ଜେଲ୍‌ ଖାଦ୍ୟରେ ସୁଶୀଲ କୁମାରଙ୍କ ପେଟ ପୁରୁନି, ମାଗୁଛନ୍ତି ପ୍ରୋଟିନଯୁକ୍ତ ଖାଦ୍ୟ

Published By : Prameya-News7 Bureau | June 05, 2021 IST

ନୂଆଦିଲ୍ଲୀ ୦୫।୦୬: କୁସ୍ତିଯୋଦ୍ଧା ସାଗର ଧନକଡଙ୍କ ହତ୍ୟା ଅଭିଯୋଗରେ ତିହାରର ମଣ୍ଡୋଲି ଜେଲରେ ବନ୍ଦୀ ଅଛନ୍ତି ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର। ବିଗତ ଦିନରେ ତାଙ୍କୁ ନେଇ ଅନେକ ଅନେକ ଖବର ସାମ୍ନାକୁ ଆସିଛି। କେତେବେଳେ ସେ କାନ୍ଦୁଛନ୍ତି ତ କେତେବେଳେ ଯାଞ୍ଚ ଅଧିକାରୀଙ୍କୁ ତାଙ୍କ ଜୀବନ ସେ ନିଜେ ବରବାଦ କରିଥିବା କହୁଛନ୍ତି। ଏବେ  ଜେଲ୍ ଭିତରୁ ଆଉ ଏକ ନୂତନ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଜେଲ୍‌ରେ ଦିଆଯାଉଥିବା ଖାଦ୍ୟରେ ସୁଶୀଲ କୁମାରଙ୍କ ପେଟ ପୁରୁନାହିଁ। ଏଥିପାଇଁ ସେ ଅଧିକ ଖାଦ୍ୟ ଦାବି କରିଛନ୍ତି।

ପହିଲମାନ ସୁଶୀଲ କୁମାର ଜେଲରେ ଦିଆଯାଉଥିବା ଆଠ ରୁଟି, ଦୁଇ କପ ଚା ଏବଂ ବିସ୍କୁଟକୁ ନିଜ ପାଇଁ କମ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଅନ୍ୟ କଏଦୀଙ୍କ ପରି ତାଙ୍କୁ ଦିଆଯାଉଥିବା ଖାଦ୍ୟରେ ତାଙ୍କ ପେଟ ପୁରୁନାହିଁ। ତାଙ୍କୁ ଆଉ କିଛି ଖାଦ୍ୟ ଦରକାର। ଏମିତି ଭୋଜନ ଦରକାର ଯେଉଁଥିରେ ପ୍ରୋଟିନ ଅଧିକ ଥିବ।

କୁହାଯାଉଛି ଆବଶ୍ୟକ ପଡିଲେ ସେ ନିଜର ଏହି ସମସ୍ୟାର ସମାଧାନ ପାଇଁ ଅଦାଲତର ଆଶ୍ରୟ ନେଇ ପାରନ୍ତି। ମେ ୪  ହତ୍ୟାକାଣ୍ଡ ପରଠୁ ସୁଶୀଲ କୁମାର ଫେରାର ଥିଲେ। ପ୍ରାୟ ୧୮ ଦିନର ଲୁଚକାଳି ଖେଳ ପରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ପୋଲିସର ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରିମାଣ୍ଡରେ ଜେରା ସମୟରେ ସେ ନିଜ ଭୁଲ୍ ସ୍ଵୀକାର କରିବା ସହ ସବୁ କିଛି ବରବାଦ ହୋଇଗଲା  ବୋଲି କହୁଛନ୍ତି।

ଗତ ବୁଧବାର ଜେଲରେ ପହଞ୍ଚିଥିବା ସୁଶୀଲ କୁମାର ବହୁତ ଭୟଭୀତ ଥିଲେ। ସେହି ଦିନ ଜେଲ୍ ପ୍ରଶାସନଙ୍କ ପକ୍ଷରୁ ଦିଆଯାଇଥିବା ଖାଦ୍ୟ ମଧ୍ୟ ସେ ଖାଇନଥିଲେ। ସେହି ଦିନ ତାଙ୍କୁ ଜେଲ୍‌ରେ ଠିକ୍‌ରେ ନିଦ ମଧ୍ୟ ହୋଇନଥିଲା। ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖାଲି କଡ ଲେଉଟେଉଥିଲେ। କିନ୍ତୁ ସକାଳେ ଜେଲ୍ ଦିନଚର୍ଯ୍ୟାରେ ସେ ସାମିଲ ହୋଇଥିଲେ। ଜେଲ୍‌ରେ କିଛି ସମୟ ପର୍ଯ୍ୟନ୍ତ ବ୍ୟାୟାମ ମଧ୍ୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.