ସୁଶାନ୍ତଙ୍କ ଡେଥ୍ ହିଷ୍ଟ୍ରି ଖୋଲିବ ଫିଲ୍ମ ‘ନ୍ୟାୟ’, ଗର୍ଲଫ୍ରେଣ୍ଡ ରିୟାଙ୍କ ଭୂମିକାରେ ନଜର ଆସିବେ ଏହି ଅଭିନେତ୍ରୀ

Published By : Prameya-News7 Bureau | April 14, 2021 IST

ନୂଆଦିଲ୍ଲୀ ୧୪/୦୪: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କ ପରିବାର ଏବଂ ଫ୍ୟାନ୍ସମାନେ ନ୍ୟାୟ ପାଇଁ  ବାରମ୍ବାର ନିବେଦନ କରୁଛନ୍ତି । ଏବେ ତାଙ୍କ ଜୀବନ ଉପରେ ଆଧାରୀତ ଫିଲ୍ମ 'ନ୍ୟାୟ: ଦି ଜଷ୍ଟିସ୍'ର ଟିଜର ରିଲିଜ୍ ହୋଇଛି । ଫିଲ୍ମର ଟିଜର ଖୁବ୍ ଦମଦାର ହୋଇଛି । ଟିଜରର ଆରମ୍ଭ ଜଣେ ଅଭିନେତାଙ୍କ ଦେହାନ୍ତରୁ ହୋଇଛି। ଯେଉଁଥିରେ ଫ୍ୟାନରେ ଝୁଲୁଥିବା ଏକ ଲମ୍ବା କପଡା ଦେଖାଯାଇଛି । ଏହା ପରେ ଅଧିକାରୀଙ୍କ ଅନୁସନ୍ଧାନକାରୀ ଦଳ ପଚରା ଉଚରା କରୁଛନ୍ତି । ଏଥି ସହିତ ଡ୍ରଗ୍ସ ପ୍ରସଙ୍ଗ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୁତଙ୍କ ଭୂମିକାରେ ଅଭିନେତା ଜୁବେର ଖାନ ଥିବାବେଳେ ରିୟା ଚକ୍ରବର୍ତ୍ତୀଙ୍କ ଭୂମିକାରେ ଶ୍ରେୟା ଶୁକ୍ଲା ଅଭିନୟ କରିଛନ୍ତି । ଏହା ବ୍ୟତୀତ ଫିଲ୍ମରେ ଅସରାନୀ, ଅମନ ଭର୍ମା, ଶକ୍ତି କପୁର, ସୁଧା ଚନ୍ଦ୍ରନନ, କିରଣ କୁମାର, ରଜା ମୁରାଦ ଏବଂ ସୋମି ଖାନ ମଧ୍ୟ ଅଛନ୍ତି । ଏହି ଫିଲ୍ମରେ ଦିଲୀପ ଗୁଲାଟି ନିର୍ଦ୍ଦେଶନା ଦେଇଥିବା ବେଳେ ସରଲା ଏ ସାରୋଓଗୀ ଏବଂ ରାହୁଲ ଶର୍ମା ନିର୍ମାତା । ଏହି ଫିଲ୍ମ ୧୧ ଜୁନ୍ ରେ ରିଲିଜ୍ ହେବ ।

୩୪ ବର୍ଷୀୟ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ଗତ ବର୍ଷ ୧୪ ଜୁନ୍ ଦିନ ତାଙ୍କ ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟରୁ ମିଳିଥିଲା । ମୁମ୍ବାଇ ପୋଲିସ ଏବଂ ପାଟନା ପୋଲିସ ପୂର୍ବରୁ ଏହି ଘଟଣାର ତଦନ୍ତ କରୁଥିଲେ । ପରେ ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ଏକକାଳୀନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.