'ସୁଶାନ୍ତଙ୍କ ବେକରେ ୩୩ ସେମିର ଗଭୀର ଦାଗ, କିନ୍ତୁ ମୃତ୍ୟୁ ବେଳେ କଷ୍ଟ ହୋଇନାହିଁ,' ବ୍ୟବଚ୍ଛେଦ ରିପୋର୍ଟରେ ସାଙ୍ଘାତିକ ତଥ୍ୟ

Published By : Prameya-News7 Bureau | August 23, 2020 IST

ମୁମ୍ବାଇ ୨୩/୦୮: ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ କିଛି ସନ୍ଦେହ ସୃଷ୍ଟି କଲା ଭଳି ତଥ୍ୟ ଦେଖିବାକୁ ମିଳିଛି । ସିବିଆଇକୁ ମିଳିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ସୁଶାନ୍ତଙ୍କ ବେକରେ ୩୩ ସେଣ୍ଟିମିଟରର ଏକ ଲମ୍ବା ଦାଗ ରହିଛି । ପୂର୍ବରୁ କିନ୍ତୁ ଏ ବାବଦରେ କୌଣସି ସୂଚନା ପ୍ରଘଟ କରାଯାଇ ନ ଥିଲା । ଏହି ଦାଗ ସାମାନ୍ୟ ଗଭୀର ରହିଛି । ବେକରେ ରଶି କିମ୍ବା ଅନ୍ୟ କୌଣସି ଜିନିଷର ପ୍ରବଳ ଚାପ ଯୋଗୁ ଏହି ଦାଗ ସୃଷ୍ଟି ହୋଇଛି ।

ରିପୋର୍ଟରେ ଆହୁରି ଉଲ୍ଲେଖ ରହିଛି ଯେ, ଶରୀରରେ କୌଣସି ସ୍ଥାନରେ ଆଘାତ ଚିହ୍ନଟ ନାହିଁ  । ତାଙ୍କ ଜୀଭ ବାହାରକୁ ବାହାରିନଥିଲା । ଆଖିର ପଲକ ଆଶିଂକ ଭାବେ ଖୋଲାଥିଲା । ଏପରିକି କୌଣସି ହାଡ ଭାଙ୍ଗି ନାହିଁ ।

ଏହି ରିପୋର୍ଟକୁ ନେଇ ସୁଶାନ୍ତଙ୍କ ପିତା କେ.କେ. ସିଂହଙ୍କ ଓକିଲ ବିକାଶ ସିଂହ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ମୃତ୍ୟୁ ସମୟରେ ଯେଉଁସବୁ ଘଟଣାକୁ ନେଇ ଚର୍ଚ୍ଚା ହେଉଥିଲା, ତାହାର ବିସ୍ତୃତ ରିପୋର୍ଟ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିବାର ଥିଲା । କିନ୍ତୁ ତାହା ହୋଇ ନାହିଁ । ଏମିତି କି ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର ସମୟ ବି ଦର୍ଶାଯାଇ ନାହିଁ। ଏମିତି କ’ଣ ପାଇଁ କରାଗଲା, ତାହା ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ସୁଶାନ୍ତଙ୍କ ସମସ୍ତ ଅଙ୍ଗ ଠିକ୍ ଥିଲା । ମୁହଁ କିମ୍ବା ନାକରୁ ରକ୍ତ ବାହାରି ନଥିଲା ।  

ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରାଇଥିବା କୁପର ହସ୍ପିଟାଲର ଡାକ୍ତରମାନେ ବଡ଼ ଖୁଲାସା କରିଛନ୍ତି । ସିବିଆଇ ଜେରା ବେଳେ ବ୍ୟବଚ୍ଛେଦ କରାଇଥିବା ଡାକ୍ତରମାନେ କହିଛନ୍ତି, ମୁମ୍ବାଇ ପୁଲିସ କହିବା ପରେ ସେମାନେ ଶୀଘ୍ର ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରାଇଥିଲେ । ଶନିବାର ସିବିଆଇର ଏକ ଟିମ୍‌ କୁପର ହସ୍ପିଟାଲରେ ପହଞ୍ଚି ତନାଘନା ଚଳାଇ ଏଭଳି ତଥ୍ୟ ଖୁଲାସା କରିଛି । ଶୁକ୍ରବାର ସିବିଆଇକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଥିଲା । ଏହି ରିପୋର୍ଟରେ ଅନେକ ବିସଙ୍ଗତି ଥିବା ଜାଣିବାକୁ ମିଳିଛି । କୋଭିଡ ପରୀକ୍ଷା ରିପୋର୍ଟ ଆସିବା ପରେ ଶବ ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତରମାନେ କହିଥିଲେ । କିନ୍ତୁ ମୁମ୍ବାଇ ପୁଲିସ ସେଥିପାଇଁ ଅପେକ୍ଷା ନ କରିବାକୁ କହିଥିଲା । ତେଣୁ ଡାକ୍ତରମାନେ ବାଧ୍ୟହୋଇ ତରବରିଆ ଭାବେ ବ୍ୟବଚ୍ଛେଦ କରାଇଥିବା ଦର୍ଶାଇଛନ୍ତି । ଏଥିରୁ ସିବିଆଇକୁ କିଛି ବଡ଼ ସୁରାକ ମିଳିପାରେ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.