ସୁଶାନ୍ତଙ୍କ ବେକରେ ଥିଲା ଏକାଧିକ ଛୁଞ୍ଚି ଚିହ୍ମ, ବିଷ ଇଞ୍ଜେକ୍ସନ ଦେଇ କରାଯାଇଛି ହତ୍ୟା ! ହସ୍ପିଟାଲ କର୍ମଚାରୀ ଖୋଲିଲେ ଗୁମର

Published By : Prameya-News7 Bureau | August 30, 2020 IST

ମୁମ୍ବାଇ,୩୦|୦୮: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଇତିମଧ୍ୟରେ ଅଢ଼େଇମାସ ବିତିଯାଇଛି । ଏହା ଆତ୍ମହତ୍ୟା ନା ହତ୍ୟା? ସତ୍ୟ ସନ୍ଧାନ ପାଇଁ ସିବିଆଇ ଗତ ୯ ଦିନ ହେଲା ତଦନ୍ତ ଜାରି ରଖିଛି । ଏଭଳି ସ୍ଥିତିରେ ନିଜକୁ କୁପର ହସ୍ପିଟାଲର କର୍ମଚାରୀ ଦାବି କରୁଥିବା ଜଣେ ବ୍ୟକ୍ତି ସୁଶାନ୍ତଙ୍କ ବାବଦରେ କିଛି ନୂଆ ତଥ୍ୟ ଖୁଲାସା କରିଛନ୍ତି । ସେ କହିଛନ୍ତି, ସୁଶାନ୍ତଙ୍କ ବେକରେ ଏକାଧିକ ଛୁଞ୍ଚି ଚିହ୍ନ ଥିଲା ଏବଂ ତାଙ୍କ ପାଦ ଭଙ୍ଗା ଅବସ୍ଥାରେ ରହିଥିଲା । ତେଣୁ ତାଙ୍କୁ ବିଷ ଇଞ୍ଜେକ୍‌ସନ୍‌ ଦିଆଯାଇ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

ଅଭିନେତା ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ସେୟାର କରିଥିବା ଏକ ଭିଡିଓରୁ ଏହି ସୂଚନା ମିଳିଛି । ଭିଡିଓ ପୋଷ୍ଟ କରି ଶ୍ୱେତା ଲେଖିଛନ୍ତି, ‘ହେ ଭଗବାନ! ଏଭଳି ଖବର ଶୁଣିବା ପରେ ମୋ ହୃଦୟ ଲକ୍ଷାଧିକ ଥର ଭାଙ୍ଗିଯାଇଛି । ସେମାନେ ମୋ ଭାଇ ସହ କ’ଣ କରିଥିଲେ? ଦୟାକରି ସେମାନଙ୍କୁ ତୁରନ୍ତ ଗିରଫ କରନ୍ତୁ ।’ ଶ୍ୱେତା ଏକ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ଖବରରୁ ଉକ୍ତ ଭିଡିଓ ହାସଲ କରିଥିଲେ ।

ଭିଡିଓରେ କର୍ମଚାରୀ ଜଣକ କହୁଛନ୍ତି, ‘ମୁଁ କେବଳ ଏତିକି ଜାଣିଛି ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା । ତାଙ୍କ ବେକରେ ୧୫-୨୦ଟି ଛୁଞ୍ଚି ଫୋଡ଼ା ଚିହ୍ନ ଥିଲା । ତାଙ୍କୁ କେହି ବାରମ୍ବାର ଛୁଞ୍ଚି ଫୋଡ଼ିଥିବା ଭଳି ମନେହେଉଛି । ମୁଁ ତାଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ରଖିବା ବେଳେ ତାଙ୍କ ବେକରେ ଏକ ଫିତା ଦବାଯାଇଥିବା ଦେଖିବାକୁ ପାଇଥିଲି । କୁପର ହସ୍ପିଟାଲକୁ ତାଙ୍କ ମୃତଦେହ ଆସିଲା ବେଳେ ତାଙ୍କ ପାଦ ଭାଙ୍ଗିଥିବା ଦେଖିବାକୁ ପାଇଥିଲି ।’ ସେ ଆହୁରି କହିଛନ୍ତି, ‘ହସ୍ପିଟାଲକୁ ରିୟା ଚକ୍ରବର୍ତ୍ତୀ ଯେବେ ଆସିଲେ ତାଙ୍କ ସହ ଦୁଇଜଣ ଲୋକ ଥିଲେ । ଜଣେ ଡେଙ୍ଗା ବ୍ୟକ୍ତି ଥିଲେ । ସେମାନେ ମୋତେ ସୁଶାନ୍ତଙ୍କ ମୃତଦେହ ଦେଖିପାରିବୁ କି ବୋଲି ପଚାରିଥିଲେ । ମୁଁ ଦେଖାଇଥିଲି । ଏହାପରେ ସେମାନେ କ୍ଷମା ପ୍ରାର୍ଥନା କରିଥିଲେ । ପରେ ମୋତେ ବାହାରକୁ ପଠାଇ ଦିଆଯାଇଥିଲା । ୨୫ ମିନିଟ୍‌ ପର୍ଯ୍ୟନ୍ତ ରିୟା ଭିତରେ ଥିଲେ ଏବଂ ସେ ବାରମ୍ବାର କ୍ଷମା ମାଗୁଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ କିଛି ବଡ଼ ଡାକ୍ତର କହିଥିଲେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ।’ ତାଙ୍କ ମୁତାବକ ସୁଶାନ୍ତଙ୍କ ଶରୀର ହଳଦିଆ ପଡ଼ିଯାଇଥିଲା । ଫାଶିରେ ହେଉଥିବା ଆତ୍ମହତ୍ୟାରେ ଶରୀର କଦାପି ହଳଦିଆ ପଡ଼ି ନ ଥାଏ । ହସ୍ପିଟାଲରେ କାମ କରିବା ଭିତରେ ମୁଁ ଏହା ଆଦୌ ଦେଖିନାହିଁ । ତେବେ ଏମ୍‌ସ ଡାକ୍ତରମାନେ ଏବେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଯାଞ୍ଚ କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.