ସୁଶାନ୍ତଙ୍କ ଫୋନରେ ୫ ଦିନରେ ବଦଳିଥିଲା ୧୪ ସିମ୍ କାର୍ଡ, ଏସଆଇଟିକୁ ମିଳିଲା ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ୍

Published By : Prameya-News7 Bureau | August 02, 2020 IST

ମୁମ୍ବାଇ, ୦୨|୦୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରୁଥିବା ପାଟନା ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଛି । ଏବେସୁଦ୍ଧା ବିଭିନ୍ନ ଲୋକଙ୍କ ବୟାନ ରେକର୍ଡ ପରେ ଏସଆଇଟି ଏକ ଚକିତ କଲା ଭଳି ଖବର ପାଇଛି । ଜୁନ ୯ରୁ ୧୩ ତାରିଖ ମଧ୍ୟରେ ସୁଶାନ୍ତଙ୍କ ଫୋନରେ ୧୪ଟି ସିମ୍ ବଦଳା ଯାଇଥିଲା ବୋଲି ଜଣାପଡିଛି ।

ଏହାମଧ୍ୟ କୁହାଯାଉଛି ଯେ, ଏକ ସୁପରିକଳ୍ପିତ ଭାବେ ସୁଶାନ୍ତଙ୍କ ଫ୍ଲାଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଗାଏବ କରିଦିଆଯାଇଛି। ତେଣୁ ଏସଆଇଟିକୁ ଫୁଟେଜ ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ପ୍ରମାଣ ମିଳୁନାହିଁ । ଏନେଇ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେୟ କହିଛନ୍ତି । ଏବେ ସୁଶାନ୍ତଙ୍କ ପୋଷ୍ଟମଟର୍ମକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସିବିଆଇ ତଦନ୍ତ ଦାବି କରୁଥିବା କିଛି ବ୍ୟକ୍ତି କହିଛନ୍ତି ଯେ, ସାଧାରଣତଃ ସକାଳ ୬ରୁ ସନ୍ଧ୍ୟା ୬ଟା ମଧ୍ୟରେ ପୋଷ୍ଟମଟର୍ମ ହୁଏ । ବିଶେଷ ପରିସ୍ଥିତିରେ ମାଜିଷ୍ଟ୍ରେଟଙ୍କ ଆଦେଶରେ ରାତିରେ ପୋଷ୍ଟମଟର୍ମ କରାଯାଏ  । କିନ୍ତୁ ବାନ୍ଦ୍ରା ପୋଲିସ ଏହାକୁ ଖାତିର ନକରି ରାତି ୧ଟାରେ ପୋଷ୍ଟମଟର୍ମ କରିଥିଲା ।

ଏତତ୍ ବ୍ୟତୀତ ମୁମ୍ବାଇ ପୋଲିସ ପକ୍ଷରୁ ଏସଆଇଟିକୁ କୌଣସି ସୁରକ୍ଷା ପ୍ରଦାନ କରାଯାଇ ନାହିଁ । ଟିମ୍‌ର ଜଣ ସଦସ୍ୟ ଏକା ଅନେକ ଲୋକଙ୍କୁ ପଚରାଉଚୁରା କରୁଛନ୍ତି ।

କୋଟାକ ମହିନ୍ଦ୍ରା ବ୍ୟାଙ୍କ୍ ଆକାଉଣ୍ଟରୁ ଅନେକ ଖୁଲାସା

ରିୟା ଅଧିକ ସମୟ ସୁଶାନ୍ତଙ୍କ ଘରେ ପୂଜାପାଠ କରୁଥିଲେ । ଗୋଟିଏ ମାସରେ ୩,୪ଥର ପୂଜା ହେଉଥିଲା । ଏଥିପାଇଁ ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ଖର୍ଚ୍ଚ ହେଉଥିଲା । ୨୦୧୯ ଜୁଲାଇ ୧୪ରୁ ୧୫ ଅଗଷ୍ଟ ମଧ୍ୟରେ ୩ ଥର ସୁଶାନ୍ତଙ୍କ ଖାତାରୁ ପଣ୍ଡିତଙ୍କୁ ଦାନ ଦିଆଯାଇଛି । ପ୍ରାୟ ୨ ଲକ୍ଷ ଟଙ୍କା ଏଥିରେ ଖର୍ଚ୍ଚ ହୋଇଛି । ସୁଶାନ୍ତଙ୍କ ପିତା ମଧ୍ୟ ଏନେଇ ଅଭିଯୋଗ କରିଛନ୍ତି । ଭୂତ ପ୍ରେତ କଥା କହି ସୁଶାନ୍ତଙ୍କୁ ଡରାଉଥିଲେ । ବ୍ୟାଙ୍କ୍ ଷ୍ଟେଟମେଣ୍ଟ ମଧ୍ୟ ସାମ୍ନାକୁ ଆସିଛି ।

ପାଟନା ପୋଲିସର ତଦନ୍ତରେ ଏହି ସବୁ ସୁରାକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଆଗାମୀ କାର୍ଯ୍ୟାନୁଷ୍ଠାନରେ ବ୍ୟବହାର କରାଯାଇପାରିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.