ରିୟାଙ୍କ ବିରୋଧରେ ବୟାନ ଦେବା ପାଇଁ ପରିବାର ଲୋକେ ପକାଉଥିଲେ ଚାପ : ମୁହଁ ଖୋଲିଲେ ସୁଶାନ୍ତଙ୍କ ରୁମମେଟ୍
31/07/2020 at 11:38 AM

ମୁମ୍ବାଇ ୩୧/୭: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଯେବେଠାରୁ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି,ତଦନ୍ତରେ ନୂଆ ମୋଡ଼ ଆସିଛି। ବିହାର ପୋଲିସ୍ ଏହି ମାମଲାରେ ଜଡ଼ିତ ଲୋକଙ୍କୁ ପଚରାଉଚୁରା କରୁଛି। ରିୟା ନିଜ ବିରୋଧରେ ବିହାରରେ ରୁଜୁ ହୋଇଥିବା ମାମଲାର ତଦନ୍ତକୁ ମୁମ୍ବାଇ ଟ୍ରାନ୍ସଫର କରିବାକୁ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ ରିୟା ସୁଶାନ୍ତଙ୍କ ପରିବାର ଲଗାଇଥିବା ଅଭିଯୋଗକୁ ଭୁଲ୍ ବୋଲି କହିଛନ୍ତି। ଏବେ ଶୁଣିବାକୁ ମିଳୁଛି ଯେ ସୁଶାନ୍ତଙ୍କ ପରିବାର ତାଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ରିୟାଙ୍କ ବିରୋଧରେ ବୟାନ ଦେବାକୁ ଚାପ ପ୍ରୟୋଗ କରୁଛି।
ସୂଚନା ଅନୁଯାୟୀ ବାନ୍ଦ୍ରା ପୋଲିସକୁ ସିଦ୍ଧାର୍ଥ ପିଠାନୀ ଏକ ଇମେଲ୍ ପଠାଇଛି ଯେଉଁଥିରେ ଲେଖା ଯାଇଛି ଯେ ସୁଶାନ୍ତଙ୍କ ପରିବାର ତାଙ୍କୁ ରିୟାଙ୍କ ବିରୋଧରେ ମିଛ ବୟାନ ଦେବାର ଚାପ ପ୍ରୟୋଗ କରୁଛି। ଏହି ଇମେଲ୍ ବାନ୍ଦ୍ରା ପୋଲିସକୁ ଜୁଲାଇ ୨୮ତାରିଖରେ ପଠାଯାଇଛି। ଇମେଲରେ ପିଠାନୀ ଲେଖିଛନ୍ତି ଯେ ତାଙ୍କୁ ଜୁଲାଇ ୨୨ତାରିଖରେ ଏକ କନଫରେନ୍ସ କଲ୍ ଆସିଥିଲା। ସେଥିରେ ଲାଇନରେ ସୁଶାନ୍ତଙ୍କ ବ୍ରଦର ଇନ୍ ଲ,ସିନିୟର ଆଇପିଏସ୍ ଅଫିସର ଓପି ସିଂହ,ମିତୁ ସିଂହ ଏବଂ ଆଉ ଜଣେ ବ୍ୟକ୍ତି ଥିଲେ। ପିଠାନୀଙ୍କୁ Mount Blanc ସୋସାଇଟିରେ ସୁଶାନ୍ତଙ୍କ ସହ ରହୁଥିବାବେଳେ ରିୟା ଏବଂ ତାଙ୍କ ଖର୍ଚ୍ଚ ବିଷୟରେ ପ୍ରଶ୍ନ କରାଯାଇଥିଲା।
ଇମେଲରେ ଲେଖାଯାଇଛି ଯେ ଜୁଲାଇ ୨୭ତାରିଖରେ ପିଠାନୀଙ୍କୁ ପୁଣି ଥରେ ଓପି ସିଂହଙ୍କ ଫୋନ୍ ଆସିଥିଲା। ସେ ପିଠାନୀଙ୍କୁ କହିଥିଲେ ଯେ ସେ ବିହାର ପୋଲିସକୁ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ବୟାନ ଦିଅନ୍ତୁ। ପିଠାନୀଙ୍କୁ କୁହାଯାଇଥିଲା ଯେ ଖୁବ୍ ଶୀଘ୍ର ତାଙ୍କ ପାଖକୁ ଏକ କଲ୍ ଯିବ। ପିଠାନୀଙ୍କୁ ପୁଣି ଏକ ନମ୍ବରରୁ ହ୍ବାଟସଆପ୍ କଲ୍ କରାଯାଇଥିଲା। ଏହି ନମ୍ବରର ପତ୍ତା ଲଗାଯିବାରୁ ଜଣା ପଡ଼ିଥିଲା ଯେ ଏହି ନମ୍ବର ନୀଲୋପ୍ପଲ ମୃଣାଳଙ୍କ ସହ ଜଡ଼ିତ। ଏହି ବ୍ୟକ୍ତି ବିହାର ପୋଲିସ୍ ସହ ବିଏମଡବ୍ଲ୍ୟୁରେ ଥିଲେ ଏବଂ ଗାଡ଼ି ଚଲାଉଥିଲେ।