ପବିତ୍ର ଶାମ୍ବ ଦଶମୀରେ ଅର୍କକ୍ଷେତ୍ରରେ ଗଡିଲା ସୂର୍ଯ୍ୟ ରଥ, ଜମିଛି ଶ୍ରଦ୍ଧାଳୁଙ୍କ ଭିଡ

Published By : Prameya-News7 Bureau | January 23, 2021 IST

କୋଣାର୍କ ୨୩।୧: ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ରରେ କୋଣାର୍କ-ଚନ୍ଦ୍ରଭାଗା ବେଳାମାର୍ଗ ଚଳଚଞ୍ଚଳ ହୋଇଉଠିଛି । ସୂର୍ଯ୍ୟ ଉପାସକମାନେ ପ୍ରାତଃରୁ ଚନ୍ଦ୍ରଭାଗାଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ ଦେବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ତିଥିରେ ନିକଟସ୍ଥ ଅବଧୂତ ମଠରୁ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗାଠାରେ ପହଞ୍ଚିଥିଲା ।

{"id":396880,"sizeSlug":"large","linkDestination":"none"}

ପରମ୍ପରା ଓ କିମ୍ବଦନ୍ତୀ ଅନୁସାରେ ଶାମ୍ବ ଦଶମୀ ଦିନ ଚନ୍ଦ୍ରଭାଗାଠାରେ ସ୍ନାନ କରି ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ କଲେ ପରିବାର ସଦସ୍ୟମାନଙ୍କ ଶରୀରରେ ଥିବା ରୋଗ ମୁକ୍ତ ହେବା ସହ ମନୋସ୍କାମନା ପୂରଣ ଓ ପରିବାରର ମଙ୍ଗଳ ହୋଇଥାଏ ।

{"id":396881,"sizeSlug":"large","linkDestination":"none"}

ପୌରାଣିକ କଥା ଅନୁସାରେ ପ୍ରଭୁ ଶ୍ରୀ କୃଷ୍ଣ, ଜାମ୍ବବତୀଙ୍କ ସହ ରତିକ୍ରୀଡାରେ ଥିବାବେଳେ ପୁତ୍ର ଶାମ୍ବ ସେଠାରେ ପହଞ୍ଚି ଯାଇଥିଲେ । ପ୍ରଭୁ ଶ୍ରୀ କୃଷ୍ଣ ରାଗିଯାଇ ଶାମ୍ବକୁ କୁଷ୍ଠ ରୋଗର ଅଭିଶାପ ଦେଇଥିଲେ । ପରେ ଅଭିଶାପ ଯୋଗୁଁ ଶାମ୍ବ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ । କୁଷ୍ଠ ରୋଗରୁ ମୁକ୍ତ ହେବା ପାଇଁ ଶାମ୍ବ ନାରଦ ମୁନିଙ୍କ ଶରଣାପନ୍ନ ହୋଇଥଲେ । ସୂର୍ଯ୍ୟନାରାୟଣଙ୍କୁ ପୂଜା କଲେ କୁଷ୍ଠ ରୋଗରୁ ମୁକ୍ତହେବ ବୋଲି ଶାମ୍ବଙ୍କୁ ନାରଦ ମୁନି ପରାମର୍ଶ ଦେଇଥିଲେ । ପରେ ଶାମ୍ବ ଅର୍କକ୍ଷେତ୍ର ଚନ୍ଦ୍ରଭାଗାଠାରେ ସୂର୍ଯ୍ୟ ପୂଜା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ ।

{"id":396882,"sizeSlug":"large","linkDestination":"none"}

ଶାମ୍ବ ଦଶମୀ ତିଥିରେ କୋଣାର୍କ ଅବଧୂତ ମଠଠାରୁ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ନିଆଯାଇଥାଏ । ସେଠାରେ ୨୭ଦିନ ରଖାଯାଇ ୨୭ ଗ୍ରହ ନକ୍ଷତ୍ର ପୂଜା ଅର୍ଚ୍ଚନା କରାଯିବା ପରେ ମାଘ ସପ୍ତମୀ ତିଥିରେ ସୂର୍ଯ୍ୟ ମହାପ୍ରଭୁଙ୍କୁ ଅଣାଯାଇଥାଏ । ଏହି ସୂର୍ଯ୍ୟ ରଥକୁ ଟାଣିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଜମିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.