ଇମ୍ରାନ ଖାନ ଯଦି ଜଣେ ଭଲ ରାଜନେତା ଏବଂ ଉଦାର ସ୍ୱଭାବର ତା'ହେଲେ ଆଝାରକୁ ଭାରତକୁ ହସ୍ତାନ୍ତର କରନ୍ତୁ : ସୁଷମା ସ୍ୱରାଜ

Published By : Prameya-News7 Bureau | March 14, 2019 IST

ଦିଲ୍ଲୀ ୧୪/୩ : ଜୈସ ଆତଙ୍କୀ ସଂଗଠନ ମୁଖ୍ୟ ମାସୁଦ ଆଝାର ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ପ୍ରସଙ୍ଗ ବହୁତ ଥର ଉଠିଲାଣି କିନ୍ତୁ କୌଣସି ନିଷ୍କର୍ଶ ବାହାରୁନାହିଁ | ଆଲୋଚନା, କଥାବାର୍ତ୍ତା ଏବଂ ଆତଙ୍କବାଦ ଏକାଥରେ ଚାଲିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିସାରିଛି ବୋଲି କହିଛନ୍ତି ସ୍ୱରାଜ | ଆତଙ୍କମୁକ୍ତ ପାକିସ୍ତାନ ସହ ସୁସମ୍ପର୍କ ସ୍ଥାପନ ପାଇଁ ଭାରତ ପ୍ରସ୍ତୁତ ଅଛି | କିନ୍ତୁ ପାକିସ୍ତାନ ସେହିଭଳି କୌଣସି ପରିସ୍ଥିତି ଏବେ ପର୍ଯ୍ୟନ୍ତ ସୃଷ୍ଟି କରିନାହିଁ | ସୁଷମା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ପାକିସ୍ତାନ ଶାନ୍ତି ଚାହୁଁଚି, ଆଲୋଚନା ଚାହୁଁଛି, ଜୈସ ସଂଗଠନ ଆତଙ୍କବାଦୀ ପୁଲୱାମାରେ ୪୦ ସିଆରପିଏଫ ଯବାନଙ୍କୁ ମାରିଦେଇ ଚାଲିଯିବା ସ୍ୱୀକାର ମଧ୍ୟ କରୁଛି କିନ୍ତୁ ଶାନ୍ତି ପ୍ରତିଷ୍ଠା ପାଇଁ କୌଣସି ପଦକ୍ଷେପ କାହିଁକି ନେଉନାହିଁ |


ସୁଷମା କହିଥିଲେ ଯେ, ମାସୁଦ ରୋଗରେ ପଡିଥିବା ସେ ସୂଚନା ପାଇଛନ୍ତି ଏବଂ ସେ ପାକିସ୍ତାନରେ ହିଁ ଥିବା ଜାଣିବାକୁ ପାଇଛନ୍ତି | କିନ୍ତୁ ପାକିସ୍ତାନ ସେନାର ପ୍ରବକ୍ତା କହୁଛନ୍ତି ଯେ, ମାସୁଦ ପାକିସ୍ତାନରେ ନାହିଁ | ଓସାମା ବିନ ଲାଡେନ ମଧ୍ୟ ପାକିସ୍ତାନରେ ନଥିଲା କି କସାଵ ମଧ୍ୟ ପାକିସ୍ତାନରେ ନଥିଲା | ପ୍ରତ୍ୟେକଥର ପାକିସ୍ତାନ ନିଜ ଆତଙ୍କବାଦୀଙ୍କୁ ସୁରକ୍ଷା ପ୍ରଦାନ କରୁଛି | ପାକିସ୍ତାନ ସବୁବେଳେ ମିଛ କହିଆସୁଛି ଏବଂ ଆଉ କେତେ ମିଛ କହିବା ବୋଲି ପ୍ରଶ୍ନ କରିଛନ୍ତି ସୁଷମା |


ସୁଷମା କହିଛନ୍ତି ଯେ, ପାକିସ୍ତାନ ସହ ଭାରତ ସ୍ୱାଭାବିକ ସମ୍ପର୍କ ସ୍ଥାପନ କରିପାର । କିନ୍ତୁ ଗୋଟିଏ ସର୍ତ୍ତରେ ଯେ, ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କଡା ପଦକ୍ଷେପ ନେଉ | ପାକିସ୍ତାନ ନିଜ ଦେଶରୁ ଆତଙ୍କବାଦକୁ ସମୂଳେ ଧ୍ବଂସ କଲେ ୨ ଦେଶ ମଧ୍ୟରେ ଏକ ସ୍ୱାଭାବିକ ସମ୍ପର୍କ ସ୍ଥାପନ ହୋଇପାରିବ ବୋଲି କହିଛନ୍ତି |


ସୁଷମା କହିଛନ୍ତି ଯେ, ପୁଲୱାମା ହମଲାକୁ ନେଇ ଜୈସ ସଂଗଠନ ସ୍ୱୀକାର କରିଥିଲା ତଥାପି ୧୦ ଦିନ ପରେ ମଧ୍ୟ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ | ସେଥିପାଇଁ ଏୟାର ଷ୍ଟ୍ରାଇକ କରାଗଲା | କିନ୍ତୁ ଏୟାର ଷ୍ଟ୍ରାଇକରେ କୌଣସି ସାଧାରଣ ନାଗରିକର ଯେମିତି ଜୀବନ ନଯାଏ ସେନେଇ ବାୟୁସେନା ସୁନିଶ୍ଚିତ କରିଥିଲା | ଷ୍ଟ୍ରାଇକରେ ସେନାର କୌଣସି ଯବାନ ମଧ୍ୟ ଆହତ ହେବା ଉଚିତ ନୁହେଁ | ସୀମିତ ଲକ୍ଷ୍ୟ ସହ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ କରିଥିଲା | ବାୟୁସେନାର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସେନାର ଜଣେ ହେଲେ ଯବାନ କିମ୍ବା ସାଧାରଣ ନାଗରିକ ଆହତ ହୋଇନଥିଲେ ବୋଲି କହିଛନ୍ତି ସୁଷମା |


ସୁଷମା ଇମ୍ରାନ ଖାନଙ୍କ ସମ୍ପର୍କରେ କହିଛନ୍ତି ଯେ, କିଛି ଲୋକେ କହୁଛନ୍ତି ଯେ, ଇମ୍ରାନ ଖାନ ଜଣେ ରାଜନେତା | ସେ ଉଦାର ବ୍ୟକ୍ତିତ୍ୱର | ଯଦି ସେ ଉଦାର ସ୍ୱଭାବର ତା'ହେଲେ ମାସୁଦ ଆଝାରକୁ ଭାରତକୁ ହସ୍ତାନ୍ତର କରିଦେବା ଉଚିତ | ତାହେଲେ ଜଣାପଡିବା ଇମ୍ରାନ ଖାନ ଜଣେ ଭଲ ରାଜନେତା ଏବଂ ଉଦାର ସ୍ୱଭାବର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.