ସୁଶାନ୍ତଙ୍କ ପାଇଁ ସୁଇସାଇଡ : ଭାଇଜାଗରେ ଯୁବତୀଙ୍କ ଆତ୍ମହତ୍ୟା,ପ୍ରିୟ ଅଭିନେତାଙ୍କ ମୃତ୍ୟୁ ପରଠୁ ଅବସାଦରେ ଥିଲେ
20/06/2020 at 5:30 PM

ମୁମ୍ବାଇ ୨୦/୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ବଡ଼ ଝଟକା ଲାଗିଛି। କେହି ଚିନ୍ତା କରି ନଥିଲେ ଯେ ସୁଶାନ୍ତ ଆତ୍ମହତ୍ୟା କରିବେ। ତାଙ୍କ ପ୍ରଶଂସକଙ୍କ ପାଇଁ ମଧ୍ୟଏହି ଦୁଃଖଦ ଖବର ଅସହ୍ୟ ଥିଲା। ଭାଇଜାଗରେ ରହୁଥିବା ସୁଶାନ୍ତଙ୍କ ଜଣେ ମହିଳା ଫ୍ୟାନ୍ ସୁଶାନ୍ତଙ୍କ ମୃତ୍ୟୁରେ ଏତେ ଦୁଃଖୀ ହୋଇଥିଲେ ଯେ ସେ ଶେଷରେ ଆତ୍ମହତ୍ୟା କରି ଦେଇଛନ୍ତି। ପୋଲିସ୍ ଶନିବାର କହିଛି ଯେ ଆନ୍ଧ୍ରପ୍ରଦେଶର ବିଖାଖାପାଟଣାରେ ଜଣେ ୨୧ବର୍ଷ ବୟସ୍କା ଯୁବତୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବତୀ ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ଥିଲେ। ସେ ତାଙ୍କ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।
ଏହି ଘଟଣା ଜୁନ୍ ୧୬ତାରିଖର। କିନ୍ତୁ ପୋଲିସକୁ ତଦନ୍ତ ପୂରା ହେବା ପରେ ଶୁକ୍ରବାର ବିଳମ୍ବିତ ରାତିରେ ଆତ୍ମହତ୍ୟାର ଅସଲ କାରଣ ଜଣା ପଡ଼ିଥିଲା। ଏହି ଯୁବତୀ ସୁଶାନ୍ତଙ୍କ ଡାଇ ହାର୍ଟ ଫ୍ୟାନ୍ ଥିଲେ। ସୁଶାନ୍ତ ଜୁନ୍ ୧୩ରେ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କରିବା ପରଠୁ ଯୁବତୀ ଅବସାଦଗ୍ରସ୍ତ ରହୁଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ଯୁବତୀ ସୁଶାନ୍ତଙ୍କ ମୃତ୍ୟୁରେ ଅତ୍ୟନ୍ତ ଦୁଃଖୀ ଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଭିଡିଓ ଦେଖିବା ପରେ ଯୁବତୀ ଡିପ୍ରେସନରେ ଚାଲି ଯାଇଥିଲେ। ସେ ଘରର ସଦସ୍ୟଙ୍କ ସହ କଥା ହେବା ବନ୍ଦ କରି ଦେଇଥିଲେ।
ଜୁନ୍ ୧୬ତାରିଖରେ ସେ ଶୋଇବା ପାଇଁ ନିଜ ରୁମକୁ ଯାଇଥିଲେ। ଯେତେବେଳେ ଦୀର୍ଘ ସମୟ ଯାଏଁ କବାଟ ଖୋଲିନଥିଲା ସେତେବେଳେ ସେମାନେ କବାଟ ଭାଙ୍ଗି ଦେଖିଥିଲେ ଯେ ସେ ଫାଶୀ ଲଗାଇ ଦେଇଛନ୍ତି। ପୋଲିସ୍ ପ୍ରଥମେ ସନ୍ଦେହଜନକ ଭାବେ ମୃତ୍ୟୁ ମାମଲା ରୁଜୁ କରିଥିଲା। ପରେ ତଦନ୍ତରୁ ଜଣା ପଡ଼ିଥିଲା ଯେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ବଡ଼ ପ୍ରଶଂସକ ଥିଲେ। ପୋଷ୍ଟମୋର୍ଟମ ରିପୋର୍ଟରେ ମଧ୍ୟ ଆତ୍ମହତ୍ୟା କଥା ଜଣା ପଡ଼ିଥିଲା।