ଟେଷ୍ଟ ଟିମ୍‌ରେ ଏହି ୩ ଖେଳାଳିଙ୍କ ପାଇଁ କଣ୍ଟା ସାଜିପାରନ୍ତି ସୂର୍ଯ୍ୟକୁମାର ଯାଦବ, ଇଂଲଣ୍ଡ ସିରିଜ୍‌ ହୋଇପାରେ ନିର୍ଣ୍ଣାୟକ

Published By : Prameya-News7 Bureau | July 28, 2021 IST

ନୂଆଦିଲ୍ଲୀ ୨୮/୭: ବିରାଟ କୋହଲିଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ୪ ଅଗଷ୍ଟରୁ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ। ଏହି ସିରିଜ୍‌ ପାଇଁ ଆହତ ହେବା ପରେ ଭାରତୀୟ ଟିମ୍‌ରୁ ବାଦ ପଡ଼ିଥିବା ଶୁଭମନ ଗିଲ୍‌ ଏବଂ ଓ୍ବାସିଂଟନ ସୁନ୍ଦରଙ୍କ ସ୍ଥାନରେ ପୃଥ୍ବୀ ଶ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇଛି ।

ଅନ୍ୟ ଖେଳାଳିଙ୍କ ପାଇଁ ସୂର୍ଯ୍ୟକୁମାର କାଳ
ସୂର୍ଯ୍ୟକୁମାର ଯାଦବ ଚଳିତବର୍ଷ ଟିମ୍‌ ଇଣ୍ଡିଆ ପକ୍ଷରୁ ଟି-୨୦ ଏବଂ ଦିନିକିଆରେ ଦମଦାର ଡେବ୍ୟୁ କରିଛନ୍ତି। ଏହାର ପ୍ରତିବଦଳରେ ତାଙ୍କୁ ଟେଷ୍ଟ ଟିମ୍‌ରେ ସାମିଲ କରାଯାଇଛି। କିନ୍ତୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ଲେଇଂ ଇଲେଭେନ୍‌ରେ ସାମିଲ୍‌ କରାଯିବକି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଯଦି ଏମିତି ହେଲା ତେବେ ସେ ଅନେକ ଖେଳାଳିଙ୍କ ପାଇଁ ଅସୁବିଧା ଆଣପାରନ୍ତି। ସୂର୍ଯ୍ୟକୁମାର ଏହି ସିରିଜ୍‌ରେ ଭଲ ଖେଳିଲେ ଏହି ୩ ଖେଳାଳିଙ୍କ ପାଇଁ ଅଡ଼ୁଆ ବଢ଼ିବ।

୧- ଚେତେଶ୍ବର ପୂଜାରା
ସୂର୍ଯ୍ୟକୁମାର ଯାଦବ ଭାରତୀୟ ଟିମ୍‌​ରେ ଚେତେଶ୍ବର ପୂଜାରାଙ୍କ ଭଲ ରିପ୍ଲେସମେଣ୍ଟ ସାବ୍ୟସ୍ତ ହୋଇପାରନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ପୂଜାରା ଗୋଟିଏ ବି ଶତକ ମାରିନାହାନ୍ତି। ସେ ନିଜର ଶେଷ ଟେଷ୍ଟ ଶତକ ଜାନୁଆରୀ ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ କରିଥିଲେ। ତେଣୁ ନମ୍ବର-୩ର ରିପ୍ଲେସମେଣ୍ଟ ନେଇ ଦାବି ହେଉଛି। ତେବେ ସତରେ କଣ ପୂଜାରାଙ୍କ ସ୍ଥାନ ନେଇଯିବେ ସୂର୍ଯ୍ୟକୁମାର ଯାଦବ ?

୨- ଅଜିଙ୍କ୍ୟ ରାହାଣେ
ଅଜିଙ୍କ୍ୟ ରାହାଣେଙ୍କ ପାଖରୁ ଆଇସିସି ଓ୍ବାର୍ଲଡ୍‌ ଟେଷ୍ଟ ଚାମ୍ପିୟନସିପ୍‌ ଫାଇାନଲେ ଅନେକ ଆଶା ଥିଲା କିନ୍ତୁ ପୂରଣ ହୋଇପାରିଲା ନାହିଁ। ଶେଷ ଶତକ ମେଲବର୍ଣ୍ଣ ଟେଷ୍ଟରେ ଲଗାଇଥିଲେ ରାହାଣେ। ତାଙ୍କର ପ୍ରଦର୍ଶନରେ ସ୍ଥିରତା ନାହିଁ। ଏମିତି ସମୟରେ ସୂର୍ଯ୍ୟକୁମାର ଟେଷ୍ଟରେ ଭଲ ପ୍ରଦର୍ଶନ କଲେ ରାହାଣେଙ୍କ ପାଇଁ ଅଡ଼ୁଆ ବଢ଼ିପାରେ ।

୩- ହନୁମା ବିହାରୀ
ହନୁମା ବିହାରୀଙ୍କୁ ପୁଣି ଥରେ ଟେଷ୍ଟ ବିଶେଷଜ୍ଞ ଭାବେ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ ଟୁରରେ ୫ ପାଳିରେ ସେ ୧୬,୮,୨୧,୪ ଏବଂ ୨୩ (ନଟ ଆଉଟ୍‌)  ରନ୍‌ କରିଥିଲେ। କିନ୍ତୁ ସିଡନୀ ଟେଷ୍ଟରେ ସେ ଅପରାଜିତ ରହି ମ୍ୟାଚ୍‌ ଡ୍ର କରିଥିଲେ । ସେଥିପାଇଁ ତାଙ୍କର ଖୁବ ପ୍ରଶଂସା ହୋଇଥିଲା। ଏବେ ଇଂଲଣ୍ଡରେ ତାଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ନଚେତ ଚୟନକର୍ତ୍ତା ବିକଳ୍ପ ଖୋଜିଲେ ବାଜି ନେଇପାରନ୍ତି ସୂର୍ଯ୍ୟକୁମାର ଯାଦବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.