ସୁଶାନ୍ତ ସିଂହ କେସ୍: ସୁପ୍ରିମକୋର୍ଟରେ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ, ସବୁ ପକ୍ଷଙ୍କୁ ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | August 11, 2020 IST

ନୂଆଦିଲ୍ଲୀ ୧୧।୦୮: ବଲିଉଡ  ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌ରେ ରିୟା ଚକ୍ରବର୍ତ୍ତୀଙ୍କ ଦ୍ଵାରା କେସ୍ ଟ୍ରାନ୍ସଫର ପାଇଁ ଦାୟର ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ସୁଶାନ୍ତ କେସର ଯାଞ୍ଚ ପୋଲିସ କରିବ କି ସିବିଆଇ ଏହା ଉପରେ ନିଜର ରାୟ ଗୁରୁବାର ଶୁଣାଇ ପାରନ୍ତି। ଏହି କେସରେ ରିୟା ଚକ୍ରବର୍ତ୍ତୀଙ୍କ ପକ୍ଷରୁ ଶ୍ୟାମ ଦିଓ୍ଵାନ, ମହାରାଷ୍ଟ୍ର ସରକାର ପକ୍ଷରୁ ଅଭିଷେକ ମନୁ ସିଙ୍ଘଭି, ବିହାର ସରକାରଙ୍କ ପକ୍ଷରୁ ମନିନ୍ଦର ସିଂହ ଏବଂ ଭାରତ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ନିଜ ନିଜର ପକ୍ଷ ରଖିଛନ୍ତି। ସୁପ୍ରିମକୋର୍ଟ ଗୁରୁବାର ସୁଦ୍ଧା ଲିଖିତ ଯାଚିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସିବିଆଇ କରିପାରେ ଯାଞ୍ଚ

ନିଜ ପକ୍ଷରେ ତୁଷାର ମେହଟ୍ଟା କହିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପ୍ରଥମରୁ ହିଁ ମାମଲାର ଯାଞ୍ଚ କରୁଛି। ଏମିତି ସ୍ଥିତିରେ ଯଦି ଅନ୍ୟ କୌଣସି କେନ୍ଦ୍ରୀୟ ଏଜେନ୍ସି ମାମଲା ରେଜିଷ୍ଟର କରେ ତେବେ ଦ୍ଵିତୀୟ କେନ୍ଦ୍ରୀୟ ଏଜେନ୍ସି(ସିବିଆଇ) ମଧ୍ୟ କେସ୍‌ର ଯାଞ୍ଚରେ ସାମିଲ ହେବା ଉଚିତ୍।

ବିହାର ସରକାର ସୁପ୍ରିମକୋର୍ଟରେ କହିଛନ୍ତି ମୁମ୍ଵାଇରେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପାଟନାରେ ଏଫଆଇଆର ରୁଜୁ ହେବ ଆଇନତଃ ବୈଧ ଅଟେ। ଏହା ସହିତ ଅଭିଯୋଗ କରିଛି ମହାରାଷ୍ଟ୍ର ପୋଲିସ ଏହି ମାମଲାରେ ତଦନ୍ତରେ ସହଯୋଗ କରି ନାହିଁ। ଏପରିକି ବିହାର ପୋଲିସକୁ ଶବ ବ୍ୟବଚ୍ଛେଦର ରିପୋର୍ଟ ମଧ୍ୟ ଦିଆଯାଇ ନାହିଁ।

ବିଚାରପତି ହୃଷିକେଶ ରାୟଙ୍କୁ ବିହାର ସରକାରଙ୍କ ପକ୍ଷରୁ ହାଜର  ବରିଷ୍ଠ ଓକିଲ ମହିନ୍ଦର ସିଂହ କହିଛନ୍ତି ରାଜପୁତଙ୍କ କେସରେ ମୁମ୍ବାଇରେ ଏ ପର୍ଯ୍ୟନ୍ତ ଏଫଆଇଆର ରୁଜୁ ହୋଇ ନାହିଁ। ସେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଦ୍ଵାରା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ରିୟା ଚକ୍ରବର୍ତ୍ତୀଙ୍କ ପକ୍ଷରୁ ଉପସ୍ଥିତ ଆଡଭୋକେଟ୍ ଶ୍ୟାମ ଦିଓ୍ଵାନ ନ୍ୟାୟାଳୟରେ ଦଲିଲ୍ ଦେଇଛନ୍ତି ଯେ, ଦିବଗନ୍ତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପିତା ଦ୍ଵାରା ନିଜ ପୁତ୍ରଙ୍କ ଆତ୍ମହତ୍ୟା ଘଟଣାରେ ଅଭିନେତ୍ରୀଙ୍କ ବିରୋଧରେ ରୁଜୁ କରିଥିବା ଏଫଆଇଆରର ପାଟନାରେ କୌଣସି ଅପରାଧ ସହ ସଂପର୍କ ନାହିଁ। ଲାଗୁଛି ଏହି ମାମଲାରେ ରାଜ୍ୟର ବହୁତ ଅଧିକ ଦଖଲ ଏବଂ ପ୍ରଭାବ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.