ସ୍ତ୍ରୀର ଚରିତ୍ରକୁ ସଂଦେହ କରି ୩ ପଡୋଶୀଙ୍କୁ କରେଣ୍ଟ ଲଗାଇ ମାରିଦେଲା ପ୍ରତିଶୋଧ ପରାୟଣ ସ୍ବାମୀ
18/07/2019 at 8:29 PM

କୋଲକତା୧୮|୭: କୋଲକତା ଦକ୍ଷିଣ ପ୍ରଗଣା-୨୪ ଜିଲ୍ଲାର ମହେଶତଲ୍ଲା ଥାନା ଅର୍ନ୍ତଗତ ଭୋଗନୂଆପଡ଼ା ଅଞ୍ଚଳରେ ସ୍ତ୍ରୀ ଚରିତ୍ରକୁ ସନ୍ଦେହକରି ତିନିଜଣ ପଡ଼ୋଶୀଙ୍କୁ ନିର୍ମମଭାବେ ହତ୍ୟା କରିଛି ଜଣେ ସ୍ବାମୀ। ପଡ଼ୋଶୀଙ୍କୁ ହତ୍ୟା କରିବା ପାଇଁ ବ୍ୟକ୍ତି ଜଣଙ୍କ ରଚିଥିଲେ ଏକ ସାଂଘାତିକ ଷଡ଼ଯନ୍ତ୍ର। ପଡ଼ୋଶୀଙ୍କ ଘର ସାମ୍ନାରେ ବିଦ୍ୟୁତ ତାରକୁ ଖୋଲି ବିଛାଇଦେଇଥିଲେ। ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତିନିଜଣ ପଡ଼ୋଶୀଙ୍କ ମୃତ୍ୟୁ ହୋଇଛି।
ମୃତ ବ୍ୟକ୍ତି ହେଲେ ଶେଖ ଜକିର ହୁସେନ, ସୁଲତାନ ଶେଖ ଓ ରେହେମାନ । ବିଦ୍ୟୁତ ତାର ଆଘାତରେ ଆଉ ୬ ଜଣ ଗୁରୁତ ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଅଭିଯୁକ୍ତ ରବିଉଲ ମିସ୍ତ୍ରୀକୁ ସ୍ଥାନୀୟ ଲୋକେ ଧରି ନିର୍ଘାତ ମାଡ଼ ମାରିଛନ୍ତି। ସେ ବର୍ତ୍ତମାନ ବିଦ୍ୟାସାଗର ଷ୍ଟେଟ ହସ୍ପିଟାଲରେ ଚିକିତ୍ସିତ ହେଉଛି । ଡାକ୍ତରଙ୍କ କହିବାନୁଯାୟୀ, ତାର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ଅଭିଯୁକ୍ତ ରବିଉଲ ରାଜ ମିସ୍ତ୍ରୀ ଭାବେ କାମ କରେ।
ଅଭିଯୁକ୍ତ ରବିଉଲ ମିସ୍ତ୍ରୀର ପ୍ରକୃତ ଘର ମୁର୍ଶିବାଦ ଜିଲ୍ଲାରେ । କିନ୍ତୁ ସ୍ତ୍ରୀ ସହ ସେ ମହେଶତଲ୍ଲାର ଭୋଗନୂଆପଡ଼ା ୨୧ନମ୍ବର ଓ୍ବାର୍ଡ଼ରେ ରହୁଥିଲା। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରିବା ସହ ଏ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବରାବର କଳି ହେଉଥିଲା। ସ୍ତ୍ରୀ ଫରିଦାଙ୍କ ଚରିତ୍ରକୁ ସନ୍ଦେହକରି ସ୍ବାମୀ ରବିଉଲ ତାଙ୍କୁ ମାଡ଼ ମଧ୍ୟ ମାରୁଥିଲା।
ଏହିକଥା ସ୍ଥାନୀୟ ଲୋକ ଜାଣିବା ପରେ ଅଭିଯୁକ୍ତ ରବିଉଲକୁ ବୁଝାସୁଝା ମଧ୍ୟ କରିଥିଲେ। ଫରିଦା କାହା ସହିତ ଅବୈଧ ସଂପର୍କ ରଖୁଛି ବୋଲି ରବିଉଲ ପ୍ରତ୍ୟେକ ଦିନ ସନ୍ଦେହ କରୁଥିଲା। ରବିବାର ଦିନ ରବିଉଲଙ୍କ ସ୍ତ୍ରୀ କାମରେ କୁଆଡ଼େ ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ନାଁରେ ବିଭିନ୍ନ ଗୁଜବ ଉଠାଇଥିଲେ।
ସ୍ଥାନୀୟ ଯୁବକ ଶେଖ ରୋହିତ ସହ ତା ସ୍ତ୍ରୀ ପଳେଇଛି ବୋଲି ଲୋକେ କଥା ହୋଇଥିଲେ। ଏହି କଥା ଶୁଣିବା ପରେ ବରିଉଲ ରାଗିଯାଇଥିଲା। ସ୍ତ୍ରୀ ଓ ସଂପୃକ୍ତ ଯୁବକଠୁ ପ୍ରତିଶୋଧ ନେବା ପାଇଁ ରବିଉଲ ମନସ୍ଥ କରିଥିଲା । ତା ପରେ ଷଡ଼ଯନ୍ତ୍ର ରଚିଥିଲା। ପ୍ରତିଶୋଧ ପରାୟଣ ହୋଇ ଅଧରାତିରେ ପଡ଼ୋଶୀଙ୍କ ଘର ସାମ୍ନାରେ ବିଦ୍ୟୁତ ତାର ବିଛାଇଥିଲା। ଏହି ଘଟଣା ପରେ ଦୌଡ଼ିପଳେଇବା ସମୟରେ ଗାଁ ଲୋକେ ତାଙ୍କୁ କାବୁକରି ନିସ୍ତୁକ ମାଡ଼ ମାରିଥିଲେ।