ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜ୍ଜୁ କଲେ ସୁଶାନ୍ତ ସିଂହ ରାଜପୁତଙ୍କ ପିତା

Published By : Prameya-News7 Bureau | July 28, 2020 IST

ମୁମ୍ବାଇ ୨୮/୦୭ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପିତା ପାଟଣା ରାଜୀବନଗର ଥାନାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି | ସୁଶାନ୍ତ ସିଂହଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ଠାରୁ ଟଙ୍କା ଆଦାୟ କରିବା ଓ ଆତ୍ମହତ୍ୟା ପାଇଁ ତାଙ୍କୁ ଉସୁକାଇବା ଅଭିଯୋଗରେ ମାମଲା ରୁଜ୍ଜୁ କରିଛନ୍ତି | ପାଟଣାରୁ ୪ଟି ପୋଲିସ ଟିମ ମୁମ୍ବାଇରେ ପହଞ୍ଚିଛନ୍ତି | ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ରିୟା ଚକ୍ରବର୍ତ୍ତୀଙ୍କୁ ପାଖାପାଖି ୧୧ ଘଣ୍ଟା ଜେରା କରିଥିଲା | କିଛି ଦିନ ପୂର୍ବରୁ ରିୟା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏହି ମାମଲାରେ ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ |

ସୁଶାନ୍ତ ସିଂହ ରାଜପୁତ ଜୁନ ୧୪ ତାରିଖରେ ନିଜର ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ | ପୋଲିସକୁ କୌଣସି ସୂଇସାଇଡ ନୋଟ ମିଳିନଥିଲା | ତାଙ୍କ ପୋଷ୍ଟ ମର୍ଟମ ରିପୋର୍ଟରେ ଜଣାପଡିଥିଲା ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନଥିଲା | ବେକରେ ଫାସୀ ଲଗାଇଥିବା ଯୋଗୁଁ ଅଣନିଶ୍ୱାସୀ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟ ମର୍ଟମ ରିପୋର୍ଟରେ କୁହାଯାଇଥିଲା | ଏହାପରେ ସୁଶାନ୍ତଙ୍କ ପ୍ରୋଭିଜନାଲ ଵିସରା ରିପୋର୍ଟ ସାମ୍ନାକୁ ଆସିଥିଲା | ତାଙ୍କ ଶରୀରରୁ କୌଣସି ପ୍ରକାର କେମିକାଲ କିମ୍ବା ବିଷାକ୍ତ ପଦାର୍ଥ ମିଳିନଥିବା ରିପୋର୍ଟରେ କୁହାଯାଇଥିଲା | ବର୍ତ୍ତମାନ ସୁଶାନ୍ତ ସିଂହଙ୍କ ଫାଇନାଲ ଵିସରା ରିପୋର୍ଟ ସାମ୍ନାକୁ ଆସିଛି | ଫାଇନାଲ ଵିସରା ରିପୋର୍ଟ କୌଣସି ପ୍ରକାର ଗଡବଡୀ ହୋଇନଥିବା ପୋଲିସ ସ୍ୱୀକାର କରିଛି | ବର୍ତ୍ତମାନ ପୋଲିସ ସୁଶାନ୍ତ ସିଂହଙ୍କ ପେଟ ଓ ନଖର ଫରେନସିକ ରିପୋର୍ଟକୁ ଅପେକ୍ଷା କରିଛି |

ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ଏବେ ସୁଦ୍ଧା ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ଆଦିତ୍ୟ ଚୋପ୍ରା, ସଞ୍ଜୟ ଲୀଳା ଭନସାଲି, ମହେଶ ଭଟ୍ଟ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟିଙ୍କୁ ପଚରାଉଚୁରା କରିଛି | ଖୁବ ଶୀଘ୍ର ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ମଧ୍ୟ ପୋଲିସ ଜେରା କରିବ ବୋଲି କୁହାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.