ସୁଶାନ୍ତ ସିଂ ରାଜପୁତଙ୍କ ବିଧାୟକ ଭାଇ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ପଠାଇଲେ ନୋଟିସ୍

Published By : Prameya-News7 Bureau | August 13, 2020 IST

ପାଟନା ୧୩।୮: ବିହାରରେ ବିଜେପି ବିଧାୟକ ତଥା ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭାଇ ନୀରଜ କୁମାର ସିଂ ଅଭିନେତାଙ୍କ ପରିବାର, ବିଶେଷକରି ତାଙ୍କ ଶୋକସନ୍ତପ୍ତ ବାପାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ନେଇ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ନୋଟିସ୍ ପଠାଇଛନ୍ତି ।

ସଞ୍ଜୟ ରାଉତ କହିଥିଲେ ଯେ ୨୦୦୨ରେ ସୁଶାନ୍ତଙ୍କ ମା’ଙ୍କ ମୃତ୍ୟୁ ପରେ ତାଙ୍କ ବାପା ଦ୍ବିତୀୟ ବିବାହ କରିଥିଲେ । ଶିବସେନା ମୁଖପତ୍ର 'ସାମାନା'ରେ ରାଉତ କହିଥିଲେ ଯେ ତାଙ୍କ ବାପାଙ୍କ ଦ୍ବିତୀୟ ବିବାହରେ ଅଭିନେତା ଅସନ୍ତୁଷ୍ଟ ଥିଲେ । ତାଙ୍କ ବାପାଙ୍କ ସହ ସୁଶାନ୍ତଙ୍କର ଆନ୍ତରିକ ସମ୍ପର୍କ ନଥିଲା । ହୁଏତ ଏହି ମାନସିକ ଅବସାଦ ହେତୁ ସେ ନିଜ କ୍ୟାରିୟରରେ ଏହି ପଦକ୍ଷେପ ନେଇଥାଇପାରନ୍ତି ।

ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ପରେ ପରିବାର ସହ ମୁମ୍ବାଇ ଯାଇଥିବା ନୀରଜ ସୁଶାନ୍ତଙ୍କ ବାପା କେ.କେ. ସିଂଙ୍କ ବିଷୟରେ ସଞ୍ଜୟଙ୍କ ଦ୍ବାରା ଦିଆଯାଇଥିବା ଟିପ୍ପଣୀକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ ସଞ୍ଜୟଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ସେ ଏପରି ଟିପ୍ପଣୀ ଦେବା ବନ୍ଦ ନକରନ୍ତି, ତେବେ ସେ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିପାରନ୍ତି ।

ନୀରଜଙ୍କ ଓକିଲ ଅନୀଶ ଝା କହିଛନ୍ତି ଯେ, ସେ ବୁଧବାର ଦିନ ସଞ୍ଜୟଙ୍କୁ ଏକ ଲିଗାଲ୍ ନୋଟିସ୍ ପଠାଇଛନ୍ତି ଯେଉଁଥିରେ କୁହାଯାଇଛି ଯେ, ସେ ସଂସଦର ଜଣେ ସମ୍ମାନିତ ସଦସ୍ୟ ତଥା ଦଳର ଦାୟିତ୍ବବାନ୍ ପ୍ରବକ୍ତା । ଏମିତିରେ ସେ ଦେଇଥିବା ସଂପୃକ୍ତ ଆପତ୍ତିଜନକ ମନ୍ତବ୍ୟ ପାଇଁ ୪୮ ଘଣ୍ଟା ମଧ୍ୟରେ ସେ କ୍ଷମା ପ୍ରାର୍ଥନା କରିବା ଉଚିତ୍ । ସେ କହିଛନ୍ତି ଯଦି ସେ ଏପରି କରନ୍ତି ତେବେ ଆମେ ଆଗକୁ କୌଣସି ମାମଲା କରିବୁ ନାହିଁ । ଯଦି ସେ ତାହା କରନ୍ତି ନାହିଁ, ଆମେ ଆଇନଗତ ଉପାୟ ଅବଲମ୍ବନ କରିବା ପାଇଁ ଚେଷ୍ଟା କରିବୁ ।

ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ୧୪ ଜୁନ୍ ଦିନ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ତାଙ୍କ ଫ୍ଲାଟରୁ ମିଳିଥିଲା । ଗତ ମାସରେ ତାଙ୍କ ବାପା କେ.କେ. ସିଂ ଅଭିନେତ୍ରୀ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ପାଟଣାର ରାଜୀବନଗର ଥାନାରେ ମାମଲା ଦାୟର କରିଥିଲେ । ଏହାପରେ ପାଟନା ପୋଲିସର ଏକ ଟିମ୍ ମୁମ୍ବାଇ ଯାଇ ଘଟଣାର ତଦନ୍ତ କରିଥିଲେ । ଗତ ସପ୍ତାହରେ ଗୁରୁବାର ବିହାର ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିଛି । ଯାହା ପରେ ବର୍ତ୍ତମାନ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.