିନ (ଆଜି) କମଲନାଥ ସରକାର ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ  ।  ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି  ।  କଂଗ୍ରେସ ନିଜର ବିଧାୟକଙ୍କୁ ଜୟପୁରରୁ ଭୋପାଳକୁ ଫେରାଇ ଆଣିଛି। କଂଗ୍ରେସ ବିଧାୟକଙ୍କୁ ଜୟପୁରର ଏକ ରିସୋର୍ଟରେ ରଖାଯାଇଥିଲା। ସୋମବାର ଦିନ   କମଲନାଥ ସରକାର ବିଧାନସଭାରେ ଶକ୍ତି ପରୀକ୍ଷା ଦେବାକୁ ରାଜ୍ୟପାଳ ଲାଲାଜୀ ଟଣ୍ଡନ ନିର୍ଦ୍ଦେଶ ଦେଇଛନ୍ତି  । ତେବେ ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତି ରାଜ୍ୟପାଳଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ନେଇ କିଛି ବି ସ୍ପଷ୍ଟ କରିନାହାନ୍ତି।  ତେଣୁ ଶକ୍ତି ପରୀକ୍ଷା ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି।  ମୁଖ୍ୟମନ୍ତ୍ରୀ କମଲ ନାଥ  କ୍ୟାବିନେଟ୍  ବୈଠକ ପରେ କହିଛନ୍ତି ଅଲ ଇଜି ୱେଲ  ।

ତେବେ ଆଜି  ଗୃହରେ କମଳନାଥ ସରକାର  ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ କି ନାହିଁ ତାହା କିଛି ମସୟ ପରେ  ସ୍ପଷ୍ଟ ହେବ । ବାଚସ୍ପତିଙ୍କ ଭୂମିକାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।  ସମସ୍ତଙ୍କ ନଜର ଏବେ ବାଚସ୍ପତିଙ୍କ ଉପରେ ରହିଛି। ବାଚସ୍ପତି ରାଜ୍ୟପାଳଙ୍କ ଏଭଳି ନିର୍ଦ୍ଦେଶ ମାନିବାକୁ ବାଧ୍ୟ ନୁହନ୍ତି ବୋଲି ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନେ କହିଛନ୍ତି।    ଗତ ସପ୍ତାହରେ ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ୧୫ ମାସର କମଲ ନାଥ ସରକାର ସଂକଟରେ ପଡ଼ିଯାଇଛନ୍ତି।  ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ  ଯୋଗ ଦେବା ପରେ ତାଙ୍କ ସମର୍ଥକ ବିଧାୟକ ଏବଂ ମନ୍ତ୍ରିମଣ୍ଡଳର ୬ ଜଣ ସଦସ୍ୟ ଇସ୍ତଫା ଦେଇଥିଲେ।  

ସେପଟେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ବାସଭବନରେ ମଧ୍ୟପ୍ରଦେଶ ରାଜନୀତିର ଆଲୋଚନା।  ବୈଠକରେ ଶିବରାଜ ସିଂ ଚୌହାନ, ଧର୍ମେନ୍ଦ୍ର ପ୍ରଧାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଯୋଗ ଦେଇଥିଲେ।  ପରେ ସେମାନେ ସଲିସିଟର ଜେନେରାଲ ତୁଷାର ମହେଟ୍ଟାଙ୍କୁ ଭେଟିଥିଲେ। ଗୁରୁଗ୍ରାମ ଆଇଟିସି ଗ୍ରାଣ୍ଡ ହୋଟେଲରେ ଡେରା ପକାଇଥିବା ବିଜେପି ବିଧାୟକଙ୍କୁ ମଧ୍ୟ ଶିବରାଜ ଭେଟିଛନ୍ତି । ସେପଟେ ବେଙ୍ଗାଲୁରୁରେ ରହିଥିବା ମଧ୍ୟପ୍ରଦେଶ କଂଗ୍ରେସର ୨୧ ବିଧାୟକଙ୍କୁ  ପ୍ରେଷ୍ଟିଜ ଗଲ୍ପସାୟାର କ୍ଲବରୁ ୟେଲାହାଙ୍କାସ୍ଥିତ ରମାଡା ହୋଟେଲକୁ ସ୍ଥାନାନ୍ତର କରାଯାଇଛି। ଏବେ ଗୃହରେ କଂଗ୍ରେସର ୧୦୮ ବିଧାୟକ ଥିବା ବେଳେ ବାକି ୭ ଜଣ ସହଯୋଗୀ ଦଳର ସମର୍ଥନ ରହିଛି।  ଯଦି ବିଦ୍ରୋହ କରିଥିବା କଂଗ୍ରେସର ୨୨ ଜଣ ବିଧାୟକଙ୍କ ଇସ୍ତଫାକୁ ଗ୍ରହଣ କରାଯାଏ ତେବେ କଂଗ୍ରସର ସଂଖ୍ୟା ନୂଆ ମ୍ୟାଜିକ ନମ୍ବର ୧୦୪ ତଳକୁ ଖସିଯିବ।  ସେପଟେ ୧୦୭ ଜଣ ବିଧାୟକଙ୍କ ସହିତ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.