ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ପୁରୁଣା ପିଟିସନରେ ମହେଶ ଭଟ୍ଟ, ରିୟା ଚକ୍ରବର୍ତ୍ତୀ, କୃତି ସାନନଙ୍କ ନାଁ ଯୋଡିବାକୁ କୋର୍ଟରେ ଆବେଦନ

Published By : Prameya-News7 Bureau | June 23, 2020 IST

ମୁମ୍ବାଇ ୨୩/୦୬ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଫିଲ୍ମ ତାରକା ଓ ନିର୍ମାତା-ନିର୍ଦେଶକଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ଚାଲିଛି | ବିହାର ମୁଜାଫରପୁର ସିଜେଏମ କୋର୍ଟରେ ଆଇନଜୀବୀ ସୁଧୀର କୁମାର ଓଝା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ପରିବାରବାଦ ମାମଲାରେ ଆଉ ୪ ଜଣଙ୍କ ନାଁ ସାମିଲ କରିବାକୁ କୋର୍ଟରେ ଆବେଦନ କରିଛନ୍ତି | ସୁଧୀର କୁମାର ଓଝା କୋର୍ଟରେ ଦାଖଲ କରିଥିବା ଆବେଦନ ପତ୍ରରେ ନିର୍ମାତା-ନିର୍ଦେଶକ ମହେଶ ଭଟ୍ଟ, ମୁଖେଁସ ଭଟ୍ଟ, ରିୟା ଚକ୍ରବର୍ତ୍ତୀ ଓ କୃତି ସାନନଙ୍କ ବିରୋଧରେ ଆବେଦନ କରିଛନ୍ତି | ସୁଧୀର ଓଝା ପ୍ରଥମେ ଜୁନ ୧୭ ତାରିଖରେ କୋର୍ଟରେ ଆବେଦନ କରିଥିଲେ | ସେହି ଆବେଦନ ପତ୍ରରେ ବର୍ତ୍ତମାନ ଏହି ୪ ଜଣଙ୍କ ନାଁ ଯୋଡିବାକୁ ସେ ଆବେଦନ କରିଛନ୍ତି | ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏହି ୪ ଜଣଙ୍କ ନାଁ ସନ୍ଦିଗ୍ଧ ଭାବେ ନେଇ ସାମିଲ କରିବାକୁ ଆବେଦନ କରିଛନ୍ତି |

ପୂର୍ବରୁ ମୁଜାଫରପୁର କୋର୍ଟରେ ସୁଧୀର ଓଝା ସଲମାନ ଖାନ, କରନ ଜୋହରଙ୍କ ସମେତ ୮ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ | ଭାରତୀୟ ଦଣ୍ଡ ବିଧାନ ଧାରା ୩୦୬, ୧୦୯, ୫୦୪ ଓ ୫୦୬ ଅନୁସାରେ ମାମଲା ରୁଜ୍ଜୁ କରାଯାଇଛି | ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ସନ୍ଦେହ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଥିବା ପରିବାରବାଦକୁ ମୁଖ୍ୟ କାରଣ ଦର୍ଶାଇ ଷଡଯନ୍ତ୍ର କରି ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି | ଟେଲିଭିଜନ, ଖବରକାଗଜରେ ଚାଲିଥିବା ଖବର ତଥା ସୁଶାନ୍ତ ସିଂହଙ୍କ ନିକଟ ସମ୍ପର୍କୀୟଙ୍କ ବୟାନ ଆଧାରରେ କୋର୍ଟରେ ମାମଲା ରୁଜ୍ଜୁ ହୋଇଛି | 

ମୁଜାଫରପୁର କୋର୍ଟରେ ସୁଧୀର ଓଝା କରିଥିବା ଆବେଦନର ଶୁଣାଣି ଜୁଲାଇ ୩ ତାରିଖରେ ହେବ | ଜୁଲାଇ ୩ ତାରିଖରେ ଜଣାପଡିବା କୋର୍ଟ ଏହି ମାମଲାକୁ କେତେ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.