ଲାଲୁଙ୍କ ପୁଅ ତେଜ ପ୍ରତାପଙ୍କ ଛାଡପତ୍ର ପ୍ରସଙ୍ଗକୁ ନେଇ ଟ୍ୱିଟ କଲେ ବିହାର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି:ଆରମ୍ଭ ହେଲା ରାଜନୈତିକ ବୟାନବାଜି

Published By : Prameya-News7 Bureau | November 04, 2018 IST

ପାଟଣା ୪/୧୧ : ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଦେଖାଦେଇଥିବା ଅପ୍ରୀତିକର ପରିସ୍ଥିତିର ରାଜନୈତିକ ଫାଇଦା ନେବାକୁ ଉଦ୍ୟମ ଆରମ୍ଭ ହୋଇଛି | ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡପତ୍ର ଦେବାପାଇଁ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଅଦାଲତର ଦ୍ୱାରସ୍ଥ ହେବା ପରଠାରୁ ରାଜନୈତିକ ବ୍ୟାନବାଜି ଆରମ୍ଭ ହୋଇଯାଇଛି | ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ବିହାରର ଉପ-ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ରାଷ୍ଟ୍ରୀୟ ଜନତା ଦଳ ଓ ଲାଲୁ ପ୍ରସାଦ ଯାଦବଙ୍କୁ କଟାକ୍ଷ କରିଛନ୍ତି | ସେ ମୁଖ୍ୟତଃ ସୁଶୀଲ ମୋଦି ତାଙ୍କ ଟ୍ୱିଟରେ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱି ଯାଦବଙ୍କୁ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେଉଁ ବ୍ୟକ୍ତି ନିଜ ପରିବାରରେ ନ୍ୟାୟ କରିପାରୁନାହିଁ ସେ ସମାଜକୁ ନ୍ୟାୟର ମସିହା ହେବାକୁ ଅପଚେଷ୍ଟା କରୁଛି | ଅପରପକ୍ଷରେ ଲାଲୁଙ୍କ ପାରିବାରିକ ସ୍ଥିତି ନେଇ କୌଣସି ଟିପ୍ପଣୀ ନଦେବା ପାଇଁ ରାଷ୍ଟ୍ରୀୟ ଜନତା ଦଳ ପକ୍ଷରୁ ଦଳୀୟ ନେତା ଓ କର୍ମୀଙ୍କୁ ଫତୱା ଜାରି କରାଯାଇଛି | ତଥାପି ସୁଶୀଲ ମୋଦିଙ୍କ ଟ୍ୱିଟ ପରେ ଆରଜେଡିର ବହୁ ନେତା ସୁଶୀଲ ମୋଦିଙ୍କୁ ସମାଲୋଚନା କରିଛନ୍ତି | ସୁଶୀଲ ମୋଦି କହିଛନ୍ତି ଯେ, ବିହାରର ଲକ୍ଷ ଲକ୍ଷ ଗରିବ ଓ ଅଶିକ୍ଷିତ ଲୋକଙ୍କୁ ଭୁଆଁ ବୁଲାଇ କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତି କରିଥିବା ଲାଲୁ ପ୍ରସାଦ ଯାଦବ ରାଷ୍ଟ୍ରୀୟ ଜନତା ଦଳର ଦୁର୍ନୀତିକୁ ସାମାଜିକ ନ୍ୟାୟର ଚାଦରରେ ଘୋଡାଇବା ପାଇଁ ଉଦ୍ୟମ ହୋଇଛି | ରାଷ୍ଟୀୟ ଜନତା ଦଳର ମୁଖ୍ୟ ନିଜ ପରିବାରରେ ବଡପୁଅ ପ୍ରତି ଅନ୍ୟାୟ କରି ସାନପୁଅକୁ ଆଗକୁ ବଢ଼ାଇଛନ୍ତି | ପରିବାରରେ ସବୁଠୁ ଅଧିକ ପାଠୁଆ ଝିଅକୁ ମଧ୍ୟ କଣଠେସା କରାଯାଇଛି | ପିଲାବେଳୁ ହିଁ ନିଜ ଅଧିକାର ପାଇଁ ଓ ସାମାଜିକ ନ୍ୟାୟ ପାଇଁ ବଡପୁଅ କହିଆସୁଛନ୍ତି | ସୁଶୀଲ ମୋଦିଙ୍କ ଏହି ଟ୍ୱିଟ ପରେ ବିହାରର ରାଜନୈତିକ ମାହୋଲ ସରଗରମ ହୋଇଛି | ଆରଜେଡି ନେତା ବିଜୟ ପ୍ରକାଶ ଉତ୍ତରରେ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ସୁଶୀଲ ମୋଦି ଟିପ୍ପଣୀ ଦେବା ଠିକ ହୋଇନାହିଁ | ଏହା ବ୍ୟତୀତ ସେ ପ୍ରଥମେ ନିଜ ଘର ସମ୍ଭାଳନ୍ତୁ ବୋଲି ବିଜୟ ପ୍ରକାଶ କରିଛନ୍ତି | ସୁଶୀଲ ମୋଦି ନିଜ ଘରେ ନିଜେ ମା'ଙ୍କୁ ବନ୍ଦ କରି ରଖିଥିଲେ | ତାଙ୍କ ନିଜ ଭଉଣୀ ତାଙ୍କ ବିରୋଧରେ ନ୍ୟାୟ ପାଇଁ ଲଢ଼ୁଛନ୍ତି | ତେଣୁ ସୁଶୀଲ ମୋଦି ଅନ୍ତତଃ ଏଭଳି ବୟାନବାଜିରୁ ଦୁରେଇ ରହିବା କଥା ବୋଲି ବିଜୟ ପ୍ରକାଶ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.