ସୁଶାନ୍ତ ସିଂ ରାଜପୁତଙ୍କ ନାଁରେ ନାମିତ ହେବ ଦିଲ୍ଲୀର ଏହି ସଡକ, ଅନୁମତି ଦେଲା ନଗର ନିଗମ
22/01/2021 at 4:52 PM

ନୂଆଦିଲ୍ଲୀ ୨୨/୦୧ : ବଲିଉଡ୍ର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାଁରେ ନାମିତ ହେବ ଦିଲ୍ଲୀର ଏକ ସଡକ । ଦକ୍ଷିଣ ଦିଲ୍ଲୀର ଆଣ୍ଡ୍ର୍ୟୁସ୍ଗଞ୍ଜରେ ଏକ ସଡକକୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାଁରେ ନାମିତ କରିବା ପାଇଁ ଅନୁମତି ଦେଇଛି ନଗର ନିଗମ । ଏହା ସହ ଜଡିତ ସମସ୍ତ ପ୍ରସ୍ତାବକୁ ନଗର ନିଗମ ଅଧିକାରୀ ଗତ ଗୁରୁବାର ଦିନ ସ୍ୱୀକୃତି ଦେଇଛନ୍ତି ।
ଏହି ସୂଚନା ସୁଶାନ୍ତ ସିଂ ରାଜପୁତଙ୍କର ୩୫ତମ ଜନ୍ମ ଦିନରେ ସାମ୍ନାକୁ ଆସିଛି । ଗତବର୍ଷ ଜୁନ୍ ୧୪ରେ ବାନ୍ଦ୍ରାସ୍ଥିତ ନିଜ ଘରେ ସୁଶାନ୍ତ ସିଂ ଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲା । ଏବେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସସପେନ୍ସ୍ ଜାରି ରହିଛି । ଘଟଣାର ତଦନ୍ତଭାର ସିବିଆଇ ହାତକୁ ଦିଆଯାଇଛି । ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଥିବା ନେଇ ସେଭଳି କୌଣସି ପ୍ରମାଣ ମଧ୍ୟ ପାଇନାହିଁ ସିବିଆଇ ।

ଦକ୍ଷିଣ ଦିଲ୍ଲୀ ନଗର ନିଗମର କଂଗ୍ରେସ କାଉନସିଲର ଅଭିଷେକ ଦତ୍ତ ଡିସେମ୍ବର ୨୦୨୦ରେ ଏକ ସଡକର ନାଁକୁ ସୁଶାନ୍ତଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ରଖିଥିଲେ । ଏହି ପ୍ରସ୍ତାବକୁ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଏସଡ଼ିଏମସି ସଦନ ଗୁରୁବାର ଅନୁଷ୍ଠିତ ବୈଠକରେ ଏହାକୁ ଅନୁମତି ଦେଇଛନ୍ତି ।’
ବିଜେପି ନେତୃତ୍ୱାଧୀନ ଏସଡିଏମସିରେ ଆଣ୍ଡ୍ର୍ୟୁସଗଞ୍ଜର ଜଣେ କାଉନସିଲର ଉକ୍ତ ନଗରର ପୁନଃ ନାମକରଣ ପାଇଁ ରେଜିଷ୍ଟସନ୍ କମିଟିକୁ ଏକ ପ୍ରସ୍ତାବ ପଠାଇଥିଲେ । ସମିତିକୁ ଦିଆଯାଇଥିବା ଲିଖିତ ପ୍ରସ୍ତାବରେ ଦତ୍ତ କହିଥିଲେ, ସଡକ ସଂଖ୍ୟା ୮ରେ ବିହାର ସହ ସମ୍ପର୍କ ରଖୁଥିବା ଅଧିକ ସଂଖ୍ୟାର ଲୋକ ରହୁଛନ୍ତି ।

ଆଣ୍ଡ୍ର୍ୟୁସ୍ଗଞ୍ଜ ରୁ ଇନ୍ଦିରା ଗାନ୍ଧୀ କ୍ୟାମ୍ପ ମଧ୍ୟରେ ଏକ ସ୍ଥାନର ନାଁକୁ ସୁଶାନ୍ତ ସିଂ ରାଜପୁତ ମାର୍ଗ ରଖିବାକୁ ପ୍ରସ୍ତାବରେ ସେ ଦାବି କରିଥିଲେ । ସେଥିଲାଗି ରୋଡ୍ ନଂ-୮ର ନାଁକୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ରଖିବାକୁ ଦତ୍ତ କହିଥିଲେ ।