ସୁଶୀଲ ଚନ୍ଦ୍ରା ହେଲେ ନୂଆ CEC, ନିଯୁକ୍ତିରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର

Published By : Prameya-News7 Bureau | April 12, 2021 IST

ନୂଆଦିଲ୍ଲୀ ୧୨।୪: ସୁଶୀଲ ଚନ୍ଦ୍ରା ଦେଶର ନୂଆ ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି) ନିଯୁକ୍ତ ହୋଇଛନ୍ତି। ୨୪ତମ ସିଇସି ଭାବେ ଚନ୍ଦ୍ରାଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ସ୍ୱୀକୃତି ଦେଇଛନ୍ତି। ଏହି ପଦବୀରେ ଅବସ୍ଥାପିତ ସୁନିଲ ଆରୋରା ଚାକିରୀରୁ ଅବସର ନେଇଛନ୍ତି। ଚନ୍ଦ୍ରା ମଙ୍ଗଳବାର ନୂଆ ସିଇସି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ।

ଚନ୍ଦ୍ରା ଏହି ପଦବୀରେ ୧୪ ମେ ୨୦୨୨ ପର୍ଯ୍ୟନ୍ତ ଅବସ୍ଥାପିତ ରହିବେ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଚନ୍ଦ୍ରା ୧୪ ଫେବୃଆରୀ ୨୦୧୯ରେ ନିର୍ବାଚନ କମିଶନରେ ଯୋଗ ଦେଇଥିଲେ। ନିର୍ବାଚନ କମିଶନ ନିଯୁକ୍ତି ପରେ ଚନ୍ଦ୍ରା ସାଧାରଣ ନିର୍ବାଚନକୁ ସଫଳତାର ସହ ପରିଚାଳନା କରି ତାଙ୍କ ଦକ୍ଷତା ପ୍ରତିପାଦନ କରିଥିଲେ।

ସିଇସି ଅବସ୍ଥାପିତ ରହିବା କାଳରେ ସେ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁର ବିଧାନସଭା ନିର୍ବାଚନ ଆୟୋଜନ କରିବେ। ତେବେ ଗତ ଦୁଇବର୍ଷ କାଳ ସେ ନିର୍ବାଚନ କମିଶନ ଅବସ୍ଥାପିତ ଥିବା ବେଳେ ଦେଶରେ ଅନୁଷ୍ଠିତ ହୋଇଥିବା ୧୦ ରାଜ୍ୟର ବିଧାନସଭା ନିର୍ବାଚନ ପରିଚାଳନା କରିବା ସହ ସମଗ୍ର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟାକୁ ଅନଲାଇନ୍ କରାଇଛନ୍ତି।

ଇ-ନୋମିନେସନ ପ୍ରକ୍ରିୟାରେ ପ୍ରାର୍ଥୀ ସିଧାଶଳଖ ଅନଲାଇନରେ ପ୍ରାର୍ଥୀପତ୍ର ଦାଖଲ କରିପାରୁଛନ୍ତି। ଏଥିରେ ବ୍ୟବସ୍ଥା ଅଧିକ ଦ୍ରୁତତର ହୋଇପାରିଥିବା ବେଳେ ପ୍ରାର୍ଥୀଙ୍କ ସତ୍ୟପାଥ ସହ ସୂଚନା ତୃଟିପୂର୍ଣ୍ଣ ଭାବେ ଦାଖଲ ହୋଇପାରୁଛି। ଏଥିରେ ନୋମିନେସନ ଦାଖଲ ଦିନ ହିଁ ସାର୍ବଜନିକ ଡୋମେନରେ ପ୍ରାର୍ଥୀଙ୍କ ସୂଚନା ସମେତ ଅନ୍ୟ ତଥ୍ୟ ମିଳିପାରୁଛି। ନିର୍ବାଚନ କମିଶନ ନିଯୁକ୍ତ ହେବା ପୂର୍ବରୁ ଚନ୍ଦ୍ରା କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ଅବସ୍ଥାପିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.