ଇଞ୍ଜିନିୟରିଂ ପାଠପଢା, ଛୋଟ ପରଦାରୁ କ୍ୟାରିୟର : ବଲିଉଡରେ ନାଁ କରିବା ଯାଏଁ ଏମିତି ଥିଲା ସୁଶାନ୍ତ ସିଂ ରାଜପୁତଙ୍କ ଯାତ୍ରା

Published By : Prameya-News7 Bureau | June 14, 2021 IST

ମୁମ୍ୱାଇ ୧୪/୬ : ସୁଶାନ୍ତ ସିଂ ରାଜପୁତ ମାନେ SSR । ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡରେ ସୃଷ୍ଟି କରିଥିଲେ ନିଜର ପରିଚୟ । ହେଲେ ହଠାତ୍ ଦିନେ ଜାଣିବାକୁ ମିଳିଥିଲା ଦୁନିଆରୁ ବିଦାୟ ନେଇଛନ୍ତି ଏଇ ହ୍ୟାଣ୍ଡସମ୍ କଳାକାର । ୧୪ ଜୁନ୍ ୨୦୨୦ ରେ ତାଙ୍କ ଦେହାନ୍ତ ହୋଇଥିବା ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଆଜି ତାଙ୍କର ମୃତ୍ୟୁକୁ ପୂରିଛି ବର୍ଷେ, ହେଲେ ଆଜିବି ତାଙ୍କର ଘନିଷ୍ଠ ତାଙ୍କୁ ଏକ ଉତ୍ସାହୀ ଏବଂ ଅତ୍ୟନ୍ତ ତୀକ୍ଷ୍ଣ ମାନସିକ ବ୍ୟକ୍ତି ଭାବରେ ମନେ କରନ୍ତି ।

ପରିବାର ପାଇଁ ଥିଲେ ଗୁଲଶନ୍
ବିହାରର ପାଟନାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ସୁଶାନ୍ତ ସିଂ ରାଜପୁତ । ତାଙ୍କ ପିତାଙ୍କ ନାମ କୃଷ୍ଣ କୁମାର ସିଂ ଏବଂ ମାତାଙ୍କ ନାମ ଉଷା ସିଂ । ତାଙ୍କ ପିତା ପାଟନାରେ ବିହାର ଷ୍ଟେଟ ହ୍ୟାଣ୍ଡଲୁମ କର୍ପୋରେସନରେ ଜଣେ ବୈଷୟିକ ଅଧିକାରୀ ଥିଲେ । ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରୁ ସାନ, ସୁଶାନ୍ତଙ୍କୁ ତାଙ୍କ ପରିବାର ସଦସ୍ୟ ଗୁଲଶନ ବୋଲି ଡାକୁଥିଲେ ।
ଘରେ ପାଠ ପଢିବାକୁ ପସନ୍ଦ କରୁଥିଲେ
ପାଟଣାରେ ଆରମ୍ଭ କରିଥିଲେ ସୁଶାନ୍ତ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ । ୨୦୦୨ ରେ ଯେତେବେଳେ ତାଙ୍କ ମାଙ୍କର ଦେହାନ୍ତ ହୋଇଥିଲା, ତାଙ୍କ ପରିବାର ଦିଲ୍ଲୀ ଯାଇଥିଲେ । ଏଠାକୁ ଆସି ସୁଶାନ୍ତ ତାଙ୍କର ପରବର୍ତ୍ତୀ ଅଧ୍ୟୟନ କରିଥିଲେ । ସେ ପାଠପଢାରେ ବହୁତ ମାହିର ଥିଲେ । ତେବେ ତାଙ୍କର ଖାସିୟତ ହେଉଛି ସେ, ଘରର ପରିବେଶରେ ପଢିବାକୁ ସପନ୍ଦ କରୁଥିଲେ । ତାଙ୍କର ସମସ୍ତ ଭଉଣୀମାନେ ପାଠପଢାରେ ବେଶ୍ ତେଜ ଥିଲେ, ସେଥିପାଇଁ ସେଇ ମାହୋଲରେ ରହିବାକୁ ସେ ଖୁସି ହେଉଥିଲେ ।
ଦିଲ୍ଲୀରେ କରୁଥିଲେ ଇଞ୍ଜିନିୟରିଂ
ସେ ଦିଲ୍ଲୀ କଲେଜ ଅଫ୍ ଇଞ୍ଜିନିୟରିଂ ରେ ଆଡମିଶନ ନେଇଥିଲେ ଏବଂ ମେକାନିକାଲ୍ ଇଞ୍ଜିନିୟରିଂ ଅଧ୍ୟୟନ କରିଥିଲେ । ପଦାର୍ଥ ବିଜ୍ଞାନରେ ଜାତୀୟ ଅଲିମ୍ପିଆଡ ଜିତିବାରେ ସଫଳ ହୋଇଥିଲେ । ବାସ୍ତବରେ, ସୁଶାନ୍ତ ଇଞ୍ଜିନିୟରିଂ ପଢିବାକୁ ଇଚ୍ଛୁକ ନଥିଲେ କିନ୍ତୁ, ପରିବାରର ଆଦେଶରେ ସେ ଏହା କରିଥିଲେ । ତେବେ ତାଙ୍କର ଇଚ୍ଛା ଥିଲେ ମହାକାଶଚାରୀ କିମ୍ବା ବାୟୁସେନାରେ ପାଇଲଟ୍ ହେବାକୁ । ଦିଲ୍ଲୀରେ ଥିବାବେଳେ ତାଙ୍କର ଆଗ୍ରହ ଚଳଚ୍ଚିତ୍ର ପ୍ରତି ବଢିବାରେ ଲାଗିଥିଲା । ସେ ଅନୁଭବ କରିଥିଲେ ଯେ ସେ ଏହି କ୍ଷେତ୍ରରେ ଆଗକୁ ବଢିବା ଉଚିତ୍ ହେବ । ସୁଶାନ୍ତ ଶାହାରୁଖ ଖାନଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ।
ପାଠପଢା ଛାଡି ଯାଇଥିଲେ ମୁମ୍ୱାଇ
କଲେଜ ସମୟରେ ସୁଶାନ୍ତ ଶ୍ୟାମକ୍ ଡାଭର୍ ଡ୍ୟାନ୍ସ କ୍ଲାସରେ ଆଡମିଶନ ନେଇଥିଲେ । ସେ ଜଣେ ଉତ୍କୃଷ୍ଟ ନୃତ୍ୟଶିଳ୍ପୀ ମଧ୍ୟ ଥିଲେ । ଫିଲ୍ମ 'ଧୁମ୍ ୨'ରେ ସେ ହ୍ରିତିକ ରୋଶନଙ୍କ ସହ ବ୍ୟାକ ରାଉଣ୍ଡ ଡ୍ୟାନ୍ସ କରିଥିଲେ। ଏହାସହ ୨୦୦୬ରେ କମନୱେଲଥ ଗେମ୍ସରେ, ସେ ସମାରୋହରେ ଐଶ୍ୱର୍ଯ୍ୟା ରାୟଙ୍କ ସହ ନାଚିଥିଲେ । ତେବେ ସେବେଠାରୁ ତାଙ୍କର ଅଭିନୟ ପ୍ରତି ନିଶା ବଳିଷ୍ଠ ହେବାରେ ଲାଗିଥିଲା । ଏଥିପାଇଁ ସେ କଲେଜର ଚତୁର୍ଥ ବର୍ଷର ପାଠପଢା ଛାଡି ନିଜ ଭାଗ୍ୟ ପରୀକ୍ଷା କରିବାକୁ ପହଞ୍ଚିଥିଲେ ମାୟାନଗରୀ ମୁମ୍ବାଇ ।
ଛୋଟ ପରଦାରେ ମିଳିଥିଲା ବ୍ରେକ୍
ଏହାପରେ ସୁଶାନ୍ତ ନାଦିରା ବାବରଙ୍କ ଥିଏଟର ଗ୍ରୁପରେ ଯୋଗ ଦେଇ ପ୍ରାୟ ଦେଇଥିଲେ । ସେ ମୁମ୍ବାଇର ପ୍ରସିଦ୍ଧ ପ୍ରୀତି ଥିଏଟରରେ କାମ କରୁଥିଲେ । ଦିନେ ବାଲାଜୀ ଟେଲିଫିଲ୍ମର କାଷ୍ଟିଂ ଟିମ୍ ତାଙ୍କୁ ଦେଖିଥିଲେ । ତାଙ୍କୁ ଏକ ଅଡିସନ୍ ପାଇଁ ଡକାଯାଇଥିଲା । ୨୦୦୮ରେ ପ୍ରଥମ ଥର ପାଇଁ 'କିସ୍ ଦେଶ ମେନ୍ ହେ ମେରା ଦିଲ୍' ରେ ତାଙ୍କୁ ମିଳିଥିଲା ସୁଯୋଗ । ଏହାପରେ ଆରମ୍ଭ ହୋଇଥିଲା ଛୋଟ ପରାଦାରେ ତାଙ୍କର ଅଭିନୟ ଯାତ୍ରା ।
ମ।ନବ ରୂପେ ହୋଇଥିଲେ ଫେମସ୍
ଏକତା କପୁର ତାଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇଥିଲେ ଯେ, ୨୦୦୯ରେ 'ପବିତ୍ର ରିସ୍ତା'ରେ ମୁଖ୍ୟ ଚରିତ୍ରର ଭୂମିକା ପ୍ରଦାନ କରିଥିଲେ । ଏହି ସିରିଏଲ ପରେ ସେ ମାନବ ନାମରେ ସେ ବେଶ୍ ପ୍ରସିଦ୍ଧ ହୋଇଗଲେ । ଏଥିରେ ଅଙ୍କିତା ଲୋଖଣ୍ଡେ ତାଙ୍କ ସହ ଥିଲେ । ଉଭୟଙ୍କ ଯୋଡିଙ୍କୁ ପରଦାରେ ଲୋକେ ବହୁତ ପସନ୍ଦ କରିଥିଲେ ।
ବଲିଉଡରେ ଡେବ୍ୟୁ
୨୦୧୧ରେ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କ ନଜର ପଡିଥିଲା ସୁଶାନ୍ତ ସିଂ ଉପରେ । ସେ ତାଙ୍କର ଫିଲ୍ମ ପାଇଁ ତାଙ୍କୁ ଅଡିସନ ଦେବାକୁ କହିଥିଲେ। ଆଉ ୨୦୧୩ରେ 'କାଇ ପୋ ଚେ' ଜରିଆରେ ବଲିଉଡରେ କରିଥିଲେ ଡେବ୍ୟୁ । ଏହା ପରେ ସୁଶାନ୍ତ 'ଶୁଦ୍ଧ ଦେଶୀ ରୋମାନ୍ସ', 'ପି.କେ', 'ଏମଏସ ଧୋନି', 'କେଦାରନାଥ' ଏବଂ 'ଛିଚୋର' ସମେତ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
୨୦୨୦ରେ ହାରିଥିଲେ ଜୀବନ
ଗତ ବର୍ଷ ଜୁନ୍ ୧୪ ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ଘରୁ ଉଦ୍ଧାର ହୋଇଥିଲା । ତାଙ୍କ ମୃତ୍ୟୁ ପରେ ତାଙ୍କୁ କୁହାଯାଇଥିଲା ଯେ ସେ ଡିପ୍ରେସନରେ ପୀଡିତ ଥିଲେ । ତେବେ ପରିବାର ସଦସ୍ୟ ହତ୍ୟା କରିଥିବା ଅଭିଯୋଗ କରିଥିଲେ । ଏହି ମାମଲା ପୂର୍ବରୁ ମୁମ୍ବାଇ ପୋଲିସ ଏବଂ ପାଟନା ପୋଲିସ ଦ୍ୱାରା ଅନୁସନ୍ଧାନ କରାଯାଇଥିଲା । ପରେ ସିବିଆଇ ଏହି ମାମଲାରେ ଏଣ୍ଟ୍ରି ମାରିଥିଲା । ବର୍ତ୍ତମାନ ଏହି ମାମଲାର ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯ।ଇଛି ତାହା ଏଯାଏଁ ରହିଛି ଅସ୍ପଷ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.